ନୂଆଦିଲ୍ଲୀ,୬।୯: ଦେଶରେ ଭାରତ ବନାମ ଇଣ୍ଡିଆର ନାଁକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଶାସକ ପକ୍ଷ ଓ ବିରୋଧି ପକ୍ଷ ମଧ୍ୟରେ ବୟାନବାଜି ଜାରି ରହିଛି। ଏସବୁ ଭିତରେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି କଡା ଯବାନ। ସେ କହିଛନ୍ତି, ଯଦି ଇଂରେଜଙ୍କ ପ୍ରତି ତାଙ୍କର(ସରକାରଙ୍କ) ଏତେ ସମସ୍ୟା, ତେବେ ସେମାନେ ରାଷ୍ଟ୍ରପତି ଭବନ ଖାଲି କରିଦିଅନ୍ତୁ। ଏହା ସହିତ ନର୍ଥ ବ୍ଲକ ଓ ସାଉଥ୍ ବ୍ଲକକୁ ମଧ୍ୟ ଉଡାଇ ଦିଅନ୍ତୁ। ରାଷ୍ଟ୍ରପତି ଭବନ ସେତେବେଳେ ଭାଇସରାୟଙ୍କ ଘର ଥିଲା।’
ଅନ୍ୟପକ୍ଷେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ‘ସମ୍ବିଧାନରେ ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ’ ଲେଖିଛନ୍ତି। ଏ ସମ୍ପର୍କରେ ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ମୁଁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କରଙ୍କୁ ମୋ ସହ ଆସି ସମ୍ବିଧାନ ପଢିବାକୁ ଆମନ୍ତ୍ରଣ କରୁଛି। ‘ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ’ ଅନୁଚ୍ଛେଦ ୧ରେ ରହିଛି। ଆମେ ତାଙ୍କୁ ୧୯ ଜୁଲାଇ ପୂର୍ବରୁ ଏଭଳି କିଛି ଶୁଣିବାର ପାଇନଥିଲୁ। ଯଦି ଆମେ ସଂକ୍ଷିପ୍ତିକରଣ କରୁ ଓ ମେଣ୍ଟର ନାଁ ବଦଳାଇ ‘ଇଣ୍ଡିଆ’ରୁ ‘ଭାରତ’ କରିଦେବୁ ତେବେ ଜୟଶଙ୍କର କ’ଣ କରିବେ।
ରାଷ୍ଟ୍ରପତି ଭବନରେ ଜି-୨୦ ଶିଖର ସମ୍ମିଳନୀରେ ବିଦେଶୀ ନେତା ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୈଶଭୋଜି ଜି-୨୦ର ନୈଶଭୋଜି ପାଇଁ ନିମନ୍ତ୍ରଣ କରିଥିବା ବେଳେ ଏହି ନିମନ୍ତ୍ରଣ ପତ୍ରରେ ସେ ନିଜକୁ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ବୋଲି ଲେଖିଛନ୍ତି। ଏହା ପରେ ଦେଶର ସମ୍ଭାବ୍ୟ ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ତଥା ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ସରକାରୀ ଚିଠିରେ ପ୍ରଥମ ଥର ପାଇଁ ଇଣ୍ଡିଆ ବଦଳରେ ଭାରତ ବୋଲି ଉଲ୍ଲେଖ କରାଯାଇଛି। ଜି୨୦ର ବିଦେଶୀ ପ୍ରତିନିଧିଙ୍କୁ ଦିଆଯାଇଥିବା ପୁସ୍ତିକାରେ ମଧ୍ୟ ଏହି ନାମ ଉଲ୍ଲେଖ କରାଯାଇଛି। ପୁସ୍ତିକାର ଶୀର୍ଷକ ହେଉଛି: ‘ଭାରତ, ଦେୟାର୍ ଇଜ୍ ଡେମୋକ୍ରାସି’।