ନୂଆଦିଲ୍ଲୀ: ବିରିୟାନି ସହ ଅତିରିକ୍ତ ରାଇତା ମାଗିବା ଜଣେ ୩୦ ବର୍ଷିୟ ଯୁବକଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି । ରେଷ୍ଟୁରାଣ୍ଟ କର୍ମଚାରୀମାନେ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣା ହାଇଦ୍ରାବାଦର ପଞ୍ଜାଗୁଟା କ୍ରସରୋଡ ଅବସ୍ଥିତ ମେରିଡିଆନ୍ ବିରିୟାନି ରେଷ୍ଟୁରାଣ୍ଟରେ ଘଟିଛି ।
ସୂଚନା ମୁତାବକ ୩୦ ବର୍ଷିୟ ଲିଆକତ ରବିବାର ଦିନ ଜଣେ ବନ୍ଧୁଙ୍କ ସହ ମେରିଡିଆନ୍ ବିରିୟାନି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ । ସେଠାରେ ଲିଆକତ ବିରିୟାନୀ ସହିତ ଅତିରିକ୍ତ ରାଇତା ମାଗିଥିଲେ । ଏହାକୁ ନେଇ ତାଙ୍କର ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । କିଛି ସମୟ ମଧ୍ୟରେ ଯୁକ୍ତି ଏକ ଝଗଡାର ରୂପ ନେଇଥିଲା । ପୋଲିସର ସୂଚନାନୁସାରେ, ଲିଆକତ ଏବଂ ତାଙ୍କ ସାଙ୍ଗ ମଦ୍ୟପାନ କରିଥିଲେ । ସେ ରେଷ୍ଟୁରାଣ୍ଟରୁ ଏକ ବିରୟାନୀ ପ୍ୟାକ୍ କରିବାକୁ ଅର୍ଡର କରିଥିଲେ । ଝଗଡା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇ ସୋସିଆଲ ମିଡିଆରେ ପହଞ୍ଚିଥିଲା । ଭିଡିଓରେ ଦେଖାଯାଉଛି ଯେ ଦୁଇ ଗୋଷ୍ଠୀ ନିଜ ମଧ୍ୟରେ ଝଗଡା କରୁଛନ୍ତି।
ଏହା ପରେ ଲିଆକତ ଏବଂ ତାଙ୍କ ସାଙ୍ଗ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଲିଆକତ ଛାତିରେ ଯନ୍ତ୍ରଣା ଅନୁଭବ କରି ମୃତ୍ୟୁ ବରଣ କରିଥିଲେ। ଡାକ୍ତରଖାନା ନିଆଯିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।