ଜାପାନ – ଅଡୁଆରେ ଜାପାନୀ ସହରର ମେୟର। ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇ ଯାଇଛନ୍ତି ୭୪ବର୍ଷିୟ ମେୟର ହିଡିଓ କୋଜିମା। ଜାପାନୀ ସହର ଗିନାନରେ ଘଟିଛି ଏହି ଘଟଣା । ମେୟର କୋଜିମା ଗୁରୁବାର ( ୨୯ ଫେବରୁଆରୀ)ରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେ ନିଜର ଅନେକ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବାର ଏକ ଥାର୍ଡ ପାର୍ଟି କମିଟିର ଯାଞ୍ଚ ରିପୋର୍ଟ ଦ୍ୱାରା ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ଜାପାନ ଟାଇମ୍ସର ରିପୋର୍ଟ ଆଧାରରେ , ସଂପୃକ୍ତ କମିଟି ମେୟରଙ୍କ ୯୯ଟି ଅନୈତିକ କାର୍ଯ୍ୟକୁ ଚିହ୍ନଟ କରିଛି , ଯେଉଁଥିରେ ସେ ମହିଳା କର୍ମଚାରୀଙ୍କ ମୁଣ୍ଡ ଓ ଅଣ୍ଟାକୁ ସ୍ପର୍ଶ କରିବା ସାମିଲ ଅଛି। ୩ୟ ପକ୍ଷ ( ଥାର୍ଡ ପାର୍ଟି) କମିଟି , ମଙ୍ଗଳବାର ( ୨୭ ଫେବ୍ରୁଆରୀ)ରେ କୋଜିମାଙ୍କ ବିରୋଧରେ ବିଭିନ୍ନ ଯୌନ ଉତ୍ପୀଡ଼ନ ଅଭିଯୋଗ ଉପରେ ନିଜର ରିପୋର୍ଟ ପ୍ରକାଶିତ କରିଥିଲା।
ଉକ୍ତ କମିଟି ରିପୋର୍ଟରେ ଉତ୍ପୀଡ଼ନର ୯୯ଟି ଅନୈତିକ କାର୍ଯ୍ୟକଳାପକୁ ଚିହ୍ନଟ କରିଛି। ଯେଉଁଥିରେ ମୁଣ୍ଡକୁ ଓ ଅଣ୍ଡାକୁ ଛୁଇଁବା , ସେମାନଙ୍କ ତାଙ୍କର ସ୍କର୍ଟ ଉଠାଇବାକୁ ବାଧ୍ୟ କରିବା ଓ ତାଙ୍କୁ ଛାତି ଓ ପାଦକୁ ତାଙ୍କ ସାମନାରେ ଦେଖାଇବା ମଧ୍ୟ ସାମିଲ ଅଛି । ରିପୋର୍ଟରେ ଅନେକ ଯୌନ ଟିପ୍ପଣୀ ଓ ବ୍ୟବାହରକୁ ମଧ୍ୟ ଉଲ୍ଲେଖ କରାଯାଇଛି, ଯାହାକି ସହରର ମେୟରଙ୍କ ପାଇଁ ଅନୁଚିତ ମନେହୋଇଛି।
ମେୟର କୋଜିମାଙ୍କ ଅଧିନରେ କାମ କରୁଥିବା ୧୯୩ଜଣ କର୍ମଚାରୀଙ୍କ ମଧ୍ୟରୁ ୧୬୧କୁ ନେଇ ସର୍ଭେ ହୋଇଥିଲା। ଯେଉଁଥିରେ ୮୦ ଜଣ ପୁରୁଷ ଓ ୮୧ ଜଣ ମହିଳା ଥିଲେ। ଏଥିରେ ୫୮ ପ୍ରତିଶତ ମହିଳା ଓ ୫୩.୭ ପ୍ରତିଶତ ପୁରୁଷ କହିଥିଲେ କି ମେୟର ତାଙ୍କୁ ଅସହଜ ଅନୁଭବ କରାଇ ଥିଲେ। ୮୫ ପ୍ରତିଶତ ପୁରୁଷ ଓ ୮୧.୪ ପ୍ରତିଶତ ମହିଳା କହିଥିଲେ କି ତାଙ୍କୁ ସେ କର୍ମଚାରୀଙ୍କୁ ଯୌନ ଉତ୍ପୀଡ଼ନ ବା ମୌଖିକ ଭାବେ ଦୁର୍ବ୍ୟବହାର କରିବାର ଦେଖିଛନ୍ତି।
ରିପୋର୍ଟ ଅନୁସାରେ , ଏହି ନିଷ୍କର୍ଷ ପରେ ଅନ୍ୟ କୌଣସି ବିକଳ୍ପ ବିନା କୋଜିମାଙ୍କ ତୁରନ୍ତ ଇସ୍ତଫା ଦାବି ଉଠିଥିଲା। ବୁଧବାର ୭୪ ବର୍ଷିୟ କୋଜିମା ଏକ ସାମ୍ୱାଦିତ ସମ୍ମିଳନୀକୁ ସମ୍ୱୋଧିତ କରି ( ଯିଏକି ନଭେମ୍ୱର ୨୦୨୦ରେ ମେୟର ଚୟନ ହୋଇଥିଲେ) ଉକ୍ତ ଯାଞ୍ଚ କମିଟିର ରିପୋର୍ଟକୁ ଖଣ୍ଡନ କରିଥିଲେ ଏବଂ ଏହାକୁ ପକ୍ଷପାତପୂର୍ଣ୍ଣ ବୋଲି କହିଥିଲେ।
କୋଜିମା କହିଥିଲେ – ମୋତେ ଲାଗୁଛି ଯାଞ୍ଚ ସମିତିର ରିପୋର୍ଟରେ ନିଷ୍ପକ୍ଷତାର ଅଭାବ ରହିଛି। ଏହା ପକ୍ଷପାତପୂର୍ଣ୍ଣ। ମୋର ମନେ ହେଉଛି ଯଦି ଯାଞ୍ଚରେ ଅଧିକ ସାବଧାନତାପୂର୍ବକ ସ୍ପଷ୍ଟୀକରଣ ଦିଆଯାଇ ଥାନ୍ତା ତ ଭଲ ହୋଇଥାନ୍ତା । ଲୁହ ଛଳ ଛଳ ଆଖିରେ କୋଜିମା କ୍ଷମା ମାଗିଥିଲେ ଏବଂ କହିଥିଲେ ମୁଁ ଯେଉଁ ସମସ୍ୟା ସୃଷ୍ଟି କରିଛି , ଏହାକୁ ନେଇ କ୍ଷମା ମାଗୁଛି , ମୁଁ ଇସ୍ତଫା ଦେଇ ଦେଉଛି।
ଅନ୍ୟପଟେ ଇସ୍ତଫାକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ଥିର ହୋଇ ନାହିଁ। ଏଥିପାଇଁ ନଗର ବିଧାନସଭାର ସହମତିର ଆବଶ୍ୟକ ରହିଛି , ଯାହାର ବୈଠକ ଶୁକ୍ରବାର (୧ ମାର୍ଚ୍ଚ)ରେ ହେବ। ଯଦି ଅନ୍ତିମ ରୂପ ଦିଆଯାଏ ତ ମେୟର ନିର୍ବାଚନ ଅପ୍ରେଲ ମାସ ଶେଷ ସୁଦ୍ଧା ହେବାର ଆଶା ରହିଛି।