ନୂଆଦିଲ୍ଲୀ: କର୍ଣ୍ଣାଟକର ହାଇ ପ୍ରୋଫାଇଲ୍ ଯୌନ କେଳେଙ୍କାରୀ ମାମଲାର ଅଭିଯୁକ୍ତ ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ପୂର୍ବତନ ସାଂସଦ ରେବାନ୍ନାଙ୍କ ସମେତ ତାଙ୍କ ପିତା ଏବଂ ବିଧାୟକ ଏଚଡି ରେବାନ୍ନାଙ୍କ ବିରୋଧରେ ମଧ୍ୟ ଯୌନ ନିର୍ଯାତନା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ସ୍ବତନ୍ତ୍ର ତଦନ୍ତ ଟିମ୍ । ପ୍ରଜ୍ବଳଙ୍କ ବିରୋଧରେ ୪ଟି ମାମଲାରେ ତଦନ୍ତ କରୁଛି ଏସଆଇଟି । ଏହି ସବୁ ମାମଲାରେ ୧୫୦ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୨୦୦୦ ପଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି ।
ଏସଆଇଟି ଦ୍ବାରା ବିଶେଷ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ରେବାନ୍ନାଙ୍କ ଘରେ ଯୌନ ନିର୍ଯାତନାର ଶିକାର ହୋଇଥିବା ସହାୟିକାଙ୍କ ମାମଲା ମଧ୍ୟ ସାମିଲ ରହିଛି । ଅଭିଯୋଗ ପତ୍ରରେ ଘଟଣାସ୍ଥଳରେ ତଦନ୍ତ ରିପୋର୍ଟ ସହ ବୈଜ୍ଞାନିକ, ଡିଜିଟାଲ ଏବଂ ମୋବାଇଲ ଭଳି ସାକ୍ଷ୍ୟକୁ ସାମିଲ କରାଯାଇଛି । ଏପରିକି ଚାର୍ଜସିଟ ଦାଖଲ କରିବା ପୂର୍ବରୁ ବିଶେଷଜ୍ଞଙ୍କ ରାୟ ମଧ୍ୟ ନିଆଯାଇଛି ବୋଲି ଏସଆଇଟିରେ ସାମିଲ ଜଣେ ଅଧିକାରୀଙ୍କ ପାଖରୁ ସୂଚନା ମିଳିଛି ।
ପ୍ରଜ୍ବଳ ରେବାନ୍ନା ଜନତା ଦଳ (ସିକ୍ୟୁଲାର) ମୁଖ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି । ସେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ପୁତୁରା । ସେହିଭଳି ପ୍ରଜ୍ବଳଙ୍କ ପିତା ରାଜ୍ୟର ପୂର୍ବତନ ମନ୍ତ୍ରୀ ଥିବା ବେଳେ ବର୍ତ୍ତମାନର ବିଧାୟକ । ପୂର୍ବତନ ଜେଡିଏସ୍ ସାଂସଦ ପ୍ରଜ୍ବଳ ରେବାନ୍ନା ଗତ ଲୋକସଭା ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଳାଇଥିଲେ । ହେଲେ ନିର୍ବାଚନ ଶେଷ ହେଉ ହେଉ ସୋସିଆଲ ମିଡିଆରେ କିଛି ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା ।
ଏଥିରେ ପ୍ରଜ୍ବଳ ରେବାନ୍ନାଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା । ଭିଡିଓରେ ଏକାଧିକ ମହିଳାଙ୍କ ଯୌନ ଶୋଷଣ ହୋଇଥିବା ଜଣାପଡ଼ିବା ପରେ ପ୍ରଜ୍ବଳଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଥିଲା । ଏପରିକି ସେ ବିଦେଶ ଚାଲିଯାଇଥିଲେ । ପରେ ଏଚଡି ଦେବେଗୌଡା ଏବଂ କୁମାରସ୍ବାମୀଙ୍କ ଅପିଲ୍ କ୍ରମେ ସେ ଭାରତ ଫେରିଥିଲେ । ସେ ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା କ୍ଷଣି ତାଙ୍କୁ ଏସଆଇଟି ଗିରଫ କରିଥିଲା ।