ଭୁବନେଶ୍ୱର, ୬।୯: ସାଇବର ଲୁଟେରା ସାରା ରାଜ୍ୟରେ ଆତଙ୍କ ଖେଳାଇଛନ୍ତି । ଏହି ଅଦୃଶ୍ୟ ଲୁଟେରା ପାଇଁ ଲୋକେ ତ୍ରାହି ତ୍ରାହି ଡାକିଲେଣି । ସାଇବର ଅପରାଧର ଶିକାର ହୋଇ ଲୋକେ ଅଭିଯୋଗ କରିବାକୁ ଗଲେ ଥାନାରୁ ସହଯୋଗ ମିଳୁନି । ଏହାକୁ ନଜରରେ ରଖି କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ଏକ କଲ୍ ସେଣ୍ଟର ଖୋଲାଯାଇଛି । କେହି ସାଇବର ଅପରାଧର ଶିକାର ହେଲେ ଥାନାକୁ ନ ଯାଇ ସେମାନେ ୧୯୩୦କୁ ଫୋନ୍ କରି ନିଜର ଅଭିଯୋଗ ଜଣାଇପାରିବେ ବୋଲି ଡିଜିପି ସୁନିଲ ବଂଶଲ ସୂଚନା ଦେଇଛନ୍ତି । ଏହି କଲ୍ ସେଣ୍ଟର ଭୁବନେଶ୍ୱର କେଶରୀନଗରରେ ଥିବା ସାଇବର କମ୍ପେ୍ଲକ୍ସରେ ଆରମ୍ଭ ହୋଇଛି । ଯାହାକୁ ମଙ୍ଗଳବାର ଉଦ୍ଘାଟନ କରିଛନ୍ତି ଡିଜିପି ଶ୍ରୀ ବଂଶଲ । ଏହି କଲ୍ ସେଣ୍ଟର ୨୪ ଘଣ୍ଟା ଖୋଲା ରହିବ । ୧୦ଟି ଫୋନ୍ ଲାଇନ୍ ରହିଛି । ୮ ଘଣ୍ଟା ଲେଖାଏଁ ୩ ସିଫ୍ଟ ଫୋନ୍ ଉଠାଇବେ ୩୦ କନ୍ଷ୍ଟେବଳ । ଏମାନଙ୍କ ସହ ଅଫିସରମାନେ ମଧ୍ୟ ରହିବେ । ତା’ଛଡା ତୃଣମୂଳସ୍ତରରେ ସାଇବର ଅପରାଧ ବିରୋଧି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ସାଇବର ଅପରାଧ ଉପରେ ଖୁବ୍ ଶୀଘ୍ର ସାରା ରାଜ୍ୟରେ ସଚେତନତା ରଥ ବୁଲିବ ।
ବିଶେଷକରି ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଆଶା ଓ ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ଉକ୍ତ ଅଭିଯାନରେ ସବୁବର୍ଗକୁ ସାମିଲ କରିବାକୁ କ୍ରାଇମ୍ବ୍ରାଞ୍ଚ ଲକ୍ଷ୍ୟ ରଖିଛି । ସଚେତନତା ରଥ ରାଜ୍ୟର ପ୍ରତି ଥାନାକୁ ଗସ୍ତ କରି ଭିଡ଼ିଓ ଅଡ଼ିଓ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବ । ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରର କାନ୍ଥରେ ପେଣ୍ଟିଂ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ଏପରିକି ବିଦ୍ୟାଳୟସ୍ତରରେ ଅଭିଭାବକଶିକ୍ଷକ ମାନଙ୍କ ବୈଠକରେ ସାଇବର କ୍ରାଇମ ପ୍ରତି ସଚେତନ ରହିବାକୁ ଆଲୋଚନା ହେବ । ଅର୍ଥ ନେଣଦେଣ ପୂର୍ବରୁ ସତ୍ୟତା ଯାଞ୍ଚ କରିବା । ଅଜଣା ବ୍ୟକ୍ତିଙ୍କ ସହ ଅନାବଶ୍ୟକ ବନ୍ଧୁତା ନକରିବା । ଅଜଣା ଏସ୍ଏମ୍ଏସ୍, ଲିଙ୍କ କିମ୍ୱା ସନ୍ଦେହାତ୍ମକ ଆପ୍ ଡାଉନଲୋଡ ନକରିବା ଉପରେ ମୁଖ୍ୟତଃ ସଚେତନତା ସୃଷ୍ଟି କରିବା ନେଇ ବୈଠକରେ ଆଲୋଚନା ହୋଇଛି । ସବୁଠାରୁ ବଡ଼ କଥା ହେଲା, ଯଦି କୌଣସି ବ୍ୟକ୍ତି ବାରମ୍ବାର ଫୋନ୍ କରି ହଇରାଣ କରୁଛି କିମ୍ବା ବ୍ଲାକ୍ମେଲିଂ କରୁଛି । ତେବେ ମଧ୍ୟ ୧୯୩୦କୁ ଫୋନ୍ କରି ଜଣାଇପାରିବେ । ସେ ନମ୍ବର ଯଦି ବିଭିନ୍ନ ଲୋକଙ୍କୁ ଏମିତି ହଇରାଣ କରୁଥିବ ତା’ହେଲେ ସେ ସିମ୍ ଓ ଫୋନ୍ (ଆଇଏମ୍ଇଆଇ) ବ୍ଲକ୍ କରାଯିବ । ସଚେତନତା ଉଭୟ ଅନଲାଇନ ଏବଂ ଅଫ୍ଲାଇନରେ ଅଭିଯାନ ଯାରି ରହିବ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ନିୟମିତ ଭାବେ ସାଇବର ଅପରାଧ ନିୟନ୍ତ୍ରଣ ଜନିତ ବାର୍ତ୍ତା ପ୍ରଦାନ କରାଯିବ । ଏଥି ନିମନ୍ତେ ବିଭିନ୍ନ ଆଲୋଚନାଚକ୍ରର ମଧ୍ୟ ଆୟୋଜନ କରାଯିବ । "ସଚେତନ ରହିବା ଏବଂ ସୁରକ୍ଷିତ ରହିବାସାଇବର ଅପରାଧ ମୁକ୍ତ ଓଡ଼ିଶା' ଉପରେ ରୋଡ ରନ, ସାଇକ୍ଲୋଥନ, ଶୋଭାଯାତ୍ରା, ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ବକୃତା, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା ମଧ୍ୟ କରାଯିବ । ଏଭଳି ଅଭିଯାନ ଆରମ୍ଭ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ।
୨୦୨୧ରେ ୫୨,୯୭୫ ସାଇବର ଅପରାଧ ଜନିତ ମାମଲା ପଞ୍ଜିକୃତ ହୋଇଥିଲା । ଯାହା ପୂର୍ବ ବର୍ଷ ଅପେକ୍ଷା ୫.୯ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିଭଳି ଓଡ଼ିଶାରେ ୨୦୧୯ରେ ୧୪୮୫ଟି, ୨୦୨୦ରେ ୧୯୩୧ ଏବଂ ୨୦୨୧ରେ ୨୦୩୭ଟି ମାମଲା ରୁଜୁ ହୋଇଛି । ସାଇବର ହେଲ୍ପ ଡେସ୍କ ମାଧ୍ୟମରେ ରାଜ୍ୟରେ ୨୦୨୧ରେ ୩୪୦୨ଟି ଓ ୨୦୨୨ରେ ୭୭୦୦ଟି ଅଭିଯୋଗ ଗ୍ରହଣ କରାଯାଇଛି । ୨୦୨୩ ଜୁଲାଇ ମଧ୍ୟରେ ସାଢ଼େ ୩ ହଜାର ଅଭିଯୋଗ ଆସିଛି ।