ନୂଆଦିଲ୍ଲୀ,୦୪/୧୧: ଶୁକ୍ରବାର ରାତି ୧୧.୪୭୦ରେ, ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତ ପ୍ରବଳ ଭୂକମ୍ପରେ କମ୍ପିତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୬.୪ ଏବଂ ଏହାର କେନ୍ଦ୍ରସ୍ଥଳ ଥିଲା ନେପାଳର ଜଜାରକୋଟ। ଭୂକମ୍ପର କମ୍ପନ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ପଳାଇ ଯାଇଥିଲେ। ୬.୪ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା। ଗତ କିଛି ମାସ ମଧ୍ୟରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଅନେକ ଭୂକମ୍ପ ଅନୁଭୂତ ହୋଇଛି। ହେଲେ କାହିଁକି ସବୁବେଳେ ଭୂକମ୍ପରେ ଥରୁଛି ଉତ୍ତରଭାରତ, ଆସନ୍ତୁ ଜାଣିବା...
ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଉତ୍ତର ଭାରତର ଭୂମି କାହିଁକି ବାରମ୍ବାର ପ୍ରକମ୍ପିତ ହୁଏ ଏବଂ ଏଠାରେ ଏତେମାତ୍ରାରେ ଭୂକମ୍ପ କାହିଁକି ଅନୁଭୂତ ହୁଏ? ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ-ଏନସିଆର ଏବଂ ସମଗ୍ର ଉତ୍ତର ଭାରତରେ ବାରମ୍ବାର ଭୂକମ୍ପ ଘଟୁଛି କାରଣ ଏହା ଜୋନ୍-୪ ଅଧିନରେ ଆସିଥାଏ। ଉଭୟ ଜୋନ୍-୪ ଓ ଜୋନ୍-୫ ରେ ଭୂକମ୍ପ ହେବାର ଆଶଙ୍କା ସର୍ବାଧିକ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ଭାରତରୁ ଉତ୍ତର-ପୂର୍ବ ଭାରତ ପର୍ଯ୍ୟନ୍ତ ପରିବ୍ୟାପ୍ତ ହିମାଳୟ ଅଞ୍ଚଳରେ ଦୁଇଟି ବିଶାଳ ଟେକ୍ଟୋନିକ୍ ପ୍ଲେଟ ସୀମାରେ ଥିବା ହେତୁ ବାରମ୍ବାର ଭୂକମ୍ପ ଘଟିଥାଏ। ଏହି ପ୍ଲେଟଗୁଡିକ ଧକ୍କା ହେବା ଯୋଗୁ ଉଭୟ ଭାରତ ଏବଂ ନେପାଳରେ ଭୂକମ୍ପ ସୃଷ୍ଟି ହୁଏ। ଯେତେବେଳେ ନେପାଳ ଏବଂ ହିମାଳୟ ଅଞ୍ଚଳରେ ଭୂକମ୍ପ ହୁଏ, ଦିଲ୍ଲୀ ଏବଂ ଉତ୍ତର ଭାରତକୁ ଏହାର ସାମ୍ନା କରିବାକୁ ପଡ଼ୁଛି।
୪ଟି ଜୋନ୍ରେ ବିଭକ୍ତ ହୋଇଛି ଭାରତ:
ଭାରତ ଚାରୋଟି ଭୂକମ୍ପୀୟ ଜୋନ୍ ବିଭକ୍ତ। ସେଗୁଡ଼ିକ ହେଲା, ଜୋନ୍-୨, ଜୋନ୍ -୩, ଜୋନ୍- ୪ ଏବଂ ଜୋନ୍-୫। ସୂଚନାଥାଉକି, ଜୋନ୍-୫ ରେ ପୂର୍ବୋତ୍ତର ଭାରତର ଏକ ଅଂଶ ସାମିଲ ଅଟେ। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟର କଚ୍ ଅଞ୍ଚଳ, ଉତ୍ତର ବିହାରର କିଛି ଅଂଶ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶ ଏହି ଜୋନ୍ ଅନ୍ତର୍ଗତ। ଏଠାରେ ଭୂକମ୍ପ ହେବାର ଆଶଙ୍କା ଅଧିକ ରହିଥାଏ। ସେହିପରି ଯଦି ଆମେ ଜୋନ୍-୪ କଥା କହିବା, ତେବେ ଏହି ଜୋନ୍ରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର, ଲଦାଖ, ସିକ୍କିମ୍, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର କିଛି ଅଂଶ ଅନ୍ତର୍ଭୁକ୍ତ।
କାହିଁକି ଏବଂ କିପରି ଆସୁଛି ଭୂକମ୍ପ?
ଭୂପୃଷ୍ଠରେ ପ୍ଲେଟଗୁଡିକର ଧକ୍କା ହେବା କାରଣରୁ ଭୂକମ୍ପ ଘଟିଥାଏ। ଭୂବିଜ୍ଞାନ ବିଶେଷଜ୍ଞମାନେ କହିଛନ୍ତି ଯେ, ଆମ ପୃଥିବୀ ୧୨ ଟେକ୍ଟୋନିକ୍ ପ୍ଲେଟରେ ଅବସ୍ଥିତ। ଏହି ପ୍ଲେଟଗୁଡିକ ଧକ୍କା ହେବା ଦ୍ବାରା ଯେଉଁ ଶକ୍ତି ସୃଷ୍ଟି ହୋଇ ପରିବ୍ୟାପ୍ତ ହୁଏ, ଏହାକୁ ଭୂମିକମ୍ପ କୁହାଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ପୃଥିବୀ ତଳେ ଥିବା ଏହି ପ୍ଲେଟଗୁଡିକ ଅତି ମନ୍ଥର ଗତିରେ ଘୂରି ଥାଏ। ପ୍ରତିବର୍ଷ ଏହି ପ୍ଲେଟଗୁଡିକ ସେମାନଙ୍କ ସ୍ଥାନରୁ ୪-୫ ମିଲିମିଟର ଘୁଞ୍ଚିଥାଏ। ଏହି ପ୍ରକ୍ରିୟା ଭିତରେ କିଛି ପ୍ଲେଟ୍ ଅନ୍ୟ ପ୍ଳେଟ ଠାରୁ ଦୂରେଇ ଯାଏ ତ ଆଉ କିଛି ପ୍ଳେଟ ଅନ୍ୟମାନଙ୍କ ତଳେ ରହିଯାଏ। ଏହି ସମୟରେ ପ୍ଲେଟ ପରଷ୍ପର ସହିତ ଧକ୍କା ହେବାରୁ ଭୂମିକମ୍ପ ହୋଇଥାଏ।
You can also read: ଚିନ୍ତାଜନକ ସ୍ଥିତିରେ ଦିଲ୍ଲୀର ପ୍ରଦୂଷଣ , ମୁଖ୍ୟମନ୍ତ୍ରୀଙ୍କ ସହ ଜରୁରୀ ମିଟିଂ ଡ଼ାକିଲେ ଉପ ରାଜ୍ୟପାଳ