ୱାଶିଂଟନ,୦୧/୦୯: ଆମେରିକାର ୪ ରାଜ୍ୟରେ ସାମୁଦ୍ରିକ ଝଡ ‘ଇଡାଲିଆ’ ତାଣ୍ଡବ ସୃଷ୍ଟି କରିଛି । ବୁଧବାର ଫ୍ଲୋରିଡାରେ ଏହା ଲ୍ୟାଣ୍ଡଫଲ କରିବା ପରେ ଗୁରୁବାର ଜର୍ଜିଆ ଦେଇ ନର୍ଥ କାରୋଲିନା ଓ ସାଉଥ୍ କାରୋଲିନା ଦିଗକୁ ଅଗ୍ରସର ହୋଇଛି ।
ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ଏହାର ବେଗ ୨୦୦ କି.ମି. ରହିଥିଲା । ଏହାର ପ୍ରଭାବରେ ଫ୍ଲୋରିଡା ଓ ଜର୍ଜିଆରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସେମାନେ ଅନ୍ଧାରରେ ରହିଥିବା ବେଳେ ଅନେକ ଗଛ, ଘର, ବିଦ୍ୟୁତ ଖୁଣ୍ଟ ଓ ଟେଲିଫୋନ ଟାୱାର କ୍ଷତିଗ୍ରସ୍ତ ହୋଇଛି । କେତେକ ସ୍ଥାନରେ ବଡବଡ ଷ୍ଟୋର ଭାଙ୍ଗି ଯାଇଥିଲା ବେଳେ ଅନ୍ୟ କେତେକରେ ନିଆଁ ମଧ୍ୟ ଲାଗି ଯାଇଥିଲା । ଝଡକୁ ଦୃଷ୍ଟିରେ ରଖି ୯୦୦ ବିମାନ ଉଡାଣକୁ ବାତିଲ କରାଯାଇଛି ।
ପାଣିପାଗ ବିଭାଗର ରେକର୍ଡ ଅନୁସାରେ ଗତ ୧୦୦ ବର୍ଷର ଫ୍ଲୋରିଡା ଇତିହାସରେ ଏହା ସବୁଠାରୁ ଭୟାବହ ଝଡ । ଝଡକୁ ଦୃଷ୍ଟିରେ ରଖି ୪ଟି ରାଜ୍ୟରେ ଜରୁରି ପରିସ୍ଥିତି ଜାରି କରାଯାଇଛି । ପ୍ରାୟ ୫୫ ହଜାର ସୈନିକଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।