ନୂଆଦିଲ୍ଲୀ: ଆଫ୍ରିକା ମହାଦେଶର ମଧ୍ୟଭାଗରେ ଥିବା କଙ୍ଗୋର ମୁଖ୍ୟ କାରାଗାରରୁ ଖସିଯିବାକୁ ଚେଷ୍ଟା କରି ୧୨୯ ଜଣ କଏଦୀଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ମଧ୍ୟରୁ ଅଧିକାଂଶ ଦଳାଚକଟା କାରଣରୁ ହୋଇଥିବା କୁହାଯାଉଛି ।କଙ୍ଗୋର ଗୃହମନ୍ତ୍ରୀ ଜୈକମିନ୍ ଶବାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ କହିଛନ୍ତି ଯେ, ସୋମବାର କିଂସାସା ସ୍ଥିତ ମାକାଲା ଜେଲରୁ ଖସିଯିବାକୁ ଚେଷ୍ଟା କରୁଥିବା ୨୪ ଜଣ କଏଦୀଙ୍କୁ ଚେତାବନୀ ଦିଆଯିବା ପରେ ଗୁଳି ଚଳାଇ ଦିଆଯାଇଥିଲା । ଏହା ପରେ ଜେଲରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦେଖୁଦେଖୁ ଶହ ଶହ ଲୋକ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଯାଇଥିଲେ । ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୧୨୯ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି । ତେବେ ଏହି ସଂଖ୍ୟା ଆହୁରି ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ରିପୋର୍ଟ ଅନୁଯାୟୀ, ୧୫ ଶହ କଏଦୀ କ୍ଷମତା ବିଶିଷ୍ଟ କଙ୍ଗୋର ମୁଖ୍ୟ କାରାଗାର ମାକାଲାରେ ୧୨ ହଜାରରୁ ଅଧିକ କଏଦୀ ଅଛନ୍ତି । ଏହି ମାମଲା ଗୁଡ଼ିକ ମଧ୍ୟରୁ ଅଧିକାଂଶ କୋର୍ଟରେ ବିଚାରାଧୀନ ଅଛି । ଏଠାରେ ପୂର୍ବରୁ ମଧ୍ୟ ଜେଲରୁ ଖସିଯିବା ଘଟଣା ସାମ୍ନାକୁ ଆସିଥିଲା ।