ଭୁବନେଶ୍ୱର,୨୯/୦୮: ଖୁବ୍ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ଇଞ୍ଜିନିୟରିଂ ତୃତୀୟ ଓ ଚତୁର୍ଥ ବର୍ଷ ପାଠ୍ୟପୁସ୍ତକ । ଏନେଇ କାମ ଚାଲିଛି । କୃତ୍ରିମ ବୁଦ୍ଧିମତା (ଏଆଇ) ଅନୁଦାନ ଟୁଲ୍ ସାହାଯ୍ୟରେ ପାଠ୍ୟପୁସ୍ତକ ଗୁଡ଼ିକର ଅନୁଦାନ କରାଯାଉଛି । ଇଞ୍ଜିନିୟରିଂର ପ୍ରଥମରୁ ଚତୁର୍ଥ ବର୍ଷ ଯାଏ ଏବଂ ଡିପ୍ଲୋମା ପ୍ରଥମରୁ ତୃତୀୟ ବର୍ଷ ଯାଏ ପାଠ୍ୟପୁସ୍ତକ ଓଡ଼ିଆରେ ଉପଲବ୍ଧ ହେବ । ୫ଟି ଷ୍ଟ୍ରିମ୍ରେ ଏହା ମିଳିବ ବୋଲି ଏଆଇସିଟିଇ ଅଧ୍ୟକ୍ଷ ଟିଜି ସୀତାରାମ ସୂଚନା ଦେଇଛନ୍ତି ।
ସୀତାରାମ କହିଛନ୍ତି, ଓଡ଼ିଆରେ ଅନୁବାଦ ହୋଇଥିବା ପାଠ୍ୟପୁସ୍ତକ ଗୁଡ଼ିକ ଡିଜିଟାଲ୍ରେ ଉପଲବ୍ଧ ହେଉଛି । ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଏବେ ବଜାରରେ ମିଳୁଛି । ଏଆଇସିଟିଇ ପକ୍ଷରୁ ୧୦୦୦ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ବିଭିନ୍ନ କଲେଜକୁ ପ୍ରଦାନ କରାଯାଇଛି । ଦେଶର ୧୩ଟି ଭାଷାରେ ଇଞ୍ଜିନିୟରିଂ ଓ ଡିପ୍ଲୋମା ପାଠ୍ୟପୁସ୍ତକ ଅନୁବାଦ ହୋଇଛି ।
ସୂଚନାଯୋଗ୍ୟ ୪ ବର୍ଷିଆ ବିଟେକ୍ ପାଠ୍ୟକ୍ରମର ସମସ୍ତ ପାଠ୍ୟପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ । ଏନେଇ ଏଆଇସିଟିଇର ଅନୁମୋଦନ ରହିଛି । ପ୍ରଥମ ବର୍ଷ ବିଟେକ୍ ପାଠ୍ୟକ୍ରମର ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ଶେଷ ହୋଇଛି । ଦ୍ୱିତୀୟ ବର୍ଷର ପାଠ୍ୟପୁସ୍ତକ ଅନୁବାଦ କାର୍ଯ୍ୟ ଜାରି ରହିଛି । ଆଇଓଏସ୍ଆର୍ ସଦସ୍ୟ ସଚିବ ସୁବ୍ରତ ପୃଷ୍ଟି କହିଛନ୍ତି, ପ୍ରଥମ ବର୍ଷର ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇ ଏହାକୁ ଗତ ୨୦୨୨ ନଭେମ୍ବର ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଲୋକାର୍ପିତ କରାଯାଇଛି । ବର୍ତ୍ତମାନ ଦ୍ୱିତୀୟ ବର୍ଷ ପାଠ୍ୟପୁସ୍ତକର ଅନୁବାଦ କାର୍ଯ୍ୟ ଚାଲିଛି । ୮୮ଟି ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ କରାଯିବ । ୪୬ଟି ଡିପ୍ଲୋମା ଓ ୪୨ଟି ଡିଗ୍ରୀ ଇଞ୍ଜିନିୟରିଂର ଅନୁବାଦ ହେବ ।
ଏଆଇସିଟିଇ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୬୨ଟି ପାଠ୍ୟପୁସ୍ତକକୁ ଅନୁବାଦ କରିବାକୁ ଆଇଓଏସ୍ଆର୍କୁ ଦିଆଯାଇଛି । ଏଥିରୁ ୨୩ଟି ପୁସ୍ତକର ଅନୁବାଦ ହୋଇ ପ୍ରିଣ୍ଟ୍ ମଧ୍ୟ ଶେଷ ହୋଇଛି । ଅବଶିଷ୍ଟ ପୁସ୍ତକର ଅନୁବାଦ ସହ ଛପା କାର୍ଯ୍ୟ ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ । ଦ୍ୱିତୀୟ ବର୍ଷର ସମସ୍ତ ୮୮ଟି ପୁସ୍ତକକୁ ଜାନୁଆରୀ ମାସ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏସମସ୍ତ ପୁସ୍ତକକୁ ଏଆଇସିଟିଇର ଇକୁମ୍ବ ୱେବ୍ସାଇଟ୍ରେ ଅପଲୋଡ୍ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରଥମ ବର୍ଷର ୨୦ଟି ବିଟେକ୍ ଓ ଡିପ୍ଲୋମା ପାଠ୍ୟପୁସ୍ତକକୁ ଅପଲୋଡ୍ କରାଯାଇଛି ।