କଲମ୍ବୋ, ୧୨/୦୯: ଏସିଆ କପର ସୁପର-୪ ମୁକାବିଲା ଜାରି ରହିଛି । ଗତକାଲି ପାକିସ୍ତାନକୁ ହରାଇଥିବା ଟିମ୍ ଇଣ୍ଡିଆ ଆଜି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ଶ୍ରୀଲଙ୍କାର ବୋଲିଂ ସାମ୍ନାରେ ଭାରତୀୟ ବ୍ୟାଟର ଆତ୍ମସମର୍ପଣ କରିଛନ୍ତି । ସୋମବାର କିଙ୍ଗ କୋହଲିଙ୍କ ଦମଦାର ପ୍ରଦର୍ଶନ ପାକିସ୍ତାନକୁ ଚିନ୍ତାରେ ପକାଇଥିଲା । ହେଲେ ଆଜି ବିରାଟ କୋହଲି ନିରାଶ କରିଛନ୍ତି । ୧୨ ବଲରେ ମାତ୍ର ୩ ରନ୍ କରି ପାଭିଲିୟନ ଫେରିଛନ୍ତି କୋହଲି । ଆଜିର ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୩ ରନ୍ କରିଛନ୍ତି । ତାଙ୍କ ପରେ କେଏଲ ରାହୁଲ ୩୯ ଏବଂ ଇଶାନ କିଶନ ୩୩ ରନ୍ କରିଛନ୍ତି । ଶ୍ରୀଲାଙ୍କ ଟିମ୍ର ଘାତକ ବୋଲିଂରେ ଘାଇଲା ହୋଇଥିବା ଟିମ୍ ଇଣ୍ଡିଆ ୪୯.୧ ଓଭରରେ ଅଲଆଉଟ୍ ହୋଇଛି । ୧୦ ଓ୍ବିକେଟ ବିନିମୟରେ ମାତ୍ର ୨୧୩ ରନ୍ କରିଛି ଟିମ୍ ଇଣ୍ଡିଆ ।
ପାକିସ୍ତାନରେ ହାହାକାର; ଫାଇନାଲ ନିକଟତର ଟିମ୍ ଇଣ୍ଡିଆ, ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍...
ସେପଟେ ଶ୍ରୀଲଙ୍କାର ଦୁନିଥ୍ ଓ୍ବେଲାଲାଗେ ସର୍ବାଧିକ ୫ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଆଜି ସ୍ପିନର ଓ୍ବେଲାଲାଗେ ପ୍ରଥମେ ଶୁଭମନ ଗିଲ ଏବଂ ପରେ ରୋହିତ ଶର୍ମାଙ୍କୁ ବୋଲ୍ଡ କରିଥିଲେ । ପରେ ପରେ କୋହଲି, କେଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାକୁ ପାଭିଲିୟନ ଫେରାଇଥିଲେ ଓ୍ବେଲାଲାଗେ ।
ସୂଚନାଯୋଗ୍ୟ, ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ସୁପର -୪ ଚତୁର୍ଥ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ଭାରତୀୟ ