କାଶୀପୁର,୧୪/୧୧ : ଖଣି ଖାଦନ ପୂର୍ଣ୍ଣ ଏବଂ ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଞ୍ଚଳରୁ ଘୁଞ୍ଚୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବାଙ୍କାମ୍ୱ ପଞ୍ଚାୟତ ସଦର ବାସିନ୍ଦା ଶ୍ୟାମ ମାଝୀଙ୍କ ସାନ ପୁଅ ଜଗତୁ(୨୪)ଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ହୋଇଛି । ମଙ୍ଗଳବାର ମୃତଦେହକୁ ଆନ୍ଧ୍ରପ୍ରଦେଶରୁ ନିଜ ବାଙ୍କାମ୍ବ ଗାଁକୁ ଆଣିବା ପରେ ସତ୍କାର କରାଯାଇଛି । ଜଗତୁ ଆନ୍ଧ୍ରପ୍ରଦେଶର ଏକ ପଥର କ୍ରସରରେ ହିଟାଜି ଅପରେଟର ଭାବେ କାର୍ଯ୍ୟ କରୁଥିଲେ ।
ଗତ ଦୁଇଦିନ ତଳେ ପାହାଡ଼ ଉପରେ କାମ କରୁଥିବାବେଳେ ମେସିନ ସହ ପ୍ରାୟ ୩ଶହ ଫୁଟ୍ ତଳକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ମେସିନ୍ ତଳେ ଚାପି ହୋଇ ତାଙ୍କ ମୃତ୍ୟୁ ହୋଇ ଥିବା ଜଣାଯାଇଛି । ସେ ବିବାହିତ ଥିବାବେଳେ ଘର ପରିବାର ବିଧବା ମା’ ଏବଂ ପତ୍ନୀ ଥିବା ଜଣାପଡ଼ିଛି। ସକାଳେ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ଶ୍ୟାମଙ୍କ ଚାରି ପୁଅ ମଧ୍ୟରୁ ସାନପୁଅ ଜଗତୁ ଗତ କିଛି ମାସ ହେବ ଆନ୍ଧ୍ରପ୍ରଦେଶରେ ରହି ଦାଦନ ଭାବେ କାମ କରୁଥିଲେ । ଗତ ଦୁଇ ମାସ ତଳେ ଜଗତୁ ଘରକୁ ଆସିଥିଲେ । ବାଙ୍କାମ୍ୱ ପଞ୍ଚାୟତର ବହୁ ଜଣ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଦାଦନ ଭାବେ ଖଟୁଥିବା ଜଣାପଡ଼ିଛି। ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକମାନେ ମୃତଦେହ ହୋଇ ଘରକୁ ଫେରୁଥିବା ନଜିର ରହିଛି । ବର୍ତ୍ତମାନ ସୁଦ୍ଧା ବାଙ୍କାମ୍ବ ଗ୍ରାମର ତିନି ଜଣ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଛି । ଗରିବ ଶ୍ରେଣୀର ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହେଉଛି ।