ରଙ୍ଗେଇଲୁଣ୍ଡା, ୦୬/୦୯ : କମ୍ପ୍ୟୁଟର ଅପରେଟର କାମ କରିବାକୁ ଯାଇ କମ୍ବୋଡିଆରେ ବନ୍ଦୀ। ରଙ୍ଗେଇଲୁଣ୍ଡାର ଦୀନବନ୍ଧୁଙ୍କୁ ଭିଏତନାମରେ ଚାକିରି ଦେବା ନାରେ କମ୍ବୋଡିଆରେ ବିକିଲେ ଏଜେଣ୍ଟ। ୨୫ଶହ ଡଲାର ଦେଲେ ଯାଇ ଦୀନବନ୍ଧୁଙ୍କୁ ଛାଡ଼ିବେ ବୋଲି କହୁଛି ଏଜେଣ୍ଟ। ଦୀନବନ୍ଧୁ ଏବେ ଏକ କୋଠରୀରେ ବନ୍ଦୀ ଭାବେ ଜୀବନ ବିତାଉଛନ୍ତି। ମୁକୁଳାଇବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି।
ବିଦେଶରେ ଦାଦନ ଖଟିବାକୁ ଯାଇ ଫସିଲେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ଵନାଥପୁରର ଦୀନବନ୍ଧୁ ସାହୁ। କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ ବିଦେଶ ଯିବାକୁ ଗୁଜରାଟର ଏକ କମ୍ପାନୀ ୟୁନିକ ଏମ୍ପ୍ଲଏମେଣ୍ଟ ସର୍ଭିସ୍ ସହ ଯୋଗାଯୋଗରେ ଆସିଥିଲେ। ସେଠାକାର ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ କାମ କରାଇ ଦେବା ପାଇଁ ୧ ଲକ୍ଷ ୫୦ହଜାର ଟଙ୍କା ଓ ଭିସା, ପାସପୋର୍ଟ ନେଇଥିଲେ। ଫ୍ଲାଇଟ ଟିକେଟ ଯୋଗେ ତାଙ୍କୁ ପ୍ରଥମେ ଭିଏତନାମ ନେଇଥିଲେ। ପରେ ସେଠାରୁ କମ୍ବୋଡିଆ ନେଇ ସେଠାରେ ଏକ କମ୍ପାନୀରେ କାମ ଦେଇଥିଲା। ସେଠାରେ ଉକ୍ତ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ, କଲ୍ କରି ଓଟିପି ନେଇ ଠକେଇ ଭଳି କାର୍ଯ୍ୟରେ କିଛି ଦିନ ନିୟୋଜିତ କରିବା ପରେ ସେ ଏହିଭଳି କାର୍ଯ୍ୟ କରିବାକୁ ମନା କରିଦେଇଥିଲେ। ସେ ଭାରତ ଫେରିଯିବେ ବୋଲି କହିବା ପରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଛି। କମ୍ପାନୀର ଏଜେଣ୍ଟ ୨୫ଶହ ଡଲାର ଦେଲେ ହିଁ ତାଙ୍କୁ ଭାରତ ପଠେଇବେ ବୋଲି କହୁଛି। ତାଙ୍କ ପାଖରେ କୌଣସି ଅର୍ଥ ନଥିବା ବେଳେ କମ୍ପାନୀ ଆଉ ଖାଇବା ଦେବା ବନ୍ଦ କରିଦେଇଛି। ଏଣୁ ତାଙ୍କୁ ଅତି ଶୀଘ୍ର ଏଠାରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିଡିଓ ମାଧ୍ୟମରେ ଗୁହାରି କରିଛନ୍ତି।