ବାରିପଦା/ବୁର୍ଲା,୨୦/୧୧: ଦ୍ୱିତୀୟ ଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏବେ କେବଳ ମହାମହିମଙ୍କୁ ସ୍ୱାଗତ କରିବାକୁ ପ୍ରଶାସନଠୁ ଜିଲ୍ଲାବାସୀ ଅନେଇ ରହିଛନ୍ତି। ତେବେ ଗସ୍ତ ସୂଚୀରେ ସମୟସାରଣୀ ସାମାନ୍ୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ୨ଘଣ୍ଟା ପୂର୍ବରୁ ମହାମହିମ ବାରିପଦାରେ ପହଞ୍ଚିବେ । ୨୦ତାରିଖରେ ମହାମହିମ ଶ୍ରୀମତୀ ମୁର୍ମୁ ଦିନ ୧୧ଟା ୨୫ମିନିଟ୍ରେ ବାରିପଦାର ସହିଦସ୍ମୃତି ଭବନରେ ପହଞ୍ଚି ୩୬ତମ ଜାତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଷ୍ଟ୍ରପତି ସ୍ମୃତି ଭବନ ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀକୁ ସମ୍ବୋଧିତ କରିବା ପରେ କୁଳିଅଣା (ଚାନ୍ଦୁଆ)ବ୍ଲକର ପାଣିଜିଆ ଠାରେ ନବ ନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଲୋକାର୍ପିତ କରିବେ । କୁଳିଅଣା ପାଣିଜିଆ ଠାରେ ମହାମହିମ ଅପରାହ୍ନ ୨ଟା ୩୦ମିନିଟରେ ପହଞ୍ଚି ୨ଟା ୩୭ମିନିଟ୍ରେ ପ୍ରଦୀପ ପ୍ରଜ୍ୱଳନ କରିବେ । ୨ଟା ୩୮ମିନିଟ ସମୟରେ ରାଷ୍ଟ୍ରଗାନ ହେବ ।
ସେହିପରି ୨୧ତାରିଖରେ ମହାମହିମ ରାଷ୍ଟ୍ରପତି ପାହାଡ଼ପୁର ଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭ ଉଦଘାଟନ କରିବେ । ଏଥି ସହିତ ବାଦାମପାହାଡ ରେଳ ଷ୍ଟେସନରେ ତିନୋଟି ନୂତନ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । କେବଳ ସେତିକି ନୁହେଁ, ମହାମହିମ ଶ୍ରୀମତୀ ମୁର୍ମୁ ବାଦାମ ପାହାଡ ଶାଲିମାର ଏକ୍ସପ୍ରେସରେ ବାଦାମ ପାହାଡ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କରିବେ । ଏହା ବ୍ୟତୀତ ରାଇରଙ୍ଗପୁର ଡାକଡିଭିଜନକୁ ମଧ୍ୟ ରାଷ୍ଟ୍ରପତି ମହୋଦୟା ଶୁଭ ଉଦଘାଟନ କରିବେ । ଏହା ପରେ ମଙ୍ଗଳବାର ଦିନ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରସ୍ଥାନ କରିବେ ।
ରାଷ୍ଟ୍ରପତିଙ୍କ ବୁର୍ଲା ଗସ୍ତକୁ ନେଇ ଆଜି ପୁଣି ଚଳଚଞ୍ଚଳ ହୋଇ ଉଠିଛି ସ୍ଥାନୀୟ ଏମ୍ସିଏଲ୍ ହେଲିପ୍ୟାଡ୍ । ଗତକାଲି ବାୟୁସେନାର ଏକ ହେଲିକପ୍ଟର ଏକ ବୈଷୟିକ ଟିମ୍ ଧରି ଏମ୍ସିଏଲ୍ ହେଲିପ୍ୟାଡ୍ରେ ଓହ୍ଲାଇଥିଲା । ଆଜି ପୁଣି ଗୋଟିଏ ଘଣ୍ଟାରେ ୩ଥର ଉକ୍ତ ପଡ଼ିଆରେ ସେନା ହେଲିକପ୍ଟର ପରୀକ୍ଷା ମୂଳକ ଭାବେ ଅବତରଣ କରିଥିଲା ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨୧ ତାରିଖ ବୁର୍ଲା ଗସ୍ତ ବେଳେ ତିନୋଟି ହେଲିକପ୍ଟର ଏମ୍ସିଏଲ୍ ହେଲିପ୍ୟାଡ୍ରେ ଅବତରଣ କରିବ । ଏହି ହେଲିପ୍ୟାଡ୍ରେ ଦୁଇଟି ହେଲିକପ୍ଟର ଅବତରଣ କରି ସାମଗ୍ରୀ ଏବଂ ସୁରକ୍ଷାକର୍ମୀଙ୍କୁ ଛାଡ଼ିବା ପରେ ଜମାଦାରପାଲିକୁ ଯିବ ବୋଲି ପ୍ରାୟତଃ ଚୂଡାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।