କଟକ,୧୬/୧୧: କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ର (ଏଏଚ୍ଆର୍ସିସି) ନିର୍ଦ୍ଦେଶକ ପଦରେ ଜଣେ ବରିଷ୍ଠ ଡାକ୍ତରଙ୍କୁ ଗତ ଅଗଷ୍ଟରେ ନିଯୁକ୍ତି ଦେବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇ ନଥିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଏ ନେଇ ରୁଜୁ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ସ୍ୱାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ହାଜର ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁବାର ସକାଳ ସାଢ଼େ ୧୦ଟାରେ ଅଦାଲତରେ ଉପସ୍ଥିତ ହେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ କୁହାଯାଇଛି । ସମାଜସେବୀ ତଥା ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ, ଏଏଚ୍ଆର୍ସିସିର ନିର୍ଦ୍ଦେଶକ ହେବା ପାଇଁ ସରକାର ନିଜେ ଯେଉଁ ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି ତାହା ବର୍ତ୍ତମାନର ନିର୍ଦ୍ଦେଶକଙ୍କ ପାଖରେ ନାହିଁ । ଏହା ସତ୍ତେ୍ୱ ୨୦୧୫ରୁ ସେ ଏହି ପଦରେ ରହିଛନ୍ତି । ହାଇକୋର୍ଟ ଗତ ଅଗଷ୍ଟ ୩୧ରେ ନୂତନ ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟା ୨ମାସରେ ଶେଷ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟକୁ ଯାଇଥିଲେ । ସୁପ୍ରିମ୍କୋର୍ଟରେ ମାମଲା ଖାରଜ ହୋଇଥିଲା । ତଥାପି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ପଦରେ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ପୂର୍ବ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ବଢ଼ାଇ ଚାଲିଥିଲା । ଏନେଇ ଆବେଦନକାରୀ ହାଇକୋର୍ଟରେ ଏକ ଅଦାଲତ ଅବମାନନା ରୁଜୁ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁନୀଲକାନ୍ତ ନାୟକ ମାମଲା ପରିଚାଳନା କରୁଛନ୍ତି।