ସୋର, ୦୩/୧୧ : ଭିଡିଓ ଉତ୍ତୋଳନକୁ ନେଇ ରକ୍ତମୁଖା ହେଲେ ଯୁବତୀ। ପଡୋଶୀ ମହିଳାଙ୍କୁ କୁରାଢୀରେ ମାରିଲେ ଚୋଟ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଘିରାପଦା ପଞ୍ଚାୟତ ମହୁଲଗଢିଆ ଗ୍ରାମରେ ଏଭଳି ଘଟଣା ଘଟିଛି। ପଡୋଶୀ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଔପଦା ଥାନା ମହୁଲଗଢିଆ ଗ୍ରାମର ଅନ୍ତନ ମହାରଣାଙ୍କ ଝିଅ ବନିତା ଘରୋଇ କଳହକୁ ନେଇ ପୋଡ଼ାଶୀ ରବୀନ୍ଦ୍ର ମହାରଣାଙ୍କ ପତ୍ନୀ ସଞ୍ଜୁଲତା ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ବନିତା ପଡୋଶୀ ସଞ୍ଜୁଲତା ମହାରଣାଙ୍କ ସହ କଳି କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲେ। ଏତିକି ବେଳେ ସଞ୍ଜୁଲତା ଏହାର ପ୍ରମାଣ ରଖିବା ପାଇଁ ଭିଡିଓ ଉତ୍ତୋଳନ କରୁଥିଲେ। ଏଥିରେ ଉତ୍ୟକ୍ତ ହୋଇ ବନିତା ଏକ କୁରାଢୀରେ ସଞ୍ଜୁଲତାଙ୍କୁ ଚୋଟ ପରେ ଚୋଟ ମାରିଥିଲେ। ଫଳରେ ସଞ୍ଜୁଲତାଙ୍କ ୪ ଟି ସ୍ଥାନରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଔପଦା ପ୍ରାଥମିକ ଚିକିତ୍ସାଳୟରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଆହତଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଛି।