ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ଅହମ୍ମଦାବାଦରେ ବିଶ୍ୱକପ୍ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ଅହମ୍ମଦାବାଦ,୧୯/୧୧: ଚଳଚଞ୍ଚଳ  ଅହମ୍ମଦାବାଦ ନଗରୀ । ଆଉ କିଛି ଘଣ୍ଟା ଅତି ବାହିତ  ହେବା ପରେ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍‌ରେ ପଡ଼ିବ ବହୁ ପ୍ରତୀକ୍ଷିତ ବିଶ୍ୱକପ୍‌ ଫାଇନାଲ୍‌ ଲଢ଼େଇ ପାଇଁ ଟସ୍‌ । ସାରା ଦେଶ କ୍ରିକେଟ୍‌ ମନସ୍କ । ଉତ୍କଣ୍ଠା ଉତ୍ତେଜନାର ରୂପ ନେଲାଣି। ଆକାଶ ଛୁଇଁଲା ଭଳି ଆତ୍ମବିଶ୍ୱାସ । ତଥାପି ଏ ଲଢ଼େଇରେ ଥରିବ ଛାତି, ପ୍ରତି ବଲରେ କମ୍ପିବ ମଇଦାନ। ଇତି ମଧ୍ୟରେ ପ୍ରସ୍ତୁତି ଶେଷ କରିଛନ୍ତି ଭାରତ ଓ ଅଷ୍ଟ୍ରେଲିଆ ସେନା । ମହାଲଢ଼େଇ ପାଇଁ  ପ୍ରସ୍ତୁତ ହୋଇ ସାରିଛି ଉଭୟ ଦଳର ରଣନୀତି । 

ଭାରତ ପ୍ରମୁଖ ଟାଇଟଲ ଦାବିଦାର ରୂପେ ଗଣା  ହେଉଥିଲେ ହେଁ ଅଷ୍ଟ୍ରେଲିଆ ବଡ଼ ମ୍ୟାଚ୍‌ରେ ଶ୍ରେଷ୍ଠ  ପ୍ରଦର୍ଶନ କରିବାର ଅଭିଜ୍ଞତା ରଖିଛି । ତେଣୁ ମ୍ୟାଚ୍‌କୁ  ନେଇ ପୂର୍ବାନୁମାନ କରିବା କଷ୍ଟକର । ଭାରତ ୯ଟି ଯାକ  ଲିଗ ମ୍ୟାଚ୍‌ ସହ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ  ହରାଇ ଫାଇନାଲ୍‌ରେ ପହଞ୍ଚିଛି । ଅଷ୍ଟ୍ରେଲିଆ ପ୍ରଥମ ୨ଟି  ମ୍ୟାଚ୍‌ରେ ଯଥାକ୍ରମେ ଭାରତ ଓ ଦକ୍ଷିଣ ଆଫ୍ରିକା ଠାରୁ  ପରାଜିତ ହୋଇଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୮ଟି ଯାକ ମ୍ୟାଚ୍‌ରେ ବିଜୟ ହାସଲ କରିଛି ।  

ପାୱର ପ୍ଲେ ପ୍ରଦର୍ଶନ: ପାୱାର ପ୍ଲେ(ପ୍ରଥମ  ୧୦ଓଭର) ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ କରିବ । ଉଭୟ  ଦଳ ପ୍ରଥମ ୧୦ ଓଭରରେ ଶ୍ରେଷ୍ଠ ପ୍ରଦର୍ଶନ କରି  ଫାଇନାଲ୍‌ରେ ପହଞ୍ଚିଛନ୍ତି । ପାୱାର ପ୍ଲେ’ରେ ଶ୍ରେଷ୍ଠ  ପ୍ରଦର୍ଶନ କଲେ ମ୍ୟାଚ୍‌ ଜିତିବା ସହଜ ହେବ ।  

ଭାରତ ବ୍ୟାଟିଂ ବେଳେ ପ୍ରଥମ ୧୦ ଓଭରରେ  ୬.୮୭ ହାରରେ ରନ୍‌ ସଂଗ୍ରହ କରିଛି ।  ଅଷ୍ଟ୍ରେଲିଆ ମଧ୍ୟ ଓଭର ପିଛା ୬.୫୫ ରନ  ସଂଗ୍ରହ କରିଛି । ପାୱାର ପ୍ଲେରେ ଭାରତୀୟ  ବୋଲର ଓଭର ପିଛା ୪.୩୪ ରନ୍‌ ପ୍ରଦାନ  କରିଥିବାବେଳେ ଅଷ୍ଟ୍ରେଲିଆ ୪.୭୫ ରନ୍‌ ପ୍ରଦାନ କରିଛନ୍ତି ।  

ସାମି ସାଜିବେ ସୂତ୍ରଧର: ଘାତକ ବୋଲିଂ  କରି ଆତଙ୍କ ଖେଳାଇଥିବା ମହମ୍ମଦ ସାମି  ଭାରତୀୟ ବୋଲିଂର ସୂତ୍ରଧର ସାଜିବେ ।  ମାତ୍ର ତାଙ୍କୁ ପାୱାର ପ୍ଲେ’ରେ ନୂଆ ବଲ୍‌  ପକାଇବାକୁ ଦେବା ଆବଶ୍ୟକ ବୋଲି  କ୍ରିକେଟ୍‌ ପଣ୍ଡିତମାନେ ମତ ଦେଇଛନ୍ତି ।  ବାମ ହାତି ବ୍ୟାଟରଙ୍କ ବିପକ୍ଷରେ ସାମି  ଘାତକ ପ୍ରଦର୍ଶନ କରିଛନ୍ତି । ଅଷ୍ଟ୍ରେଲିଆର  ଉଭୟ ଓପନର ଡେଭିଡ ୱାର୍ଣ୍ଣର ଓ  ଟ୍ରେଭିସ୍‌ ହେଡ୍‌ ବାମ ହାତି ବ୍ୟାଟର । ତେଣୁ ସାମି ଉଭୟଙ୍କୁ ସହଳ ପାଭିଲିୟନ  ପଠାଇ ପାରିବେ । ହେଡ୍‌ ଅଫଷ୍ଟମ୍ପ ବାହାର ବଲ୍‌କୁ  ଖେଳିବାରେ ଦୁର୍ବଳ । ତେଣୁ ସାମି ପ୍ରାରମ୍ଭିକ ବିପର୍ଯ୍ୟୟ  ଘଟାଇ ପାରିବେ । ସେ ଏଥର ବିଶ୍ୱକପ୍‌ରେ ବାମ ହାତି  ବ୍ୟାଟରଙ୍କୁ ୫୨ଟି ବଲ୍‌ ପକାଇ ୩୨ ରନ୍‌ ପ୍ରଦାନ  କରିଛନ୍ତି ଓ ୮ଟି ୱିକେଟ୍‌ ନେଇଛନ୍ତି ।  

ଯଶପ୍ରୀତ ବୁମରା ମଧ୍ୟ ବାମ ହାତି ବ୍ୟାଟରଙ୍କ  ବିପକ୍ଷରେ ଘାତକ ବୋଲିଂ କରିଛନ୍ତି । ବାମ ହାତି  ବ୍ୟାଟରଙ୍କ ବିପକ୍ଷରେ ତାଙ୍କ ଇକୋନୋମି ୩.୧୩  ରହିଛି । ବୁମରା ଓ ମହମ୍ମଦ ସିରାଜ ପାୱାର ପ୍ଲେ’ରେ  ବୋଲିଂ ଆରମ୍ଭ କରୁଛନ୍ତି । ଲିଗ୍‌ ପର୍ଯ୍ୟାୟ ଓ ସେମି  ଫାଇନାଲ୍‌କୁ ମିଶାଇ ପାୱାର ପ୍ଲେ’ରେ ଭାରତ ୨୦ଟି  ୱିକେଟ୍‌ ଅକ୍ତିଆର କରିଛି । ପାୱାର ପ୍ଲେ’ରେ ସର୍ବାଧିକ  ୱିକେଟ୍‌ ଦକ୍ଷିଣ ଆଫ୍ରିକା(୨୧ୱିକେଟ୍‌) ନାମରେ ରହିଛି ।  

ରୋହିତ-ହାଜେଲଉଡ୍‌ ଟକ୍କର 

ରବିବାର ରୋହିତ ଶର୍ମା ଓ ଜୋସ ହାଜେଲଉଡ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ରୋହିତ  ପ୍ରାରମ୍ଭିକ ଓଭର ଗୁଡ଼ିକରେ ବିସ୍ଫୋରକ ବ୍ୟାଟିଂ ଜାରି  ରଖିଛନ୍ତି । ପାୱାର ପ୍ଲେରେ ସେ ତାଙ୍କ ଷ୍ଟ୍ରାଇକ ରେଟ୍‌  ରହିଛି ୧୩୩.୦୮ । ୧୦ଟି ମ୍ୟାଚ୍‌ର ପାୱାର ପ୍ଲେରେ  ରୋହିତ ୮୮.୫୦ହାରରେ ୩୫୪ ରନ୍‌ ସଂଗ୍ରହ  କରିଛନ୍ତି । ଏହି ସମୟ ମଧ୍ୟରେ ସେ ୪୨ଟି ଚୌକା  ଓ ୨୧ଟି ଛକା ମାରିଛନ୍ତି । ମାତ୍ର ହାଜେଲଉଡ୍‌ଙ୍କ ସୁଇଂ  ବୋଲିଂ ବିପକ୍ଷରେ ରୋହିତ ସଂଘର୍ଷ କରିବାର ରେକର୍ଡ  ରହିଛି । ଶୃଙ୍ଖଳିତ ବୋଲିଂ ପାଇଁ ପରିଚିତ ହାଜେଲଉଡ୍‌  ଆସନ୍ତା କାଲି ରୋହିତଙ୍କୁ ଆଉଟ୍‌ କରିବାକୁ ପ୍ରୟାସ  କରିବେ । ହାଜେଲଉଡ୍‌ଙ୍କ ବିପକ୍ଷରେ ରୋହିତ କ୍ରିଜ୍‌  ବାହାରକୁ ବାହାରି ପ୍ରହାର କରିବାକୁ ଚେଷ୍ଠା କରିବେ ।  

ଦ୍ୱିତୀୟରେ ବ୍ୟାଟିଂ କଲେ ବିଜୟ ସହଜ: ପୂର୍ବ  ରେକର୍ଡକୁ ଦେଖିଲେ  ଏହି ଗ୍ରାଉଣ୍ଡ୍‌ରେ  ବିଜୟ ଲକ୍ଷ୍ୟର  ପିଛା କରି  ଜିତିବା ସହଜ । ପାକିସ୍ତାନ ବିପକ୍ଷରେ ଭାରତ ଏଠାରେ ଦ୍ୱିତୀୟରେ  ବ୍ୟାଟିଂ କରି ଜିତିଥିଲା । ବିଶ୍ୱକପ୍‌ର ୪ଟି ମ୍ୟାଚ୍‌ରୁ  ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୩ଟି ମ୍ୟାଚ୍‌  ଜିତିଛନ୍ତି । ଗତ ୨ଟି ଯାକ ଆଇପିଏଲ୍‌ ଫାଇନାଲ୍‌ରେ  ମଧ୍ୟ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ  କରିଛନ୍ତି ।  

୨୦୦୩ ଫାଇନାଲ୍‌ ଦୁଃଖ: ରବିବାର ମ୍ୟାଚ୍‌  ବିଷୟରେ ଭାବିବା ବେଳକୁ ୨୦୦୩ ବିଶ୍ୱକପ ଫାଇନାଲ୍‌  ମନେ ପଡ଼ିଯାଉଛି । ଭାରତୀୟ କ୍ରିକେଟ୍‌ ପ୍ରେମୀ ୨୦ବର୍ଷ  ତଳର ସେହି ଫାଇନାଲ୍‌ ମୁକାବିଲାକୁ ଭୁଲି ପାରି ନାହାନ୍ତି ।  ଭାରତକୁ ଦୟନୀୟ ଭାବେ ହରାଇ ଅଷ୍ଟ୍ରେଲିଆ ତୃତୀୟ  ବିଶ୍ୱକପ୍‌ ହାସଲ କରିଥିଲା । ଏଥର ଭାରତ ପାଳି । ଉକ୍ତ  ପରାଜୟର ପ୍ରତିଶୋଧ ନେଇ ଟିମ ଇଣ୍ଡିଆ ଭାରତୀୟ  ଦର୍ଶକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିବ । ଉଭୟ ଦଳ ଚୂଡ଼ାନ୍ତ ଏକାଦଶ ଘୋଷଣା  କରିନାହାନ୍ତି । ଟସ ପୂର୍ବରୁ ଦଳ ଘୋଷଣା ହେବ ବୋଲି  ରୋହିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଥିଲେ ।  ଭାରତ ଏକାଦଶ ଅପରିବର୍ତ୍ତିତ ରଖିବା ନିଶ୍ଚିତ ।  ଅଷ୍ଟ୍ରେଲିଆ ଏକାଦଶରେ ପରିବର୍ତ୍ତନ କରିପାରେ ।  ମାର୍ନସ ଲାବୁସାନଙ୍କ ସ୍ଥାନରେ ମାର୍କସ ଷ୍ଟଇନିସ୍‌ଙ୍କୁ  ଖେଳାଇବା ପାଇଁ ଅଷ୍ଟ୍ରେଲିଆ ଯୋଜନା କରୁଛି ।  

