ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଆଜିଠୁ ଓଡ଼ିଆ ଭାଷାର ବିଶାଳ ମହାକୁମ୍ଭ, ଲେଖିବ ନୂଆ ଇତିହାସ: ଦେବୀପ୍ରସନ୍ନ ପାଇବେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ

ଭୁବନେଶ୍ୱର,୦୩/୦୨: ନବୀନ ଓଡ଼ିଶାରେ ନୂଆ ଇତିହାସର ସଂରଚନା କରିବ ଓଡ଼ିଶା । ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଷା, ସାହିତ୍ୟ, ସଂସ୍କୃତିକୁ ନେଇ ଲେଖା ହେବ ନୂଆ ଇତିହାସ । ଯାହା ଯୁଗ ଯୁଗ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ । ଏହାର ମୂକସାକ୍ଷୀ ହେବ ସମଗ୍ର ବିଶ୍ୱ । ଐତିହ୍ୟ କ୍ୟାବିନେଟର ଏହି ଐତିହାସିକ ମୁହୂର୍ତ୍ତକୁ ଏବେ ସମସ୍ତଙ୍କ ଅପେକ୍ଷା । 

ଶନିବାର ଆରମ୍ଭ ହେଉଛି ଓଡ଼ିଆ ଭାଷାର ବିଶାଳ ମହାକୁମ୍ଭ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଦିନ ୧୧ଟାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀ ଆଲୋଚନାରୁ ଯେଉଁ ନିଷ୍କର୍ସ ବାହାରିବ ତାକୁ ନେଇ ସରକାର ନୂଆ ନୀତି ଆଣିବେ । ଅନେକ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାର ଚେୟାର ଓ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଆସିଥିବାବେଳେ ଶନିବାର ମୁଖ୍ୟମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି । ତାହା ଉପରେ ସମସ୍ତଙ୍କ ନଜର ରହିଛି । 

ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ଥନ । ଏହି ମହାକୁମ୍ଭର ମହାସଙ୍ଗମରେ ୫ ବିଦେଶୀ ଅତିଥିଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରର ଶତାଧିକ ଭାଷାବିତ୍‌, ଗବେଷକ, ସାହିତ୍ୟିକ, ବୁଦ୍ଧିଜୀବୀ ଯୋଗଦେବେ । ୧୩ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଡ଼ି ହେବେ । ବିଶ୍ୱବ୍ୟାପୀ ଓଡ଼ିଆଙ୍କୁ ଯୋଡ଼ିବାକୁ ସିଧା ପ୍ରସାରଣ କରାଯିବ । ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଭାଷାକୁ ନେଇ ନାନାଦି ଚର୍ଚ୍ଚା, ଆଲୋଚନା ହେବ । ସମ୍ମିଳନୀ ଉଦ୍‌ଘାଟନ ସମୟରେ ଏକ, ମନ, ଏକ ସ୍ୱର ଏବଂ ଏକ ପ୍ରାଣ ହୋଇ ‘ବନ୍ଦେ ଉତ୍କଳ ଜନନୀ...’ ଗାନ କରାଯିବ । ଏହା ମାଧ୍ୟମରେ ମାତୃଭୂମି, ମାତୃଭାଷା ପ୍ରତି ମମତା, ଅନୁରାଗ ଓ ଆକର୍ଷଣ ସୃଷ୍ଟି କରାଯିବ । ଏହି ଅବସରରେ ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ୱରୂପ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ । ପୁରସ୍କାର ବାବଦରେ ୨୦ ଲକ୍ଷ ଟଙ୍କା ଓ ମାନପତ୍ର ଦେଇ ଭାଷା ସମ୍ମିଳନୀ ମଞ୍ଚରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ । 

ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ୫ଜଣ  ବିଶିଷ୍ଟ କବିଙ୍କ ନାମରେ ନାମିତ କକ୍ଷରେ ୧୬ଟି ବୌଦ୍ଧିକ ଅଧିବେଶନ ହେବ । ଅନ୍ୟାନ୍ୟ ଆଲୋଚକଙ୍କ ସହ ପ୍ରମୁଖ ଆକର୍ଷଣ ଐତିହାସିକ ପଦ୍ମଶୀ ହର୍‌ମାନ୍‌ କୁଲ୍‌କେ, ପ୍ରଫେସର ଉୱେ ସ୍କୋଡ଼ା, ପ୍ରଫେସର ଆର୍ଲୋ ଗ୍ରିଫିଥ୍ସ, ପ୍ରଫେସର ମୌରିସିଓ ଡାମିଆନ୍‌ ଆଗୁଇଲେରା ଲିଣ୍ଡେ ଓ ପ୍ରଫେସର ଆନ୍ନେଟେ ସ୍କିମ୍‌ଡଚେନ୍‌ ସ୍ୱତନ୍ତ୍ର ଭାବେ ବକ୍ତବ୍ୟ ରଖିବେ । ଏହି ଅବସରରେ ବିଭିନ୍ନ ପୁରସ୍କାର ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକତାକୁ ନେଇ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । 

୪ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ମୋବାଇଲ୍‌ ଲାଇବ୍ରେରୀ, ମୋବାଇଲ୍‌ ବୁକ୍‌ଆର୍ଟ ପ୍ରଦର୍ଶିତ ହେବ । ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ବି ରହିଛି । ସମ୍ମିଳନୀର କେନ୍ଦ୍ରସ୍ଥଳୀରେ ଏକ ପୂର୍ଣ୍ଣାଙ୍ଗ କୋଣାର୍କ ଅଶ୍ୱ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ ରଖାଯିବ । ଓଡ଼ିଆ ଭର୍ଚୁଆଲ୍‌ ଏକାଡେମୀ ପ୍ରଦର୍ଶନ, ୱିକିପିଡ଼ିଆ ଏବଂ ଓଡ଼ିଆ ଫ୍ରଣ୍ଟ ସମ୍ପର୍କରେ ଆଲୋକପାତ କରାଯିବ । ଯେହେତୁ ଛାତ୍ରଛାତ୍ରୀଙ୍କୁ ନଜରରେ ରଖି କାର୍ଯ୍ୟକ୍ରମର ଆୟୋଜନ ହେଉଛି ଏଥିରେ ସାରା ଓଡ଼ିଶାର ୫ ହଜାର ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରୁ ଯୋଡ଼ିହେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.