ନୂଆଦିଲ୍ଲୀ, ୦୧/୦୯: ବିସିସିଆଇ ଘରୋଇ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ମ୍ୟାଚ୍ ଏବଂ ଘରୋଇ କ୍ରିକେଟ୍ ସିଜନର ମ୍ୟାଚ୍ ପ୍ରସାରଣ ବାବଦକୁ ଆଗାମୀ ୫ ବର୍ଷରେ ୫,୯୬୩ କୋଟି ଟଙ୍କା ପାଇବ । ଇ-ଟେଣ୍ଡର ପ୍ରକ୍ରିୟାରେ ଭାଏକମ୍-୧୮ ଉଭୟ ଟେଲିଭିଜନ ଏବଂ ଡିଜିଟାଲ ପ୍ରସାରଣ ଅଧିକାର ହାସଲ କରିଛି । ବିସିସିଆଇ ସମ୍ପାଦକ ଜୟ ଶାହ ଏ ବିଷୟରେ ଘୋଷଣା କରିଛନ୍ତି ।
୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଷ୍ଟାର ଇଣ୍ଡିଆ (ଡିଜନୀ-ହଟ୍ଷ୍ଟାର) ଉଭୟ ଟେଲିଭିଜନ ଓ ଡିଜିଟାଲ ପ୍ରସାରଣ ଅଧିକାର ହାସଲ କରିଥିଲା । ପ୍ରତି ମ୍ୟାଚ୍ ପାଇଁ ୬୦.୧ କୋଟି ଟଙ୍କା ଦେଉଥିଲା । କିନ୍ତୁ ଏଥର ୧୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୩ ସେପ୍ଟେମ୍ବରରୁ ୨୦୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଭାଏକମ୍-୧୮ ପ୍ରସାରଣ ଅଧିକାର ହାସଲ କରିବାରେ ସଫଳ ହୋଇଛି । ପ୍ରତି ମ୍ୟାଚ୍ ପାଇଁ ୬୭.୭୬ କୋଟି ଟଙ୍କା ପ୍ରଦାନ କରିବ । ଏହି ୫ ବର୍ଷରେ ଭାରତ ସବୁ ଫର୍ମାଟରେ ମୋଟ୍ ୮୮ଟି ମ୍ୟାଚ୍ ଖେଳିବ । ଯେଉଁଥିରେ ୨୫ ଟେଷ୍ଟ, ୨୭ ଦିନିକିଆ ଏବଂ ୩୪ଟି ଟି-ଟ୍ୱେଣ୍ଟି ରହିଛି ।
ଇ-ଟେଣ୍ଡରରେ ଷ୍ଟାର ଇଣ୍ଡିଆ, ସୋନି ଓ ଭାଏକମ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଥିଲା । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଭାଏକମ-୧୮ ଅଧିକାର ହାସଲ କରିଥିଲା । ବିସିସିଆଇ ପ୍ରତି ମ୍ୟାଚ୍ ପାଇଁ ବେସ୍ ପ୍ରାଇସ୍ (ମୂଳଦର) ୪୫ କୋଟି (ଡିଜିଟାଲ ୨୫ କୋଟି ଏବଂ ଟେଲିଭିଜନ ୨୦ କୋଟି) ରଖିଥିଲା ।
ଭାଏକମ୍-୧୮ ଯେଉଁ ମୋଟ୍ ୫,୯୬୩ କୋଟି ଟଙ୍କା ଦେବ ସେଥିରେ ଡିଜିଟାଲ ପ୍ରସାରଣ ବାବଦରେ ୩୧୦୧ କୋଟି ଏବଂ ଟେଲିଭିଜନ ପ୍ରସାରଣ ବାବଦକୁ ୨୮୬୨ କୋଟି ରହିଛି । ଗତ ୫ ବର୍ଷରେ ଷ୍ଟାର ଇଣ୍ଡିଆ ମୋଟ୍ ୬,୧୩୮.୧୦ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିଥିଲା । ଯେଉଁଥିରେ ୧୦୨ଟି ମ୍ୟାଚ୍ ରହିଥିଲା । ଏଥର ମ୍ୟାଚ୍ ସଂଖ୍ୟା କମ ରହିଥିବାରୁ ୧୭୫ କୋଟି କମିଛି । କିନ୍ତୁ ପୂର୍ବାପେକ୍ଷା ଏଥର ପ୍ରତି ମ୍ୟାଚ୍ରେ ୭.୭୬ କୋଟି ଟଙ୍କା ବୃଦ୍ଧି ପାଇଛି ।
ପୂର୍ବରୁ ଡିଜନୀ ଓ ଭାଏକମ୍-୧୮ ଆଇପିଏଲ୍ ପ୍ରସାରଣ ଅଧିକାର (ଟିଭି ଓ ଡିଜିଟାଲ) ମୋଟ୍ ୪୮,୩୯୦ କୋଟି ଟଙ୍କାରେ ହାସଲ କରିଥିଲେ । ଟେଲିଭିଜନ ପ୍ରସାରଣ ବାବଦକୁ ୨୩,୫୭୫ ଏବଂ ଡିଜିଟାଲ ପ୍ରସାରଣ ବାବଦକୁ ୨୦,୫୦୦ କୋଟି ଟଙ୍କା ପ୍ରଦାନ କରିବେ। ଯାହା ଆଇପିଏଲ ଇତିହାସରେ ଏକ ନୂଆ ରେକର୍ଡ ରହିଥିଲା । କେବଳ ଏତିକି ନୁହେଁ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ମହିଳା ପ୍ରିମିୟର ଲିଗ୍ର ପ୍ରାସରଣ ଅଧିକାର ମଧ୍ୟ ଲାଭ କରିଛି । ଯେଉଁଥିପାଇଁ ୯୫୧ କୋଟି ଟଙ୍କା ପ୍ରଦାନ କରିବା ନେଇ ବିସିସିଆଇ ସହ ଚୁକ୍ତି କରିଛି । ତେଣୁ ଭାଏକମ୍-୧୮ ଏବେ ବିସିସିଆଇର ସମସ୍ତ ପ୍ରସାରଣ ଅଧିକାର ଜିତିବାରେ ସଫଳ ହୋଇଛି । କେବଳ ପ୍ରସାରଣ ଅଧିକାର ବାବଦକୁ ଆଇପିଏଲ, ମହିଳା ଲିଗ୍ ଏବଂ ଘରୋଇ ଅନ୍ତର୍ଜାତୀୟ ମ୍ୟାଚରୁ ବିସିସିଆଇ ଆଗାମୀ ୫ ବର୍ଷ ମଧ୍ୟରେ ୫୫୨୦୯ କୋଟିରୁ ଊଦ୍ଧ୍ୱର୍ ଅର୍ଥ ପ୍ରାପ୍ତ ହେବ ।