ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଚାଷୀ ନିରାଶ, ବେପାରୀ ମାଲାମାଲ: କିଲେ ପରିବାରେ ଅଢ଼େଇଶ ଫ୍ରି, ଛୁଇଁ ହେଉ ନଥିବା ପରିବା ଏବେ ମାଗଣା !

ବରଗଡ଼,୦୯/୦୯: ମେ ମାସରୁ ଅଗଷ୍ଟ ଶେଷଯାଏ ଛୁଇଁ ହେଉନଥିବା ପରିବା ବର୍ତ୍ତମାନ ମାଗଣା ମିଳିଲା ଭଳି ଶସ୍ତା ହୋଇଯାଇଛି । ଓଜନ ବାହାରେ ଯାଚିକି ଚାଷୀ ବା ପରିବା  ଦୋକାନୀ ଗ୍ରାହକଙ୍କ ବ୍ୟାଗରେ ଅଧିକ ପରିବା  ପୂରାଇ ଦେଉଛି । ଯାହା ପଇସା ଦେଲେ ଚଳିବ ବୋଲି କହୁଛି । ଏତେ ପରିବା କ’ଣ କରିବୁ  ବୋଲି ଗ୍ରାହକ ବି ପଚାରୁଛନ୍ତି । 

‘ଗତ ଚାରି  ମାସ ହେଲା କଷ୍ଟ ପାଇଛ, ନିଅ ଏବେ ଭଲକି ଖାଇଥାଅ, କେତେବେଳେ କ’ଣ ଦର ହେବ  କିଏ କହିପାରିବ’ ବୋଲି ପରିବା ଦୋକାନୀର  ପାଲଟା ଯୁକ୍ତି ଖାଉଟିଙ୍କୁ ବିସ୍ମିତ କରିଦେଇଛି । ଏଭଳି ସ୍ଥିତି ପରିବା ଚାଷର ରାଜଧାନୀ ବରଗଡ଼  ଜିଲ୍ଲାରେ ଏବେ ପରିଲକ୍ଷିତ ହେଉଛି । ହଠାତ  ଚାରିଭାଗରୁ ଭାଗେକୁ ଖସି ଆସିଥିବା ପରିବା ଦର  ଚାଷୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି । ପରିବା ଦର  ହାରାହାରି ୮୦ରୁ ୧୦୦ ଟଙ୍କା ଉପରେ ରହିଥିବା  ସମୟରେ ବାହାର ରାଜ୍ୟରୁ ଆସୁଥିବା ପରିବାରୁ  ଲାଭ ପାଇ ନଥିବା ଚାଷୀ ଏବେ ନିଜ ଉତ୍ପାଦନ ବିକ୍ରି  କରିବାକୁ ଯାଇ ଅଭାବୀ ବିକ୍ରିର ଶିକାର ହେଉଛି । 

କିଛିଦିନ ପୂର୍ବେ ପ୍ରାୟ ସମସ୍ତ ପନିପରିବାର  ଦର କେଜି ୮୦ ଟଙ୍କା ଉପରେ ଥିଲା । ଏପରିକି  ଟମାଟୋ କିଲୋ ୨ଶହ ଟଙ୍କାକୁ ବି ଛୁଇଁଥିଲା।  ଆକାଶ ଛୁଆଁ ପରିବା ଦରକୁ ଦୃଷ୍ଟିରେ ରଖି  ଅଧିକାଂଶ ଘରେ ପନିପରିବା ପ୍ରାୟତଃ ଉଭାନ  ହୋଇଯାଇଥିଲା । ବ୍ୟାଗଭର୍ତ୍ତି ପରିବା ପାଇଁ  ୫୦୦ରୁ ୬୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ  ଏବେ ମାତ୍ର ୯୦/୧୦୦ ଟଙ୍କାରେ ପରିବା ବ୍ୟାଗ୍‌  ଭର୍ତ୍ତି ହୋଇଯାଉଛି । ତେବେ ଅଧିକ ଦରରେ  ପରିବା ବିକ୍ରି ସମୟରେ ମଧ୍ୟସ୍ଥି ଓ ବେପାରୀମାନେ  ଲାଭବାନ ହେଉଥିଲେ । 

ପରିବା ଦର ଅତି  ତଳକୁ ଖସିଯିବା ଦ୍ୱାରା ଚାଷୀ କ୍ଷତିଗ୍ରସ୍ତ ହେବା  ସାର ହୋଇଛି । ଏଭଳି ସ୍ଥିତି ପାଇଁ ବେପାରୀ  ଓ ମଧ୍ୟସ୍ଥିମାନେ ହିଁ ଦାୟୀ ବୋଲି ଚାଷୀମାନେ  ଅଭିଯୋଗ କରୁଥିବା ବେଳେ ମାତ୍ରାଧିକ ଶସ୍ତା ଦର  ଯୋଗୁଁ ଚାଷୀଙ୍କ ଅବସ୍ଥା ଆହୁରି ଖରାପ ହେବାକୁ  ଯାଉଛି । ଏଥିଲାଗି ଖାଉଟିମାନେ ସରକାରୀ ଅବ୍ୟବସ୍ଥାକୁ ଦାୟୀ କରୁଛନ୍ତି । ଏପଟେ ଚାଷୀମାନେ ବର୍ତ୍ତମାନର ପରିବା ଦର ଯୋଗୁଁ  ଚାଷଖର୍ଚ୍ଚର ମୂଳ ବି ବାହାରି ପାରୁନାହିଁ ବୋଲି କ୍ଷୋଭ ପ୍ରକାଶ କରୁଛି । ଅବ୍ୟବସ୍ଥିତ ପରିବା  ବଜାର ବ୍ୟବସ୍ଥାରେ ସୁଧାର ବର୍ତ୍ତମାନ ଏକ  ଆହ୍ୱାନରେ ପରିଣତ ହୋଇଯାଇଛି । 

