କୋଲକାତା: ୨୦୨୩ ବିଶ୍ବକପର ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ୪୯.୪ ଓଭରରେ ଅଲଆଉଟ ହୋଇ ୨୧୨ ରନ୍ କରିବାରେ ସଫଳ ହୋଇଛି ଦକ୍ଷିଣ ଆଫ୍ରିକା । ଆଜିର ମ୍ୟାଚ୍ରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦଳ । ହେଲେ ଆରମ୍ଭରୁ ଝୁଣ୍ଟିବା ସହ ମାତ୍ର ଏକ ରନ୍ରେ ଗୋଟିଏ ଓ୍ବିକେଟ ହରାଇଥିଲା ଦକ୍ଷିଣ ଆଫ୍ରକିା । ଅଧିନାୟକ ତେମ୍ବା ବାଭୁମା ଖାତା ନଖୋଲି ମିଚେଲ ଷ୍ଟାର୍କଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।
ତାପରେ ୮ ରନ୍ରେ ଦଳକୁ ଲାଗିଥିଲା ବଡ଼ ଝଟକା । କ୍ବିଣ୍ଟନ ଡିକକ୍ କେବଳ ୩ ରନ୍ କରି ଆଉଟ ହୋଇଥିଲେ । ଆଜିର ମ୍ୟାଚ୍ରେ ଡେଭିଡ ମିଲର ୧୦୧ ରନ୍ କରି ଦଳକୁ ଏକ ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ନେବାରେ ସାହାୟକ ହୋଇଛନ୍ତି । ତାଙ୍କ ପରେ ହେନରିକ୍ କ୍ଲାସେନ୍ ୪୭ ରନ୍ କରିଛନ୍ତି ।
ସେପଟେ ଅଷ୍ଟ୍ରେଲିଆ ଟିମ୍ର ମିଚେଲ ଷ୍ଟାର୍କ ଏବଂ ପାଟ କୁମିନ୍ସ ଦକ୍ଷିଣ ଆଫ୍ରିକାକୁ ନିଜର ଘାତକ ବୋଲିଂ ଶିକାର କରିଛନ୍ତି । ଉଭୟ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଜୋସ ହାଜେଲଉଡ ଏବଂ ଟ୍ରେଭିସ ହେଡ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।
ତେବେ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଭଳି ବଡ଼ ଟିମ୍ ସାମ୍ନାରେ ୨୧୩ ରନ୍ର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଜିତିଲେ ଫାଇନାଲରେ ଭାରତ ସହ ମୁକାବିଲା କରିବ । ବିଶ୍ବକପ ଫାଇନାଲରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିବାକୁ ମିଳିପାରେ । ଏବେ ଦକ୍ଷିଣ ଆଫ୍ରିକାର ବୋଲରଙ୍କ ଉପରେ ଖେଳପ୍ରେମୀଙ୍କ ନଜର ରହିଛି ।