ହାଇଦ୍ରାବାଦ, ୨୪/୦୨: ଟିଭି ଆଙ୍କରଙ୍କୁ ଅପରହଣ ଅଭିଯୋଗରେ ଜଣେ ମହିଳା ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ୫ଟି ଷ୍ଟାର୍ଟଅପର ପରିଚାଳନା ନିର୍ଦ୍ଦେଶିକା ଭୋଗିରେଡ୍ଡୀ ତୃଷା, ଟିଭି ଆଙ୍କର ପ୍ରଣବ ସିସ୍ତଲାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।
ରିପୋର୍ଟ ଅନୁସାରେ, ମହିଳା ବ୍ୟବସାୟୀ ଜଣଙ୍କ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେବା ପରେ ଅପହରଣ କରିଛନ୍ତି । ଏକ ମ୍ୟାରେଜ୍ ବ୍ୟୁରୋ (ବିବାହ ସଂସ୍ଥା)ର ୱେବସାଇଟ୍ ପ୍ରୋଫାଇଲରେ ତୃଷା, ପ୍ରଣବଙ୍କ ଫଟୋ ଦେଖି ଚାଟିଂ ଆରମ୍ଭ କରିଥିଲେ ।
ହ୍ୱାଟ୍ସଆପ୍ ଓ ଇନଷ୍ଟାରେ କଥାବାର୍ତ୍ତା ଆଗକୁ ବଢ଼ିବା ପରେ ସେ ବ୍ୟକ୍ତି ଜଣଙ୍କ ଭଲ ରିଟର୍ଣ୍ଣ ଲୋଭ ଦେଖାଇ ତୃଷାଙ୍କ ଠାରୁ ପ୍ରାୟ ୪୦ ଲକ୍ଷ ନେଇ ଆଉ ଧରା ଛୁଆଁ ଦେଇ ନଥିଲେ । ପ୍ରଣବଙ୍କ ଫଟୋ ଥିବା ଉକ୍ତ ଆକାଉଣ୍ଟଟି ଅନ୍ୟ କେହି ପରିଚାଳନା କରୁଥିବା ଜାଣି ପାରିଥିଲେ ତୃଷା । ଏନେଇ ସାଇବର ସେଲରେ ଅଭିଯୋଗ କରିଥିଲେ । ଏହା ପରେ ମହିଳା ବ୍ୟବସାୟୀ ବିବାହ ପାଇଁ ପ୍ରଣବଙ୍କୁ ଅନ୍ୟ ମାଧ୍ୟମରେ ଚାପ ପକାଇ ଚାଲିଥିଲେ ।
ତେବେ ପ୍ରଣବ ବିବାହ ପାଇଁ ଅରାଜି ହେବାରୁ ତୃଷା ଅପହରଣ କରିବା ଲାଗି ଯୋଜନା କରିଥିଲେ । ଏଥିପାଇଁ କାର୍ଯ୍ୟାଳୟର ଜଣେ ସାଥୀଙ୍କୁ ୫୦ ହଜାର ଟଙ୍କା ଦେଇ ପ୍ରଣବଙ୍କ କାରରେ ଏକ ଏୟାର୍ ଟ୍ୟାଗ୍ ଲଗାଇଥିଲେ । ଫେବ୍ରୁଆରୀ ୧୧ରେ ପ୍ରଣବଙ୍କୁ ଅପହରଣ କରି ତାଙ୍କ କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ପୋଲିସ ଅନୁସାରେ, ସେଠାରେ ମାରପିଟ୍ କରିବା ସହ ଫୋନ୍ ଉଠାଇବାକୁ ଚାପ ପକାଇଥିଲେ ।
ସେଠାରୁ ମୁକୁଳି ଆସିବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ପ୍ରଣବ । ଏହା ପରେ ଅପହରଣ ଓ ଧମକ ଚମକ ଦେବା ମାମଲାରେ ପୋଲିସ ମହିଳା ବ୍ୟବସାୟୀଙ୍କ ସହ ଅନ୍ୟ ୫ ଜଣଙ୍କୁ ଗିରଫ କରି ନେଇଛି ।