କଟକ,୦୯/୦୮: ଖୁବ୍ଶୀଘ୍ର ଓଡ଼ିଶା ପୁଲିସ୍ର କେ-୯ ସ୍କ୍ୱାଡ୍ରେ ସାମିଲ ହେବେ କର୍ଣ୍ଣାଟକରୁ ଆସୁଥିବା ମୁଢ଼ଲ ପ୍ରଜାତିର କୁକୁର । ଅପରାଧର ସୁରାକ୍ ଖୋଜି ବାହାର କରିବାରେ ଏହି ପ୍ରଜାତିର କୁକୁର ବିଚକ୍ଷଣ । ଯାହା ଏବେ ‘ମୁଢ଼ଲ ହାଉଣ୍ଡ୍’ ନାଁରେ ଦେଶରେ ପରିଚିତି ଓ ଖ୍ୟାତି ଅର୍ଜନ କରିଛନ୍ତି । ରାଜ୍ୟ ପୁଲିସ ପକ୍ଷରୁ ପଠାଯାଇଥିବା ଏଭଳି ତିନୋଟି ମୁଢ଼ଲ ହାଉଣ୍ଡ୍ ଏବେ ତାଲିମ ନେଉଛନ୍ତି । ଆଇଟିବିପି କ୍ୟାମ୍ପ୍ରେ ଚାଲିଛି ତାଲିମ । ଏହି ତିନୋଟି ଶ୍ୱାନ ମିଶିବା ପରେ ସ୍କ୍ୱାଡ୍ର ଶକ୍ତି ବଢ଼ିବ ।
କର୍ଣ୍ଣାଟକରେ ଥିବା ବର୍ତ୍ତମାନର ବଙ୍ଗଲାକୋଟ୍ ଜିଲ୍ଲାର ମୁଢ଼ଲ ଅଞ୍ଚଳରେ ମିଳୁଥିବା ସ୍ୱତନ୍ତ୍ର ପ୍ରଜାତିର ଏହି କୁକୁରଙ୍କୁ ଏବେ ମୁଢ଼ଲ ହାଉଣ୍ଡ୍ ବୋଲି କୁହାଯାଉଛି । ଇଣ୍ଡିଆନ୍ ନ୍ୟାସ୍ନାଲ୍ କେନେଲ୍ କ୍ଲବ୍ ଏହି ପ୍ରଜାତିର କୁକୁରର ନାଁ ମୁଢ଼ଲ ହାଉଣ୍ଡ ରଖିଛି । ଏହି ପ୍ରଜାତିର କୁକୁର ଅପରାଧସ୍ଥଳରେ ସୁରାକ ଖୋଜି ବାହାର କରିବା, ଅପରାଧୀଙ୍କ ପାଖରେ ପହଞ୍ଚିବା, ସନ୍ଦିଗ୍ଧ ବସ୍ତୁ ଠାବ କରିବାରେ ଦକ୍ଷ । ୨୦୧୦ ପରଠୁ ଏହି ପ୍ରଜାତିର କୁକୁରଙ୍କୁ ଦେଶ ତମାମ୍ ବିଭିନ୍ନ ସରକାରୀ ଏଜେନ୍ସି ନିଜ ସହିତ ଯୋଡ଼ିବା ଆରମ୍ଭ କରିଛନ୍ତି । ପତଳା, ଲମ୍ବା ଶରୀର ଓ ଲମ୍ବା ମୁହଁ ଥିବା ଏହି ସନ୍ଧାନୀ କୁକୁର ଏବେ ଦେଶର ସ୍ଥଳସେନା, ଏନ୍ଏସ୍ଜି, ସିଆଇଏସ୍ଏଫ୍ ଓ ଆଇଟିବିପି ଭଳି ପ୍ରତିଷ୍ଠିତ ସଂସ୍ଥାରେ ନିଜ ଦକ୍ଷତା ପ୍ରଦର୍ଶନ କରୁଛି । ଖାସ୍ କରି ଭିଭିଆଇପିଙ୍କ ଗସ୍ତ ଯେପରି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବେଳେ ମୁଢ଼ଲ ହାଉଣ୍ଡକୁ ସୁରକ୍ଷା ଦୃଷ୍ଟିରୁ ନିୟୋଜିତ କରାଯାଉଛି । ଆଉ ଏହି ଦକ୍ଷତାକୁ ରାଜ୍ୟ ପୁଲିସର କେ-୯ ସ୍କ୍ୱାଡ୍ରେ ସାମିଲ କରିବା ପାଇଁ ଏଡିଜି ଅରୁଣ ବୋଥ୍ରା ଓ ଆଇଜି ସଇଫିନ୍ ଅହମଦ୍ ଉଦ୍ୟମ କରିଥିଲେ ।
୪ ମାସ ପୂର୍ବେ କର୍ଣ୍ଣାଟକ ସରକାରଙ୍କ ସିଆର୍ ଆଣ୍ଡ ଆଇସି ଅନୁଷ୍ଠାନ ସହଯୋଗରେ ୩ଟି ମୁଢ଼ଲ ହାଉଣ୍ଡ ଅଣାଯାଇଥିଲା । ଯାହାର ବୟସ ପ୍ରାୟ ୩ରୁ ୪ ମାସ ହେବ । ଏହାପରେ ସେହି ୩ଟି ଶ୍ୱାନକୁ ଆଇଟିବିପି ଟ୍ରେନିଂ କ୍ୟାମ୍ପକୁ ପଠାଯାଇଛି । ସେଠାରେ ପ୍ରାୟ ୯ ମାସ ତାଲିମ ଦିଆଯିବା ପରେ ତିନୋଟି ମୁଢ଼ଲ ହାଉଣ୍ଡ ରାଜ୍ୟ ପୁଲିସର କେ-୯ ସ୍କ୍ୱାଡ୍ରେ ସାମିଲ ହେବେ ।
ଏମାନଙ୍କୁ ଭିଭିଆଇପିଙ୍କ କାର୍ଯ୍ୟକ୍ରମ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସମୟରେ, ଅପରାଧ ଅନୁସନ୍ଧାନରେ ନିୟୋଜିତ କରାଯିବ । ଏଥିସହିତ କେ-୯ ସ୍କ୍ୱାଡ୍ରେ ଆଉ ୬ ନୂଆ ସଦସ୍ୟ ମଧ୍ୟ ସାମିଲ ହେବେ । ବେଲଜିଆନ୍ ମେଲନ୍ ପ୍ରଜାତିର ୪ଟି କୁକୁର ଏବେ ସୀମା ସୁରକ୍ଷା ବଳ ରାଜସ୍ଥାନରେ ତାଲିମ ନେଉଛନ୍ତି । ୪ଟି କୁକୁର ବୋମା ସନ୍ଧାନ ପାଇଁ ଓ ୨ଟି ମାଦକ ଦ୍ରବ୍ୟ ସନ୍ଧାନ ପାଇଁ ତାଲିମ ନେଉଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଶ୍ୱାନମାନଙ୍କୁ ବାଦ୍ ଦେଲେ ରାଜ୍ୟର ମୋଟ୍ ୫୨ଟି କୁକୁର ଏବେ କେ-୯ ସ୍କ୍ୱାଡ୍ରେ ନିୟୋଜିତ ଅଛନ୍ତି । ତନ୍ମଧ୍ୟରେ ବେଲଜିଆନ୍ ମେଲନ, ଜର୍ମାନ ସେଫର୍ଡ୍ ଓ ଲାବ୍ରାଡଗ୍ ବ୍ରିଡ୍ର କୁକୁର ସାମିଲ୍ ।