ବରଗଡ଼ ଜିଲ୍ଲାର ଭଟଲି ବଜାରରେ ପ୍ରାୟ  ସମସ୍ତ ପନିପରିବା ଦର ୨୦ ଟଙ୍କାକୁ ଖସି  ଆସିଥିବା ବେଳେ ଟମାଟୋ କିଲୋ ୧୫ ଟଙ୍କାରେ ପହଞ୍ଚିଲାଣି । ଏହା ତୁଳନାରେ ଅମ୍ବାଭୋନା ଓ  ବିଜେପୁର ଅଞ୍ଚଳରେ ପରିବା ଦର ଆହୁରି ଟଙ୍କେ  ଅଧେ କମ ରହିଛି । ଏଠୁ ଅତି ଶସ୍ତାରେ ପରିବା  କିଣି ନେଇ ବେପାରୀମାନେ ବାହାର ଜାଗାରେ  ଅଧିକ ଦରରେ ବିକି ମାତ୍ରାଧିକ ଲାଭ ଉଠାଉଛନ୍ତି । 

ଭଟଲି ବ୍ଲକ ନୂଆଁଗଡ଼ ଗାଁର ପରିବା ଚାଷୀ  ଦୂର୍ଲଭ ଖମାରୀ କହିଛନ୍ତି, ୨ ଏକରରେ ପୋଟଳ  ଚାଷ କରିଛି । ଦୁଇମାସ ଆଗରୁ ୮୦-୧୦୦  ଟଙ୍କାରେ ବିକ୍ରି ହେଉଥିବା ପୋଟଳ ମାସେ ଆଗରୁ  ୫୦-୬୦ ଟଙ୍କାରେ କେଜି ବିକୁଥିଲି । ଏବେ  ଉତ୍ପାଦନ ବଢ଼ଲା ପରେ ଏବେ ୨୦-୨୫ ଟଙ୍କାଙ୍କୁ  ଦାମ କମିଗଲାଣି । ଦର ବେଶି ଥିବା ସମୟରେ  ବେପାରୀମାନେ ସିଧା ବାଡ଼ିରୁ ନେଉଥିବାରୁ ଲାଭ  ପାଉନଥିଲୁ । ଏବେ ରେଟ୍‌ କମିବା ପରେ ବି ସେଇ  ଦଶା ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।  

ନୂଆଗଡ଼ର ସତ୍ୟବାନ ବାରିକ କହନ୍ତି,  ୨୦ ଡେସିମିଲ୍‌ ଜାଗାରେ କଲରା ଚାଷ କରଛି ।  ଆଗରୁ ଭଲ ଦୁଇ ପଇସା ମିଳୁଥିଲା । ଏବେ ଯେଉଁ ଦାମରେ ବିକୁଛୁ ସେଥିରେ ମୂଳ ହିଁ  ବାହାରୁଛି ବୋଲି ସେ ପ୍ରକାଶ କରିଛନ୍ତି ।

ନିକଟ ଅତୀତରେ ପରିବା ଦର ଶୁଣି ଘର  ଲୋକଙ୍କୁ ପରିବା ଆଣିବାକୁ କହିବାକୁ ଡର  ଲାଗୁଥିଲା । ଏବେ ଶସ୍ତା ହେବାରୁ ପୁଣି ଘରକୁ ନିୟମିତ ପରିବା ଆସୁଛି ବୋଲି କହିଛନ୍ତି ବବିତା  ଷଡ଼ଙ୍ଗୀ । ମହଙ୍ଗା ପରିବା ଦର ବେପାରୀକୁ  ସୁହାଉଥିବା ବେଳେ ବର୍ତ୍ତମାନ ଅତି କମ ଦାମରେ  ପରିବା କିଣି ବାହାର ଜିଲ୍ଲାରେ ୪ ଗୁଣ ଅଧିକ  ଦରରେ ବିକ୍ରି କରୁଥିବାରୁ ସବୁ ସମୟରେ  ବେପାରୀ ଲାଭବାନ ହେଉଛି ଏବଂ ଚାଷୀ  କ୍ଷତିଗ୍ରସ୍ତ ହେଉଥିବାରୁ ସରକାରୀ ଯୋଜନା,  ବଜାର ବ୍ୟବସ୍ଥା, ଦରମା ନେଉଥିବା ବିପଣନ  ସଂସ୍ଥା କୋଉ କାମକୁ ବୋଲି ଚାଷୀନେତା ରମେଶ  ମହାପାତ୍ର ପ୍ରଶ୍ନ କରିଛନ୍ତି।

Copyright © 2022 - Summa Real Media Private Limited. All Rights Reserved.