ନୂଆଦିଲ୍ଲୀ,୧୧/୧୧: ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି । ତାଙ୍କ ବିରୋଧରେ ନିଜ ପୁଅର କଂପାନିକୁ ୩୧୫ କୋଟି ଟଙ୍କାର ଫାଇଦା ପହଞ୍ଚାଇବାର ଅଭିଯୋଗ ରହିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତଦନ୍ତ ଲାଗି ଅଭିଯୋଗକୁ ଭିଜିଲାନ୍ସ ମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ।
ରିପୋର୍ଟ ଅନୁସାରେ, ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଦ୍ୱାରକା ଏକ୍ସପ୍ରେସୱେ ଲାଗି ଭୂମି ଅଧିଗ୍ରହଣ କରାଯିବାର ଥିଲା । ୨୦୧୮ରେ ସେଠାକାର ବାମନୋଲି ଗାଁରେ ଥିବା ୧୯ ଏକର ଜମିକୁ ଅଧିଗ୍ରହଣ କରିବାକୁ ୪୧.୫୨ କୋଟି କ୍ଷତିପୂରଣ ସ୍ଥିର ହୋଇଥିଲା । କିନ୍ତୁ ୨୦୨୩ରେ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍ ହେମନ୍ତ କୁମାର କ୍ଷତିପୂରଣ ରାଶିକୁ ବଢ଼ାଇ ୩୫୩କୋଟି କରିଦେଇଥିଲେ । ଅର୍ଥାତ୍ ଦାମ୍କୁ ପ୍ରାୟ ୯ ଗୁଣା ବଢ଼ାଇଥିଲେ । ପୂର୍ବରୁ ତାହା ଚାଷ ଜମି ହୋଇଥିବାବେଳେ ଏବେ ଜନବସତି ଅଞ୍ଚଳ ଭାବେ ତା’ର ମୂଲ୍ୟାଙ୍କନ ହୋଇଥିବା ସେ ଦର୍ଶାଇଥିଲେ । ସେହି କ୍ଷତିପୂରଣରୁ ଯେଉଁ କଂପାନି ଲାଭ ପାଇଲା ନରେଶ କୁମାରଙ୍କର ପୁଅର ତା ସହ ସଂପୃକ୍ତି ଥିବା କୁହାଯାଉଛି । ଏନ୍ଏଚ୍ଏଆଇକୁ ଏଥିନେଇ ସନ୍ଦେହ ହେବାରୁ ଏହାର ତଦନ୍ତ କରାଯାଇଥିଲା । ସେପଟେ ନରେଶ କୁମାର ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।