ଭୁବନେଶ୍ୱର,୦୫/୦୯(ମନୋରଞ୍ଜନ ମହାନ୍ତି): ଗ୍ରନ୍ଥାଗାରିକ କି ସହାୟକ କି ପରିଚାରକ, କେହି ନାହାନ୍ତି । ପାଠାଗାର ଓଳାଇବାକୁ ଝାଡ଼ୁଦାର କି ଜଗିବାକୁ ଜଗୁଆଳି ନାହାନ୍ତି । ଇଏ ହେଉଛି ରାଜ୍ୟର ସରକାରୀ ପାଠାଗାରଗୁଡିକର ଅବସ୍ଥା ଯେଉଁଠି ଦୀର୍ଘ ଦିନ ଧରି ବିନା କର୍ମଚାରୀରେ ପାଠାଗାରଗୁଡ଼ିକ ଚାଲିଛି । ତେବେ ସରକାର କହୁଛନ୍ତି ଏହି ପାଠାଗାରଗୁଡିକ ପୂରା ଦମ୍ରେ ଚାଲୁଛି ।
ରାଜ୍ୟର ୨୯ଟି ସାର୍ବଜନୀନ ପାଠାଗାର ରହିଛି । ସେଥିରେ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ରହିଛି ୬୮ । ଦୁର୍ଭାଗ୍ୟକୁ ୬୮ରୁ ୬୧ଟି ପଦବି ଖାଲି ପଡ଼ିଛି ଯେଉଁଥିରେ ଗ୍ରନ୍ଥାଗାର ସହାୟକ, ଗ୍ରନ୍ଥାଗାର ପରିଚାରକ, ଝାଡ଼ୁଦାର ତଥା ଜଗୁଆଳି ଭଳି ବିଭିନ୍ନ ପଦବି ରହିଛି । ବାକି ୭ଟି ପାଠାଗାରରେ ଗ୍ରନ୍ଥାଗାର ସହାୟକ ଓ ଗ୍ରନ୍ଥାଗାର ପରିଚାରକ ପଦବିରେ ଜଣେ ଲେଖାଏଁ କର୍ମଚାରୀ ରହିଛନ୍ତି । ଏମାନଙ୍କ କାନ୍ଧରେ କେଉଁଠି ଜିଲ୍ଲା ପାଠାଗାର ଚାଲୁଛି ତ ଆଉ କେଉଁଠି ସମନ୍ୱିତ ପାଠାଗାର ।
ଏହି ଅଜବ ପରିସ୍ଥିତିକୁ ଦେଖିଲେ ଲାଗୁଛି, ସତେ ଯେମିତି ବହି ନିଜେ ପାଠାଗାରକୁ ଜଗିଛି । ପାଠାଗାରଗୁଡିକରେ ଖାଲି ଥିବା ପଦବି ବିଷୟରେ ଗତ ଅଗଷ୍ଟ ୨୩ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି । ମାତ୍ର ଏହିସବୁ ପଦବି କେବେ ପୂରଣ ହେବ ଏବଂ ଆବଶ୍ୟକ ସଂଖ୍ୟକ କର୍ମଚାରୀ କେବେ ନିଯୁକ୍ତି ପାଇବେ ତା’ର ନିର୍ଦ୍ଦିଷ୍ଟ ସୂଚନା ସେ ଦେଇନାହାନ୍ତି ।
ସରକାରୀ ତଥ୍ୟ ମୁତାବକ, ରାଜ୍ୟରେ ୨୯ଟି ସାର୍ବଜନୀନ ପାଠାଗାର ମଧ୍ୟରେ ରହିଛି, ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ୧୯ଟି ଜିଲ୍ଲା ପାଠାଗାର, ଗୋଟିଏ ଉପଖଣ୍ଡ ପାଠାଗାର, ୬ଟି ସମନ୍ୱିତ ପାଠାଗାର ଓ ୨ଟି ସ୍ମାରକୀ ପାଠାଗାର । ପ୍ରତି ଜିଲ୍ଲା ପାଠାଗାରରେ ୨ରୁ ୩ଟି ପଦବି ମଞ୍ଜୁର ହୋଇଛି । ତେବେ ୧୯ଟିରୁ ୧୧ଟି ଜିଲ୍ଲା ପାଠାଗାରରେ ଗ୍ରନ୍ଥାଗାର ସହାୟକ, ପରିଚାରକ, ଝାଡ଼ୁଦାର ଓ ଜଗୁଆଳି କେହି ନାହାନ୍ତି । ସେସବୁ ଅନୁଷ୍ଠାନ ଭଗବାନଙ୍କ ଭରସାରେ ଚାଲିଛି । ଉକ୍ତ ଜିଲ୍ଲା ପାଠାଗାର ଗୁଡ଼ିକ ହେଉଛି³ ବଲାଙ୍ଗୀର, ବାଲେଶ୍ୱର, କୋରାପୁଟ, କଟକ, ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ, ପୁରୀ ଓ କଳାହାଣ୍ଡି । ବାକି ୪ ଜିଲ୍ଲା ପାଠାଗାରରେ ଜଣେ ଲେଖାଏଁ କର୍ମଚାରୀ ରହିଛନ୍ତି ଯାହାଙ୍କ କାର୍ଯ୍ୟକାଳ ୨୦୨୬ ପରେ ଖାଲି ହେବାକୁ ଯାଉଛି । ଏହି ୪ ଜିଲ୍ଲା ପାଠାଗାର ମଧ୍ୟରୁ ରାୟଗଡ଼ା ଓ ସୁନ୍ଦରଗଡ଼ରେ ୩ଟି ଲେଖାଏଁ ପଦବି ମଧ୍ୟରୁ ଉଭୟ ସ୍ଥାନରେ କେବଳ ଜଣେ ଲେଖାଏଁ ଗ୍ରନ୍ଥାଗାର ସହାୟକ ରହିଛନ୍ତି ।
ସେହିପରି କେନ୍ଦୁଝର ଓ ଗଞ୍ଜାମରେ ୩ଟି ଲେଖାଏଁ ପଦବି ମଧ୍ୟରୁ ଉଭୟ ସ୍ଥାନରେ କେବଳ ଜଣେ ଲେଖାଏଁ ଗ୍ରନ୍ଥାଗାର ପରିଚାରକ କାମ କରୁଛନ୍ତି । ନୂଆପଡ଼ା ଜିଲ୍ଲା ପାଠାଗାରରେ ୨ ପଦବିରୁ ଜଣେ ଗ୍ରନ୍ଥାଗାର ସହାୟକ ରହିଛନ୍ତି । ୨୦୨୫ରେ ସେ ସ୍ଥାନ ଖାଲି ହେବ । ସେଠି ଏବେ ଗୋଟିଏ ଝାଡ଼ୁଦାର ଓ ଜଗୁଆଳି ପଦବି ଖାଲି ଅଛି । ସେହିପରି ଅନୁଗୁଳ ଜିଲ୍ଲା ପାଠାଗାରରେ ଜଣେ ଗ୍ରନ୍ଥାଗାରିକ ଓ ୨ ପରିଚାରକଙ୍କ ମଧ୍ୟରୁ ମାତ୍ର ଜଣେ ପରିଚାରକ କାମ କରୁଛନ୍ତି । ଗୋଟିଏ ପଦବି ୨୦୨୪ ପୂର୍ବରୁ ଫାଙ୍କା ପଡ଼ିଥିଲା ବେଳେ ଆଉ ଗୋଟିଏ ୨୦୨୬ରେ ଖାଲି ହେବ । ଏହା ଛଡ଼ା ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲା ପାଠାଗାର ପାଇଁ କୌଣସି ପଦବି ମଞ୍ଜୁର ହୋଇନାହିଁ ।
ସେହିପରି ମୟୂରଭଞ୍ଜର ରାଇରଙ୍ଗପୁରରେ ଥିବା ଏକମାତ୍ର ଜିଲ୍ଲା ଉପଖଣ୍ଡ ପାଠାଗାରରେ ଗ୍ରନ୍ଥାଗାର ସହାୟକ ଓ ଝାଡ଼ୁଦାର ତଥା ଜଗୁଆଳି ଆଦି ପଦବି ଖାଲିପଡ଼ିଛି । ଏଥିସହ ଗଞ୍ଜାମର ୬ଟି ସ୍ଥାନରେ ସମନ୍ୱିତ ପାଠାଗାର ରହିଛି । କବିସୂର୍ଯ୍ୟନଗରର କନକ ମଞ୍ଜରୀ, ବାଲିପଦର ରଘୁନାଥ, ତନରଡ଼ାର ଉପେନ୍ଦ୍ରଭଞ୍ଜ, ଚିକିଟିର ଅଖଣ୍ଡ, ଖଲ୍ଲିକୋଟର ସାର୍ବଜୀନନ ଓ ରମ୍ଭାର ଜୟକୃଷ୍ଣ ପାଠାଗାର । ଏଥିରୁ ୫ଟିରେ କେହି କର୍ମଚାରୀ ନାହାନ୍ତି । ପ୍ରତି ପାଠାଗାରରେ ଗୋଟିଏ ଲେଖାଏଁ ଗ୍ରନ୍ଥାଗାର ସହାୟକ ଓ ପରିଚାରକ ପଦବି ରହିଛି । ତେବେ ୬ଟି ସ୍ଥାନରେ ମୋଟ ୧୨ଟି ପଦବିରୁ ୧୧ଟି ଖାଲି । କେବଳ ଖଲ୍ଲିକୋଟରେ ଗ୍ରନ୍ଥାଗାର, ଜଣେ ପରିଚାରକ ଅଛନ୍ତି । ସେ ପଦବି ବି ୨୦୨୬ରେ ଖାଲି ହେବାକୁ ଯାଉଛି । ଏହାଛଡ଼ା ୨ଟି