ପାରାଦୀପ,୧୬/୧୧: ଆଗାମୀ ୨୭ରେ ପାରାଦୀପ ବନ୍ଦର ପକ୍ଷରୁ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଲକ୍ଷ୍ୟ ରଖି ବନ୍ଦର ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ହାତକୁ ନିଆଯାଉଛି । ବିଶେଷ କରି ରାଷ୍ଟ୍ରପତିଙ୍କ ଗସ୍ତର ପ୍ରକୃତ କାର୍ଯ୍ୟକ୍ରମ ଆସନ୍ତା ୨୨ ତାରିଖ ପରେ ଜଣାପଡ଼ିବାକୁ ବାକି ଥିବା ବେଳେ ଏପଟେ କିନ୍ତୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିବା ନେଇ ବନ୍ଦର ପ୍ରଶାସନ ପକ୍ଷରୁ ଯୋଜନା କରାଯାଉଛି । ଏପରିକି ନେହରୁବଙ୍ଗଳାସ୍ଥିତ ମାଛ ଧରା ବନ୍ଦରକୁ ରାଷ୍ଟ୍ରପତି ବୁଲି ଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।
ଅବଶ୍ୟ କେତେ ସମୟ ସେଠାରେ ରହିବେ ଓ କଣ କରିବେ ସେ ନେଇ ସ୍ପଷ୍ଟ ହୋଇପାରିନି କିନ୍ତୁ ରାଷ୍ଟ୍ରପତି ମତ୍ସଜୀବୀଙ୍କର ଗୋଟିଏ ୨୨ ଜଣିଆ ଟିମ୍କୁ ଭେଟିବାକୁ ଯୋଜନା ଥିବା ଜଣାପଡ଼ିଛି । ଉକ୍ତ ଟିମ୍ ବା କମିଟିରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ମହାସଂଘର ୯ ଜଣ ସଦସ୍ୟ ରହିବେ ବୋଲି ସୂଚନା ମିଳିଥିବା ବେଳେ ଷଣ୍ଢକୁଦର ୩ ଜଣ ମତ୍ସ୍ୟଜୀବୀ ଓ ପାରାଦୀପର କିଛି ପାରମ୍ପରିକ ମତ୍ସ୍ୟଜୀବୀ ରହିବେ ବୋଲି ଜଣାପଡ଼ିଛି । ପାରାଦୀପ ମାଛଧରା ବନ୍ଦର ଉପରେ ନିର୍ଭର କରୁଥିବା ପ୍ରାୟ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କ ପରିବାର ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏଭଳି ଆଲୋଚନା ଆଗକୁ କି ଫଳ ଦେବ ସେ ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଲକ୍ଷ୍ୟରେ ରଖି ପାରାଦୀପକୁ ଆସୁଥିବା ଓ ପାରାଦୀପରୁ ଯାଉଥିବା ପ୍ରତ୍ୟେକ ବସ୍ର ରୁଟ୍ ସହର ମଧ୍ୟରେ ବଦଳାଇ ଦିଆଯାଇଛି । ଏନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନୋଟିସ୍ ଜାରି କରାଯାଇ ପ୍ରତ୍ୟେକ ବସ୍ ମାଲିକଙ୍କୁ ସୂଚନା ବି ଦିଆଯାଇଛି । ଆସନ୍ତା ୨୩ ତାରିଖରୁ ୨୭ ତାରିଖ ପାଖରୁ ୫ ଦିନ ଧରି କୌଣସି ବସ୍ ପାରାଦୀପ ବସ୍ ଷ୍ଟାଣ୍ଡ୍କୁ ଆସି ପାରିବେ ନାହିଁ । ଏହି ଦିନ ଗୁଡ଼ିକରେ ବସ୍ ଗୁଡ଼ିକ ମଧୁବନ କ୍ୟାବିନ୍ ମାର୍କେଟ୍ ନିକଟସ୍ଥ ଶ୍ରମିକ ଭବନ ଛକଠାରୁ ସବ୍ ଷ୍ଟେସନ୍ ଛକକୁ ଯାଇଥିବା ନୂଆ ରାସ୍ତାରେ ଚଳାଚଳା କରିବାକୁ ନିଷ୍ପତ୍ତି ହୋଇଛି । ଏପରିକି ସେହି ନୂଆ ରାସ୍ତାରେ ବସ୍ ଗୁଡ଼ିକ ରାତ୍ର ରହଣି ମଧ୍ୟ କରିବେ ବୋଲି ସୂଚନା ରହିଛି ।
ଏଥିସହ ବିଭିନ୍ନ ଜାଗାରେ ଉନ୍ନତିମୂଳକ କାମ କରାଯିବା ସହ ରାସ୍ତାଘାଟକୁ ଚକାଚକ୍ କରାଯାଉଛି । ବନ୍ଦର ୩ ନମ୍ବର ଗେଟ୍ ପାଖରୁ ଥାନା ଛକ ପର୍ଯ୍ୟନ୍ତ ମଝିରେ ରହିଥିବା ଡିଭାଇଡର୍ରେ ଫୁଲ ଗଛ ଲଗାଯିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ରାଷ୍ଟ୍ରପତି ଯିବାକୁ ଥିବା ରାସ୍ତା ଗୁଡ଼ିକରୁ ହମ୍ପ୍ସ ଗୁଡ଼ିକୁ ହଟାଇ ନିଆଯାଇଛି ଓ ଯାହା ଖାଲଖମା ରହିଛି ସେ ଗୁଡ଼ିକୁ ମରାମତି କରାଯାଉଛି । ବୁୁଧବାର ହେଲିକପ୍ଟର ଓହ୍ଲାଇବା ନେଇ ଏକ ମକ୍ଡ୍ରିଲ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏଥିସହ ବିଭିନ୍ନ ଘର ଓ ପାଚେରି ଗୁଡ଼ିକୁ ମଧ୍ୟ ରଙ୍ଗ ମରା କାମ ଆରମ୍ଭ ହୋଇଛି । ଯେଉ ଜାଗାରେ ବିଦ୍ୟୁତ୍ ଖୁଣ୍ଟରେ ବଲ୍ବ ଜଳୁନି ସେଗୁଡ଼ିକୁ ମରାମତି କରାଯିବା ସହ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକରେ ରଙ୍ଗମରା କାମ ଚାଲିଛି । ଏପରିକି ବିଭିନ୍ନ ସ୍ଥାନରୁ ଜବରଦଖଲ ହଟାଯିବା ସହ ବିଶେଷ କରି ଉଠା ଦୋକାନୀଙ୍କୁ ସେମାନଙ୍କ ଜାଗାରୁ ହଟାଇ ଦିଆଯାଇଛି । ବସ୍ଷ୍ଟାଣ୍ଡ୍ ପରିସରରେ ଥିବା ୧୦ ଉଠା ଦୋକାନୀ ଓ ଗୋପବନ୍ଧୁ ଷ୍ଟାଡିୟମ୍ ଯିବା ବାଟରେ ଥିବା ପୋର୍ଟ କ୍ଲବ୍ ପାଖରେ ଥିବା ଜଣେ ଉଠା ଦୋକାନିଙ୍କୁ ମଧ୍ୟ ଜାଗାରୁ ହଟାଇ ଦିଆଯାଇଛି । ତେବେ ଏମାନଙ୍କୁ ଅନ୍ୟତ୍ର ବସିବାକୁ ଅନୁମତି ନଥିବାରୁ ସେମାନେ ଏବେ ପରିବାର କେମିତି ଚଳାଇବେ ସେନେଇ ଚିନ୍ତାରେ ଥିବା ଜଣାପଡ଼ିଛି । ମୋଟାମୋଟି କହିବାକୁ ଗଲେ ପାରାଦୀପକୁ ପ୍ରଥମଥର କରି ଦେଶର ରାଷ୍ଟ୍ରପତି ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମକୁ କିଭଳି ସବୁ ଦିଗରେ ସଫଳ କରାଯିବ ସେ କ୍ଷେତ୍ରରେ ବନ୍ଦର ପ୍ରଶାସନ ପୂରା ଅଣ୍ଟା ଭିଡ଼ିଛି ।