ପ୍ରମୂଖ ଖବର

ମୁଖ୍ୟମନ୍ତ୍ରୀ ଚୌକି ଲୋଭରେ ଥିବା ବ୍ୟକ୍ତି କେବେବି ଭଲ କାମ କରିପାରିବେ ନାହିଁ : ଭି.କେ ପାଣ୍ଡିଆନ

ହିନ୍ଦୋଳ, ୧୩/୦୫ : ଢେଙ୍କାନାଳରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମାରାଥନ୍ ପ୍ରଚାର। ହିନ୍ଦୋଳରେ ପ୍ରଚାର କରିବା ସମୟରେ ୫-ଟି ଅଧ୍ୟକ୍ଷ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚୌକି ଲୋଭରେ ଥିବା ବ୍ୟକ୍ତି କେବେବି ଭଲ କାମ କରିପାରିବେ ନାହିଁ। କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତି। ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା। ବିଜେପୁର ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ, ୪୦ ହଜାର ଭୋଟରେ ହାରିଲେ। ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ। ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନଙ୍କ ଆଶୀର୍ବାଦ ଏଥର ବି ପରାଜୟ ଗ୍ରହଣ କରିବେ। କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳର, ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି କୁହନ୍ତୁ ? ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? କଟକ-ସମ୍ୱଲପୁର ରାସ୍ତା ଏପର୍ଯ୍ୟନ୍ତ କରିପାରିଲେନି। 

୫-ଟି ଅଧ୍ୟକ୍ଷ ପୁଣି କହିଛନ୍ତି ଯେ, ୨ ଦିନ ତଳେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ ବୋଲି କହିଲେ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏଇଟା ହେଉଛି ବିଜେପିର ମାଗଣା ବିଜୁଳି। ଜୁନ ୯ ତାରିଖରେ ସାଢେ ୯ଟାରୁ ୧ଟା ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ କରିବେ। ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ୍ ରାଜ୍ୟ ସରକାର ଭରଣା କରିବେ। ଡବଲ ଇଞ୍ଜିନ ସରକାର ଦିନରେ ଆପଣଙ୍କୁ ଭୁଆଁ ବୁଲାଉଛନ୍ତି, ଲଣ୍ଠନ ଦେଖାଉଛନ୍ତି । ନିର୍ବାଚନ ସରିଗଲେ ଏମାନଙ୍କୁ ଆପଣ ଖୋଜିଲେ ବି ପାଇବେନି। ଆଜି ସକାଳେ ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ, କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା। ମୁଁ ତାଙ୍କୁ ଆହ୍ୱାନ କରୁଛି ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ କରନ୍ତୁ, ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ। ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ। ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାର ମାର୍ଜିନରେ ଆଶୀର୍ବାଦ କରନ୍ତୁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରନ୍ତୁ। କର୍ମୀମାନଙ୍କୁ ସମ୍ବୋଧିତ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ହିନ୍ଦୋଳକୁ ବହୁତ ଭଲ ପାଆନ୍ତି, ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାର ଅଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.