ସ୍ମାରକୀ ପାଠାଗାରରେ ୪ଟି ପଦବି ଖାଲିପଡ଼ିଛି । ବରଗଡ଼ର ବରପାଲି ଗଙ୍ଗାଧର ମେହେର ସ୍ମାରକୀ ପାଠାଗାର ଓ ପୁରୀର ସାକ୍ଷୀଗୋପାଳ ପଞ୍ଚସଖା ସ୍ମାରକୀ ପାଠାଗାରରେ ତତ୍ତ୍ୱାବଧାରକ ତଥା ଗ୍ରନ୍ଥାଗାରିକ ଓ ଝାଡ଼ୁଦାର ତଥା ଜଗୁଆଳି ପଦବି ଖାଲିପଡ଼ିଛି । ଏହିଭଳି ରାଜ୍ୟର ବିଭିନ୍ନ ପାଠାଗାରରେ ସରକାରୀ ମଞ୍ଜୁରିପ୍ରାପ୍ତ ୬୧ଟି ପଦବି ଖାଲି ପଡ଼ିଛି ।
ପାଠାଗାର ନିର୍ଦ୍ଦେଶାଳୟ ସୃଷ୍ଟି ହୋଇଛି, ପଦବି ପୂରଣ ହେବ: ମନ୍ତ୍ରୀ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ୨୦୨୩ ମସିହା ଅକ୍ଟୋବର ୨୫ରେ ସଂସ୍କୃତି ବିଭାଗ ସଂକଳ୍ପ ସଂଖ୍ୟା ୫୪୭୨ ଅନୁସାରେ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶାଳୟ ସୃଷ୍ଟି ହୋଇସାରିଛି । ଏହି ସଂକଳ୍ପ ଅନୁସାରେ ଗ୍ରନ୍ଥାଗାର ସହାୟକ ପଦବିଟି ଆଉ ପୂରଣ କରାଯିବ ନାହିଁ । ପ୍ରତି ଜିଲ୍ଲାର ସହାୟକ ଗ୍ରନ୍ଥାଗାରିକ ପଦବି ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ ହେବ । ଉକ୍ତ ସଂକଳ୍ପର କ୍ରମିକ ସଂଖ୍ୟା ୪ ଅନୁସାରେ ଗ୍ରନ୍ଥାଗାରିକ ପଦବି ଓ ଉକ୍ତ ପଦବିର ପରବର୍ତ୍ତୀ ପଦବିଗୁଡ଼ିକ (ଯାହାକି ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ) ପାଇଁ ଆବଶ୍ୟକ ସଂବର୍ଗ ନିୟମାବଳୀ (କ୍ୟାଡର୍ ରୁଲ୍) ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପରାମର୍ଶ ଅନୁସାରେ ପ୍ରସ୍ତୁତ କରାଯିବ ଯାହାକି ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ଅଛି । ଉକ୍ତ ନିୟମାବଳୀ ପ୍ରଣୟନ ହେଲା ପରେ ଗ୍ରନ୍ଥାଗାରିକ ପଦବିଗୁଡ଼ିକ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ପୁନଶ୍ଚ ଅନ୍ୟ ପଦବିଗୁଡ଼ିକ ପୂରଣ ପାଇଁ ଅର୍ଥ ବିଭାଗର କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ପ୍ରାପ୍ତ ହେବା ପରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଓ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଜରିଆରେ ପୂରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।