କଟକ, ୦୬/୧୧: ଆଲୋକର ପର୍ବ ଦୀପାବଳିକୁ ଆଉ ମାତ୍ର କିଛି ଦିନ ବାକି । ଏଥିପାଇଁ କଟକ ସହରରେ ପସରା ମେଲାଇଛନ୍ତି କାଉଁରିଆ ବେପାରୀ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମାହାଙ୍ଗାରୁ ଚାଷୀମାନେ କାଉଁରିଆ ଧରି ବସିଛନ୍ତି ପ୍ରେସ୍ ଛକ ନିକଟ ଜାତୀୟ ରାଜପଥ କଡ଼ରେ ।
ମାହାଙ୍ଗାର ବଇଁଚୁଆଁ ଗ୍ରାମର ଚାଷୀ ଦୀର୍ଘ ବର୍ଷ ହେବ ଲଳିତା ଚାଷ କରୁଛନ୍ତି । କାଉଁରିଆ ବିକ୍ରି କରିବା ପାଇଁ ଗ୍ରାମର ୨୦ ଜଣ ଚାଷୀ ପ୍ରତିବର୍ଷ କଟକ ସହର ଆସିଥାନ୍ତି । ଏବେ ପ୍ରାୟ ୧୩ ଜଣ ଚାଷୀ ସେମାନଙ୍କର ଅମଳ କାଉଁରିଆ ବିକ୍ରି ପାଇଁ କଟକରେ ପହଞ୍ଚିଛନ୍ତି । ପରେ ଆଉ କିଛି ଚାଷୀ ଆସିବେ ।
ଲଳିତା ଚାଷୀ ଅଶୋକ ବାସୁଳିଙ୍କ କହିବାନୁସାରେ, ଗ୍ରାମରେ ପ୍ରାୟ ୨୦ ଏକର ଜମିରେ ଏହି ଚାଷ ହୋଇଛି । ଏବର୍ଷ ଅମଳ ଠିକ୍ଠାକ୍ ଅଛି । ଏହି ଚାଷୀମାନେ ଦୀପାବଳିର ସପ୍ତାହେ ପୂର୍ବରୁ ପ୍ରତିବର୍ଷ କଟକ ଆସନ୍ତି ବୋଲି କହିଛନ୍ତି ଅଶୋକ । ଏବର୍ଷ ଦର ମଧ୍ୟ ପୂର୍ବ ବର୍ଷ ଭଳି ରହିଛି । ଏବେ ବ୍ୟବସାୟ ଧୀରେ ଧୀରେ ବଢ଼ୁଛି । କିଛି ବଡ଼ବଡ଼ ଦୋକାନୀ ଏବେ କାଉଁରିଆ କିଣୁଛନ୍ତି । ଦୀପାବଳି ପାଖେଇ ଆସିଲେ ଲୋକେ କାଉଁରିଆ କିଣିବେ ଓ ଏଥିରେ ଦି’ପଇସା ଅଧିକ ଲାଭ ହେବ । ଗାଁରେ ଆଉ ୪୦ ପ୍ରତିଶତ ମାଲ୍ ପଡ଼ିଛି । ଏସବୁ କାଉଁରିଆ ବିକ୍ରି ହେବା ପରେ ସେଗୁଡ଼ିକ ଆସିବ ବୋଲି ଅଶୋକ ସୂଚନା ଦେଇଛନ୍ତି ।