ଭୁବନେଶ୍ୱର, ୧୨/୦୮ : ରଙ୍ଗ ଚକାଚକ୍, ଭାଙ୍ଗ ବି ପଡ଼ିନି । କୋଟ୍ ଠାରୁ ଆରମ୍ଭକରି ପ୍ୟାଣ୍ଟ, ସାର୍ଟ, ଟି-ସାର୍ଟ, ଟାଏ, ଓଢ଼ଣୀ, ଶାଢ଼ି ମିଳୁଛି କମ୍ ଦାମରେ । ଏହା କିନ୍ତୁ ନୂଆ ନୁହେଁ, ପୁରୁଣା । ହେଲେ କେହି ଜାଣିପାରିବେନି ଏହା ନୂଆ କି ପୁରୁଣା । ଏମିତି ପୋଷାକର ସମ୍ଭାର ଲାଗିଛି ରାଜଧାନୀର ରାସ୍ତାକଡ଼ରେ । ବିଶେଷକରି ମଧ୍ୟବିତ୍ତ ବର୍ଗ ତଥା ବିଭିନ୍ନ କ୍ଷେତ୍ରରେ ପରୀକ୍ଷା ଦେବାକୁ ଯାଉଥିବା ଶିକ୍ଷାର୍ଥୀମାନେ ଏହି ପୋଷାକକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ଏହି ପୋଷାକ ବିକ୍ରି କରୁଥିବା ଦୋକାନୀମାନଙ୍କର ବେପାର ଭଲ ଜମୁଛି ।
ବର୍ତ୍ତମାନ ଆଧୁନିକତା ସହିତ ତାଳ ଦେଇ ଚାଲିବାକୁ ସମସ୍ତେ ଇଛା କରୁଛନ୍ତି । ଜଣେ ଉଚ୍ଚ ଆୟ ବର୍ଗ ବ୍ୟକ୍ତି ତା ମନପସନ୍ଦର ସାମଗ୍ରୀ ଅଧିକ ମୂଲ୍ୟ ଦେଇ ବଡ଼ ଦୋକାନରୁ କିଣିନିଏ । ହେଲେ ସେହିସବୁ ପୋଷାକକୁ କିଣିବା ସ୍ୱଳ୍ପ ଆୟବର୍ଗ ପାଇଁ ସ୍ୱପ୍ନ । ସେପରି ସ୍ଥଳେ ରାଜଧାନୀର ବିଭିନ୍ନ ଛକ ଏବଂ ରାସ୍ତାକଡ଼ରେ ବିକ୍ରି ହେଉଥିବା ସ୍ୱଳ୍ପ ମୂଲ୍ୟର ପୋଷାକ ଏହି ବର୍ଗଙ୍କୁ ବେଶ୍ ସୁହାଉଛି । ଫର୍ମାଲ୍ ସାର୍ଟ, ପ୍ୟାଣ୍ଟ, କୋଟ୍, ଟିସାର୍ଟ, ଶାଢ଼ି, ଛୋଟ ପିଲାଙ୍କର ପୋଷାକ ଭଳି ବିଭିନ୍ନ ପ୍ରକାରର ପୋଷାକ ମିଳୁଛି ଏଠାରେ । ଏଥିରୁ ଅନେକ ପୋଷାକ ବଡ଼ବଡ଼ ଗୋଦାମରେ ଅଧିକ ଦିନ ଧରି ରହିଯାଉଥିବା ଷ୍ଟକ୍ । ଏଥିସହିତ କିଛି ପୁରୁଣା ପୋଷାକ ମଧ୍ୟ ଥାଏ । ଧନୀଘରର ଲୋକମାନେ ଥରେ ଗୋଟିଏ ଡ୍ରେସ୍ କିମ୍ବା ଶାଢ଼ି ପିନ୍ଧିସାରିଲା ପରେ ତାହାକୁ ବ୍ୟବସାୟୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରିଦେଇଥାନ୍ତି । ଯାହାକୁ ଦୋକାନୀମାନେ ଇସ୍ତ୍ରୀ ଏବଂ ମଣ୍ଡ ଦେଇ ସମ୍ପୂର୍ଣ୍ଣ ନୂଆକରି ବିକ୍ରି କରିଥାନ୍ତି । ଯାହାକୁ ଦେଖିଲେ ଜଣାପଡ଼ିବନି ଏହା ନୂଆ କି ପୁରୁଣା । ବଡ଼ବଡ଼ ମଲ୍ରେ ଏହି ପୋଷାକଗୁଡ଼ିକ ୨ରୁ ୩ ହଜାର ଟଙ୍କା ନେଉଥିବା ବେଳେ ଏଠାରେ ସେହିସବୁ ସାମଗ୍ରୀ ୩୦୦ରୁ ୫୦୦ ଟଙ୍କାରେ ମିଳିଯାଉଛି ।
ନୂଆକରି ଅଫିସ୍ରେ ଭର୍ତ୍ତି ହେଉଥିବା ଯୁବପିଢ଼ି କୋଟ୍, ବ୍ଲେଜର, ଟାଇ ପିନ୍ଧିବାର ଆବଶ୍ୟକତା ପଡ଼ିଥାଏ । ଅଧିକ ପଇସାରେ ବଡ଼ ବଡ଼ ଦୋକାନରୁ ନକିଣି ରାସ୍ତାକଡ଼ରେ ବିକ୍ରି ହେଉଥିବା ଏହିସବୁ ପୋଷାକରେ ସେମାନେ କିଛି ଦିନ ଚଳାଇ ଦେଉଛନ୍ତି । ଏହି ପୋଷାକଗୁଡ଼ିକୁ ଦୋକାନୀମାନେ ରାଜସ୍ଥାନ, କୋଲକାତା ଏବଂ ଦିଲ୍ଲୀରୁ ଆଣୁଛନ୍ତି । ଏଥିସହିତ ଏହି ଦୋକାନଗୁଡ଼ିକ ଋତୁ ଅନୁଯାୟୀ ମଧ୍ୟ ବିଭିନ୍ନ ପ୍ରକାର ପୋଷାକ ରଖିଥାନ୍ତି । ଶୀତ ଦିନରେ ଶୀତ ପୋଷାକ, ଖରାଦିନେ ହାଲୁକା ସୂତା ପୋଷାକ ବିକ୍ରି କରନ୍ତି । ଏଠାରେ ବିକ୍ରି ହେଉଥିବା ଧଳାରଙ୍ଗର ଟି-ସାର୍ଟ ଓ ସାର୍ଟ ହୋଲି ସମୟରେ ଅଧିକ ବିକ୍ରି ହୋଇଥାଏ । ହୋଲିରେ ଥରେ ଧଳା ପୋଷାକ ପିନ୍ଧି ସାରିଲା ପରେ ତାହା ପୁନର୍ବାର ପିନ୍ଧିହୁଏନି । ସେଥିପାଇଁ ଲୋକମାନେ ଏଠାରୁ ଅଳ୍ପ ମୂଲ୍ୟରେ ପୋଷାକ କିଣିବାକୁ ପସନ୍ଦ କରନ୍ତି । ଆଚାର୍ଯ୍ୟ ବିହାର, କଳ୍ପନା ଛକ, ଏକନମ୍ବର ହାଟ, ମାର୍କେଟ ବିଲ୍ଡିଂ, ଜୟଦେବ ବିହାର, ପ୍ରଦର୍ଶନୀ ପଡ଼ିଆ ନିକଟ ରାସ୍ତାରେ ଏହି ଦୋକାନ ଦେଖାଯାଉଛି । କଳ୍ପନା ଛକରେ ଏହି ପୋଷାକ ବିକ୍ରି କରୁଥିବା ସରୋଜ ବାରିକ୍ କହନ୍ତି, ବଜାର ତୁଳାନରେ ଆମେ ଲୋକମାନଙ୍କୁ ଶସ୍ତାରେ ମନପସନ୍ଦର ପୋଷାକ ଦେଉଥିବାରୁ ସେମାନେ ଏହାକୁ କିଣିବା ପାଇଁ ଆଗ୍ରହୀ ହେଉଛନ୍ତି ।