ଫୁଲବାଣୀ, ୨୧/୧୧ : ନିଆଁ ପୋଉଁଥିବା ବେଳେ ପୋଡ଼ି ହୋଇ ବୃଦ୍ଧାଙ୍କ ମୃତ୍ୟୁ। ରାଇକିଆ ଥାନା ଅଞ୍ଚଳରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କର ନିଆଁ ପୋଉଁଥିବା ବେଳେ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ମଣ୍ଡାସରୁ ପଞ୍ଚାୟତ କିଲାକିଆ ଗ୍ରାମର ରମନ୍ତୀ ପ୍ରଧାନ।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ପ୍ରବଳ ଥଣ୍ଡା ଅନୁଭୂତ ହେବାରୁ ରମନ୍ତୀ ଘର ଭିତରେ ନିଆଁ ପୋଉଁଥିଲେ। ତେବେ ଅସାବଧାନତା ବଶତଃ ତାଙ୍କ ଶାଢୀରେ ନିଆଁ ଲାଗି ଯାଇଥିଲା। ଘରଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ସମ୍ଭବ ନହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଫୁଲବାଣୀ ଟାଉନ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।