ମଧ୍ୟ କ୍ରମରେ ଘାତକ ହେବେ ଜାଡେଜା

ମଧ୍ୟ ଓଭର ଗୁଡ଼ିକରେ ରବିନ୍ଦ୍ର  ଜାଡେଜା ଘାତକ ସାଜିବେ । ଏଥର  ବିଶ୍ୱକପ୍‌ରେ ସେ ଏହି ଭାଗରେ ୪.୨୫  ଇକୋନୋମିରେ ବୋଲିଂ କରିଛନ୍ତି ।  ଡାହାଣ ହାତି ବ୍ୟାଟରଙ୍କ ବିପକ୍ଷରେ  ତାଙ୍କ ଇକୋନୋମି ୪.୧୮ ରହିଛି ।  ଅଷ୍ଟ୍ରେଲିଆର ମଧ୍ୟ କ୍ରମରେ ୩ରୁ ୭ନଂ  ସ୍ଥନରେ ଡାହାଣ ହାତି ବ୍ୟାଟର ରହିଛନ୍ତି ।  କୁଲଦୀପ ଯାଦବ ସାମାନ୍ୟ ବ୍ୟୟ ବହୁଳ  ରହିଥିଲେ ହେଁ ଯୋଡି ଭାଙ୍ଗିବାରେ  ସିଦ୍ଧହସ୍ତ । ମଧ୍ୟ ଓଭର ଗୁଡ଼ିକରେ  ତାଙ୍କ ଇକୋନୋମି ୪.୩୨ ରହିଛି । 

ସ୍ପିନରଙ୍କୁ ସୁହାଇବ ପିଚ୍‌ ଫାଇନାଲ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ରେ  ପୂର୍ବରୁ ଏକ ମ୍ୟାଚ୍‌ ଅନୁଷ୍ଠିତ ହୋଇସାରିଛି ।  ଭାରତ ଓ ପାକିସ୍ତାନ ଏହି ପିଚ୍‌ରେ ସାମ୍ନା  ସାମ୍ନି ହୋଇଥିଲେ । ଭାରତ ଉକ୍ତ  ମ୍ୟାଚ୍‌ ଜିତିଥିଲା । ଏହି ମ୍ୟାଚ୍‌କୁ  ନଜରକୁ ନେଲେ ଭାରତ ଟସ୍‌ ଜିତି  ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପେସ୍‌  ବୋଲରମାନେ ପାୱାର ପ୍ଲେରେ ନୂଆ  ବଲ୍‌କୁ ସୁଇଂ କରାଇଥିଲେ । ଶେଷ  ଭାଗରେ ପୁରୁଣା ବଲ୍‌ରୁ ରିଭର୍ସ ସୁଇଂ  ଦେଖିବାକୁ ମିଳିଥିଲା । ରବିବାର ପିଚ୍‌ ସାମାନ୍ୟ ମନ୍ଥର ରହିବ ବୋଲି  ଅନୁମାନ କରାଯାଉଛି । ସ୍ପିନରମାନେ  ପିଚ୍‌ରୁ ସହାୟତା ପାଇବେ ।  

ତାପମାତ୍ରା ୩୦ଡିଗ୍ରୀରୁ କମ୍‌  ରହିବ । ରାତ୍ରିରେ କାକର ପଡ଼ିବ ।  ମାତ୍ର ଆଉଟ୍‌ ଫିଲ୍ଡରେ କେମିକାଲ  ସ୍ପ୍ରେ କରାଯାଇଥିବାରୁ କାକର  ବିଶେଷ ପ୍ରଭାବିତ କରିବ ନାହିଁ ।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା  (ଅଧିନାୟକ), ଶୁଭମନ ଗିଲ୍‌ ,ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ: ଡେଭିଡ୍‌ ୱାର୍ଣ୍ଣର ,ଟ୍ରେଭିସ ହେଡ୍‌, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ୍‌, ମାର୍ନସ ଲାବୁସାନ, ଗ୍ଲେନ ମ୍ୟାକ୍ସୱେଲ୍‌, ଜୋସ ଇଂଲିଶ, ପ୍ୟାଟ୍‌ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋସ ହାଜେଲଉଡ, ଆଡାମ ଜାମ୍ପା।

Copyright © 2022 - Summa Real Media Private Limited. All Rights Reserved.