ପ୍ରମୂଖ ଖବର
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର, ୨୫/୦୫ : ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ଶୁକ୍ରବାରଠାରୁ ବୁଥ୍‌ ପ୍ରସ୍ତୁତ ହୋଇସାରିଛି । ଇଭିଏମ୍‌ ମେସିନ୍‌ ବି ଠିକ ଜାଗାରେ ବସି ଟେଷ୍ଟ୍‌ ସରିଛି । ଏଜେଣ୍ଟମାନଙ୍କ ଉପସ୍ଥିତିରେ ୫୦ଟି ମକ୍‌ ଭୋଟିଂ ହେବା ପରେ ମେସିନ୍‌ ଠିକ ଭାବେ କାମ କରୁଛି କି ନାହିଁ, ତାହା ଚୂଡ଼ାନ୍ତ ହୋଇଛି। ଏହାପରେ ସକାଳ ୭ରୁ ମତଦାନ ଚାଲିଛି। 

ତୃତୀୟ ପର୍ଯ୍ୟାୟ ଭୋଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେଥିରୁ ସମ୍ବଲପୁର ସମେତ କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ପାଇଁ ୬୪ ଯୋଦ୍ଧା ମଇଦାନରେ ଥିବା ବେଳେ ୪୨ ବିଧାନସଭା ପାଇଁ ମଇଦାନରେ ଅଛନ୍ତି ୩୮୩ ପ୍ରାର୍ଥୀ । ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଜଣ ମତଦାତା ତୃତୀୟ ପର୍ଯ୍ୟାୟ ଭୋଟ୍‌ ଦେବେ । ୧୦,୫୫୧ ବୁଥ୍‌ରେ ମତଦାନ ହେବ । ସେଥିରୁ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍‌ ରହିଛି । ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ୭୦ ହଜାର ପୋଲିଂ କର୍ମଚାରୀ ଓ ୧୨୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ(ସିଏପିଏଫ୍‌) ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । 

ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ରୋହିତ ପୂଜାରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରମୁଖ ବହୁ ହେଭିୱେଟ୍‌ ନେତା ଲଢୁଛନ୍ତି । ତେବେ ଲଢେଇ ହେଉଥିବା ଏହି ଆସନଗୁଡିକ ମଧ୍ୟରୁ ୨୦୧୯ରେ ବିଜେପି-୨ଟି ଓ ବିଜେଡି ୪ଟି ଲୋକସଭା ସିଟ୍‌ ଜିତିଥିଲା । ସେହିପରି ଏହା ଅନ୍ତର୍ଗତ ୪୨ଟି ଆସନ ମଧ୍ୟରୁ ବିଜେଡି ୩୪ଟି, ବିଜେପି-୬, ଓ କଂଗ୍ରେସ-୨ଟି ଆସନ ଅକ୍ତିଆର କରିଥିଲା । ଲୋକସଭା ଆସନଗୁଡ଼ିକ ମଧ୍ୟରୁ ସମ୍ବଲପୁର ଓ ଭୁବନେଶ୍ୱର ଆସନ ବିଜେପି ଦଖଲରେ ଥିବାବେଳେ କେନ୍ଦୁଝର, ଢେଙ୍କାନାଳ, କଟକ ଓ ପୁରୀ ଆସନ ବିଜେଡି ଦଖଲରେ ଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.