ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚବିଶ ରାଜନୀତି ମଇଦାନ୍‌ରେ ଷ୍ଟାରଙ୍କ କସରତ: ପ୍ରଚାରରେ ଦୌଡ଼ାଇବେ ନା ଟିକଟ ପାଇ ଲଢ଼ିବେ, ରାଜନୈତିକ ମହଲରୁ ସିନେ ଜଗତ ଯାଏଁ ଚର୍ଚ୍ଚା

ଭୁବନେଶ୍ୱର,୨୨/୦୨: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ରାଜନୈତିକ ଭାଗ୍ୟ କ’ଣ ହେବ? ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର କ’ଣ ପୁଣି ରାଜନୀତି ଇଂନିସର ସୁଯୋଗ ପାଇବେ ନା ନାହିଁ? ସିନେ ତାରକା ଅରିନ୍ଦମ ରାୟଙ୍କୁ ଏଥର ବିଜେଡି ଟିକଟ ଦେବ ନା ଖାଲି ପ୍ରଚାରରେ ବୁଲାଇବ? ବାଜି ମାରିବେ କି ଶ୍ରୀମୟୀ? ଅନୁ ଚୌଧୁରୀ, ଶ୍ରୀତମ ଦାସ, ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନଙ୍କ ଉପରେ ଭରସା କରିବ କି ବିଜେପି? ଅଭିନେତା ମନୋଜ ମିଶ୍ର କ’ଣ କଂଗ୍ରେସ ଟିକଟରେ ବାଜିମାତ କରିପାରିବେ? 

ସବୁ ଦଳରେ ମାଳମାଳ ସିନେମା ତାରକା । ଅଭିନେତା, ଅଭିନେତ୍ରୀ, ହାସ୍ୟ କଳାକାର, ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀ ଅଛନ୍ତି ଏ ତାଲିକାରେ । ଏବେ ଓଡ଼ିଆ ଯାତ୍ରା କଳାକାର ବି ରାଜନୀତିରେ ପାଦ ଦେଲେଣି । ହେଲେ ୨୦୨୪ରେ ଏଥିରୁ କେତେ ଜଣ ଅଭିନେତା/ଅଭିନେତ୍ରୀ ନିର୍ବାଚନ ଲଢ଼ିବାକୁ ଟିକଟ ପାଇବେ? ସିନେ ତାରକାଙ୍କୁ ରାଜନୈତିକ ଦଳ କେତେ ଗୁରୁତ୍ୱ ଦେବେ? ପ୍ରଚାରରେ ଦୌଡ଼ାଇବେ ନା ଟିକଟ ବି ଦେବେ? ଏଭଳି ତାରକା ଚବିଶ ରାଜନୀତିରେ ଚମକିବେ ନା ଦୃଶ୍ୟପଟ୍ଟରୁ ହଜିଯିବେ, ଏ ଚର୍ଚ୍ଚା ରାଜନୈତିକ ମହଲରୁ ସିନେ ଜଗତ ଯାଏଁ ଘୂରି ବୁଲୁଛି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ପାରିବାରିକ ବିବାଦରେ ଛନ୍ଦି ହେବା ପରଠାରୁ ବିଜେଡିରେ ସେ କୋଣଠେସା । ଆକଳନ ଯାହା- ଏଥର ଅନୁଭବଙ୍କୁ ବିଜେଡି ଟିକଟ ଦେବା ସମ୍ଭାବନା କ୍ଷୀଣ ଲାଗୁଛି । ଅନୁଭବଙ୍କ ବଦଳରେ କେନ୍ଦ୍ରାପଡ଼ା ଲୋକସଭା ଆସନରେ କଂଗ୍ରେସ ଛାଡ଼ି ଆସିଥିବା ଅଂଶୁମାନ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ।

ଓଲିଉଡର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ଯେତେବେଳେ ରାଜନୀତି ମଇଦାନକୁ ଆଣିଥିଲା, ସେ ବମ୍ପର ବିଜୟ ଭେଟି ଦେଇଥିଲେ । ତତ୍କାଳୀନ ୟୁପିଏ ସରକାରର କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ଭଳି ହେଭିୱେଟଙ୍କୁ ହରାଇଥିଲେ ସିଦ୍ଧାନ୍ତ । ମାତ୍ର ଚନ୍ଦ୍ରଶେଖର ବିଜେଡିକୁ ଆସିବା ପରେ ୨୦୧୯ରେ ସିଦ୍ଧାନ୍ତଙ୍କ ପତା କଟିଲା । ଦଳ ତାଙ୍କୁ ଟିକଟ ଦେଇନଥିଲା । ତା’ପରଠାରୁ ପ୍ରାୟତଃ ରାଜନୈତିକ କାର୍ଯ୍ୟକ୍ରମ, ସମାବେଶରେ ଦେଖିବାକୁ ମିଳୁନି । ଏଥର ତାଙ୍କୁ ଗୋପାଳପୁରରୁ ପ୍ରାର୍ଥୀ କରାଯିବ ବୋଲି ପ୍ରଥମେ ଶୁଣିବାକୁ ମିଳୁଥିଲା । ଏବେ ଶୁଣାଯାଉଛି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁର ପଠାଯିବ । ହେଲେ ସିଦ୍ଧାନ୍ତଙ୍କୁ ବିଜେଡି ବ୍ରହ୍ମପୁର ଟିକଟ ଦେବ କି ନାହିଁ, ତାହା କହିବା ମୁସ୍କିଲ । 

ଏବେ ନଜର ପକାଇବା ଓଲିଉଡର ଆକ୍ସନଷ୍ଟାର ଅରିନ୍ଦମଙ୍କ ଉପରେ । ଅରିନ୍ଦମ ୨୦୦୯ରୁ ବିଜେଡିରେ ତାରକା ଭାବେ ଯୋଗ ଦେଇଥିଲେ । ବିଭିନ୍ନ ନିର୍ବାଚନରେ ତାଙ୍କୁ ସହପ୍ରଭାରୀ ଦାୟିତ୍ୱ ବି ମିଳିଛି । ତାଙ୍କ ସମସାମୟିକ ଅନୁଭବ, ଆକାଶଙ୍କୁ ପୂର୍ବରୁ ବିଜେଡି ଟିକଟ ମିଳିଥିବାବେଳେ ଅରିନ୍ଦମଙ୍କୁ ଏଯାଏଁ ଦଳରୁ ସେଭଳି କିଛି ମିଳିନି । ଏଥର ଅରିନ୍ଦମ ବାରବାଟୀ କଟକ ଆସନ ପାଇଁ ପ୍ରବଳ ଆଶାୟୀ ଅଛନ୍ତି । ସୁବାସ ସିଂହ ମେୟର ହେବା ସହ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯିବା ପରେ ଅରିନ୍ଦମଙ୍କ ପଲ୍ଲା ଭାରି ରହିଛି । ହେଲେ ଏଯାଏଁ କିଛି ସ୍ପଷ୍ଟ ସିଗନାଲ ମିଳିନି ଉପର ମହଲରୁ । ଏଥର ଅରିନ୍ଦମଙ୍କୁ ଦଳ ଟିକଟ ଦେବ ନା କେବଳ ତାରକା କରି ପ୍ରଚାର ମଇଦାନରେ ବୁଲାଇବ, ତାହା ସମୟ କହିବ । 

ଓଡ଼ିଆ ସିନେମାର ଅନ୍ୟତମ ଷ୍ଟାଇଲିଶ ନାୟକ ଆକାଶ ଦାସନାୟକ ୨୦୧୪ରେ ବିଜେଡି ଟିକଟରେ ଲଢ଼ି କୋରେଇରୁ ବିଧାୟକ ହୋଇଥିଲେ । ମାତ୍ର ୨୦୧୯ରେ ଦଳ ତାଙ୍କୁ ଟିକଟ ଦେଲାନି । ଲୋକ ସମ୍ପର୍କ ସହ ନିଜ ପୁରୁଣା ସମର୍ଥକଙ୍କ ବଳରେ  ଏଥର ପୁଣି ସେ କୋରେଇ ପାଇଁ ଟିକଟ ଆଶାୟୀ ଅଛନ୍ତି । ମାତ୍ର ବିଜେଡି ଗଣିତ ଏତେ ଜଟିଳ ଯେ, ଏଥର ଆକଳନ ପୂରା କାଠିକର ପାଠ । ବର୍ତ୍ତମାନର ବିଧାୟକ ଅଶୋକ ବଳ ଜଣେ ଦାବିଦାର ଥିବାବେଳେ ଅନ୍ୟ ଦଳର ଜଣେ ନେତ୍ରୀଙ୍କୁ ସେଠାରେ ମଇଦାନରେ ଓହ୍ଲାଇ ବିଜେଡି ଚକ୍‌ମା ଦେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ।  ଅଭିନେତ୍ରୀରୁ ରାଜନୀତିକୁ ଆସିଥିବା ଶ୍ରୀମୟୀ ମିଶ୍ର ବିଜେଡି ରାଜନୀତିରେ  ବେଶ୍‌ ସକ୍ରିୟ ଓ ଚର୍ଚ୍ଚିତ । ଦଳ ଏଥର ତାଙ୍କୁ ହାଇପ୍ରୋଫାଇଲ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ବିରୋଧରେ ପ୍ରାର୍ଥୀ କରିବା ଏକପ୍ରକାର ଚୂଡ଼ାନ୍ତ । ଏହି ଘମାଘୋଟ ଲଢ଼େଇରେ ସେ ଚମକିବେ କି ଝୁଣ୍ଟିବେ, ତାହା ଉପରେ ସଭିଙ୍କ ନଜର ରହିଛି । 

୨୦୧୯ରେ ବିଜେପି ଟିକଟରେ ଉତ୍ତର ଭୁବନେଶ୍ୱରରୁ ନିର୍ବାଚନ ଲଢ଼ି ପରାଜିତ ହେବା ପରେ ଅପରାଜିତା ମହାନ୍ତି ଆଉ ରାଜନୈତିକ ମଞ୍ଚକୁ ଆସିନାହାନ୍ତି । ଏଥର ବି ତାଙ୍କୁ ନେଇ ସେଭଳି କିଛି ଚର୍ଚ୍ଚା ନାହିଁ । ଦିଗପହଣ୍ଡିରୁ ଗତ ଥର ବିଜେପି ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ପିଙ୍କି ପ୍ରଧାନ ବିଜେପିରେ ଏବେ ବି ସକ୍ରିୟ ଅଛନ୍ତି । ଏଥର ପିଙ୍କିଙ୍କୁ ଦଳ କେଉଁ ଦାୟିତ୍ୱ ଦେବ, ତାହା ସ୍ପଷ୍ଟ ହୋଇନି । କଟକ ମେୟର ନିର୍ବାଚନରେ ଭଲ ଭୋଟ ସାଉଁଟିଥିବା ଅଭିନେତା ଶ୍ରୀତମ ଦାସଙ୍କ ନଜର କଟକ ବାରବାଟୀ ଆସନ ଉପରେ ଅଛି । ମାତ୍ର ଟିକଟକୁ ନେଇ ଦଳ କିଛି ସ୍ପଷ୍ଟ କରିପାରିନି । ଅଭିନେତ୍ରୀ ଅନୁ ଚୌଧୁରୀ, ହାସ୍ୟ ଅଭିନେତା ହରିହର ମହାପାତ୍ର, ଅଭିନେତା ଅଖିଳ ପଟ୍ଟନାୟକ ଓ ଗୀତିକାର ପଞ୍ଚାନନ ନାୟକଙ୍କ ମଧ୍ୟରୁ ବିଜେପି କାହାକୁ ଟିକଟ ଦେବ, ଜଣାନାହିଁ । 

କଂଗ୍ରେସରେ ସିନେ ଷ୍ଟାରଙ୍କ ସଂଖ୍ୟା କମ୍‌ । ତଥାପି ନୂଆ କରି କଂଗ୍ରେସରେ ମିଶିଥିବା ଅଭିନେତା ମନୋଜ ମିଶ୍ର ଏଥର ବଲାଙ୍ଗିର ଲୋକସଭାରୁ ପ୍ରାର୍ଥୀ ହେବା ଏକପ୍ରକାର ଚୂଡ଼ାନ୍ତ । 

ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ରାଜସଭ୍ୟ କାର୍ଯ୍ୟକାଳ ସରିଥିବାବେଳେ  କୁନା ତ୍ରିପାଠୀ ବର୍ତ୍ତମାନ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଥିବାବେଳେ ମୁନ୍ନା ଖାଁ ରାଜ୍ୟସଭା ସାଂସଦ ଅଛନ୍ତି । ଏହାବାଦ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅଭିନେତ୍ରୀ ସୋଫିଆ ଆଲମ, ଏଲିନା ଦାସଙ୍କ ଭଳି ବହୁ ତାରକା ରାଜନୀତି ବାଟ ବାଛିଛନ୍ତି, ମାତ୍ର ଟିକଟ ହାତେଇବା କାଠିକର ପାଠ । ୨୦୨୪ ରାଜନୈତିକ ଦୃଶ୍ୟପଟ୍ଟରେ କେଉଁ ତାରକା ଚମକିବେ, ଆଉ କିଏ କିଏ ମିଞ୍ଜିମିଞ୍ଜି ହୋଇ ହଜିଯିବେ, ତାହା ସମୟ କହିବ ।

Also Read :-

ସୁନ୍ଦରଗଡ଼ ଲୋକସଭାରୁ ଜୁଏଲ୍‌ ନା କୁସୁମ ? କାହାକୁ ଟିକେଟ୍ ଦେବ ଦଳ

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.