ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏବେ ବି ଫେରିନି ୮୮୯୭ କୋଟିର ୨ ହଜାର ଟଙ୍କିଆ: RBI କାର୍ଯ୍ୟାଳୟ, ଡାକଘର ଜରିଆରେ କରିପାରିବେ ବଦଳ

ନୂଆଦିଲ୍ଲୀ,୨୬/୦୨: ୨ ହଜାର ଟଙ୍କିଆ ନୋଟ ଗୁଡିକୁ ପ୍ରଚଳନରୁ ବାଦ ଦେବା ଲାଗି ରିଜର୍ଭ ବ୍ୟାଙ୍କ ୨୦୨୩ ମେ ୧୯ରେ ନିଷ୍ପତ୍ତି ନେଇଥିଲା । ୨୦୨୪ ଜାନୁଆରି ୩୧ ସୁଦ୍ଧା ବ୍ୟାଙ୍କକୁ ୯୭.୫% ୨ ହଜାର ଟଙ୍କିଆ ନୋଟ ଫେରିଛି । ତେବେ ବଜାରରେ ଏବେ ମଧ୍ୟ ୮୮୯୭ କୋଟିର ୨ ହଜାର ଟଙ୍କିଆ ନୋଟ ରହିଛି । ୨ ହଜାର ଟଙ୍କିଆ ନୋଟ ବାଦ ନେବା ନିଷ୍ପତ୍ତି ହେବାର ୯ ମାସ ପରେ ମଧ୍ୟ ଏତେ ପରିମାଣର ନୋଟ ଏବେ ମଧ୍ୟ ବଜାରରେ ରହିଛି । 

ଏହି ବର୍ଗରେ ଏବେ ୨.୫% ନୋଟ ଲୋକଙ୍କ ପାଖରେ ରହିଛି । ନୋଟ ଜମା କରି ନ ଥିବା ଲୋକମାନେ ଏହାକୁ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ କିମ୍ବା ଡାକଘର ଜରିଆରେ ଜମା କରିପାରିବେ । ରିଜର୍ଭ ବ୍ୟାଙ୍କ ଏଭଳି ନୋଟ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ଏହି ବର୍ଗ ନୋଟ ରହିଥିଲା । ୨୩ ମେଠାରୁ ଏହାକୁ ଜମା କରିବା ଲାଗି ଲୋକଙ୍କୁ କେନ୍ଦ୍ରୀୟ ବ୍ୟାଙ୍କ ସୁବିଧା ଦେଲା ।

ଏହାର ସୀମା ସେପ୍ଟେମ୍ବର ୩୦ ରହିଥିଲା । ତେବେ ଧାର୍ଯ୍ୟ ସମୟ ଅବଧି ପୂରଣ ହୋଇଥିଲେ ମଧ୍ୟ ବୃହତ୍ତ ପରିମାଣର ନୋଟ ବଜାରରେ ରହିଯାଇଥିଲା । ଫଳରେ ନୋଟ ବଦଳ ସୀମାକୁ କେନ୍ଦ୍ରୀୟ ବ୍ୟାଙ୍କ ଅକ୍ଟୋବର ୭ ଯାଏ ବୃଦ୍ଧି କରିଥିଲା । ଏହା ପରେ ମଧ୍ୟ ଲୋକଙ୍କୁ ରିଜର୍ଭ ବ୍ୟାଙ୍କର ୧୯ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ପୋଷ୍ଟ ଅଫିସ ଜରିଆରେ ନୋଟ ବଦଳ କରିବା ସୁବିଧା ଦିଆଗଲା ।

୨୦୨୩ ଡିସେମ୍ବର ୨୯ ପରଠୁ ୨୦୨୪ ଜାନୁଆରୀ ୩୧ ଯାଏ  ପ୍ରାୟ ୪୩୩ କୋଟି ୨ ହଜାର ଟଙ୍କିଆ ଆର୍‌ବିଆଇ ନିକଟକୁ ଆସିଛି । ୨୯ ଡିସେମ୍ବର ବେଳକୁ ବଜାରରେ ୯୩୩୦ କୋଟିର ୨ ହଜାର ଟଙ୍କିଆ ନୋଟ ଥିଲା । ୨୦୧୬ରେ କେନ୍ଦ୍ର ସରକାର ନୋଟ ବନ୍ଦୀ ଦ୍ୱାରା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟଗୁଡିକୁ ପ୍ରଚଳନରୁ ହଟାଇ ଦେଇଥିଲେ । ଏହି ସମୟରେ ୨ ହଜାର ଟଙ୍କିଆ ନୋଟ ଆସିଥିଲା ।

ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ମୂଲ୍ୟର ବ୍ୟାଙ୍କ ନୋଟ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବା ପରେ ୨୦୧୮-୧୯ ଅବଧିରେ ୨ ହଜାର ଟଙ୍କିଆ ନୋଟ ପ୍ରିଣ୍ଟିଂ ବନ୍ଦ କରି ଦେଇଥିଲେ ସରକାର । କ୍ଲିନ ନୋଟ ପଲିସି ଅଧିନରେ ୨୦୨୩ ମେ ୧୯ରେ ବଜାରରେ ଉପଲବ୍ଧ ଥିବା ସବୁ ୨ ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଥିଲା । ଏହି ନୋଟ ପ୍ରତ୍ୟାହାର ଘୋଷଣା ପରେ ବାଣିଜ୍ୟିକ ବ୍ୟାଙ୍କଗୁଡିକର ଜମା କ୍ଷେତ୍ରରେ ଜାନୁଆରି ମାସରେ ୨ ଅଙ୍କର ଅଭିବୃଦ୍ଧି ଦେଖାଯାଇଛି । 

ଏବେ ମଧ୍ୟ ନୋଟ ଗୁଡିକ ପ୍ରତ୍ୟାହାର ସୁବିଧା ରହିଥିବାରୁ ଲୋକେ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଡାକଘର ସହ ଯୋଗାଯୋଗ କରି ଫାଇଦା ନେଇ ପାରିବେ । ଯଦି କାହାପାଖରେ ଏଭଳି ନୋଟ ରହିଯାଇଛି ତାକୁ ବଦଳାଇ ଦେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ତେବେ ଏବେ ମଧ୍ୟ ୮ ହଜାର କୋଟିରୁ ଊଦ୍ଧ୍ୱର୍ ମୂଲ୍ୟ ପରିବର୍ତ୍ତନ କରିବାକୁ କାହିଁକି କେହି ଆସୁନାହିଁ ତାକୁ ନେଇ ଚର୍ଚ୍ଚା ହେଉଛି । ଗତ କିଛି ମାସ ତଳେ ବ୍ୟାଙ୍କରେ ନୋଟ ଜମା ଅବଧି ଶେଷ ହେବା ପରେ ଲୋକେ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକରେ ଲମ୍ବା ଲାଇନରେ ଛିଡା ହେଉଥିବା ଦେଖାଯାଇଥିଲା । ଏମିତିକି ପାରିଶ୍ରମିକ ଦେଇ ଲୋକମାନେ ନିଜ କଳା ଟଙ୍କା ବଦଳାଉଥିବା ଅଭିଯୋଗ ଆସିଥିଲା । ତେବେ ଯେଉଁ ଲୋକ ରିଜର୍ଭ ବ୍ୟାଙ୍କ ଆସୁଛନ୍ତି ନିୟମ ଅନୁସାରେ ତାଙ୍କୁ ନୋଟ ବଦଳର ସୁଯୋଗ ଦିଆଯାଉଥିବା ଆର୍‌ବିଆଇ ସ୍ପଷ୍ଟ କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.