ଇସ୍ଲାମାବାଦ: ପାକିସ୍ତାନରେ ଗତ ମେ’ ମାସରେ ସୈନ୍ୟ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ୧୦୦ରୁ ଅଧିକ ସମର୍ଥକଙ୍କୁ ପୋଲିସ ଗିରଫ କରିଛି। ଇମ୍ରାନଙ୍କ ଦଳ ପିଟିଆଇର ୧୦୫ ସମର୍ଥକଙ୍କୁ ଲାହୋରରୁ ଗିରଫ କରାଯାଇଥିବା ନେଇ ରବିବାର ପୋଲିସ ସୂଚନା ଦେଇଛି । ଗତ ମେ’ ମାସରେ ଲାହୋରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଠିକଣା ଉପରେ ହୋଇଥିବା ଆକ୍ରମଣ ମାମଲାରେ ଓ୍ବାଣ୍ଟେଡ୍ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଛି ବୋଲି ଲାହୋର ପୋଲିସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।
ଗତ ମେ’ ୯ରେ ହୋଇଥିବା ଆକ୍ରମଣରେ ପିଟିଆଇର ୧୦୦୦ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମେ’ ୯ରେ ଇସ୍ଲାମାବାଦ ହାଇକୋର୍ଟ ପରିସରରୁ ପାକିସ୍ତାନ ରେଞ୍ଜର୍ସ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଉଠାଇ ନେଇଥିଲା ।ଏହା ବିରୋଧରେ ପିଟିଆଇ ସମର୍ଥକମାନେ ହିଂସ୍ରକ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ ।
ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଲହୋରସ୍ଥିତ ଜିନ୍ନା ହାଉସ, ମିୟାବାଲି ଏୟାରବେସ୍ ଏବଂ ଫୈସଲାବାଦରେ ଥିବା ଆଇଏସଆଇ ଭବନ ସମେତ ଏକାଧିକ ସୈନ୍ୟ ପ୍ରତିଷ୍ଠାନରେ ପଶି ଭଙ୍ଗାରୁଜା କରିଥିଲେ । ଏହା ବ୍ୟତୀତ ଆନ୍ଦୋଳନକାରୀ ରାଓ୍ବଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟରେ ମଧ୍ୟ ଆକ୍ରମଣ କରିଥିଲେ ।
ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ତୋଷଖାନା ମାମଲାରେ ଜେଲରେ ଅଛନ୍ତି । ୨୦୧୮ରେ ବିଦେଶରୁ ମିଳିଥିବା ଦାମୀ ଉପହାରକୁ ତୋଷଖାନାରେ ରଖିବା ସହ ପରବର୍ତ୍ତୀ ସମୟରେ ଏଗୁଡ଼ିକୁ ଶସ୍ତା ଦାମରେ କ୍ରୟ କରି ପୁଣି ଥରେ ଅଧିକ ଦାମରେ ବିକ୍ରି କରିଥିଲେ। ଏହି ମାମଲାରେ ସେ ୩ ବର୍ଷ ଜେଲଦଣ୍ଡାଦେଶ ପାଇଥିବା ବେଳେ ତାଙ୍କର ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ରୋକ ଲାଗିଛି। ଏହା ବ୍ୟତୀତ ସାଇଫର ମାମଲାରେ ମଧ୍ୟ ଛନ୍ଦି ହୋଇପଡ଼ିଛନ୍ତି ଇମ୍ରାନ ଖାନ ।