ନୂଆଦିଲ୍ଲୀ,୨୪/୦୯: ତିରୁପତି ପ୍ରସାଦକୁ ନେଇ ଜାରି ରହିଛି ବିବାଦ। ଏହି ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ମିଶୁଥିବା ଅଭିଯୋଗ ଆସିବା ପରେ ଏନେଇ ସାରା ଦେଶରେ ଅସନ୍ତୋଷ ଜାରି ରହିଛି। ଏହାରି ମଧ୍ୟରେ ପ୍ରସାଦକୁ ନେଇ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ପ୍ରସାଦ ଲଡୁରେ ତମାଖୁ ମିଶୁଥିବା ନେଇ ହୋଇଛି ଅଭିଯୋଗ। ତେବେ ତେଲେଙ୍ଗାନା ଖମାମ ଜିଳ୍ଲାର ଜଣେ ଭକ୍ତ ଏଭଳି କିଛି ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଖମାମ ଜିଳ୍ଲାର ଡି.ପଦ୍ମାବତୀ ନାମକ ଜଣେ ମହିଳା ସେପ୍ଟେମ୍ବର ୧୯ ତାରିଖରେ ତରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ। ତେବେ ଘରକୁ ଆଣି ବାଣ୍ଟିବା ପାଇଁ ଲଡ଼ୁ ଖୋଲିବା ପରେ ଏଥିରେ କାଗଜରେ ଗୁଡା ହୋଇଥିବା ତମାଖୁ ଖଣ୍ଡ ଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପବିତ୍ର ଲଡ଼ୁ ପ୍ରସ୍ତିତିରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବିର ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ଘଟଣା ସାମ୍ନାକୁ ଅସିଛି। ଯାହାର ଭିଡିଓ କରି ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେପଟେ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି। ନମୁନାକୁ ଫୁଡ଼୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆକୁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ସୂଚନା ଦେଇଛନ୍ତି ।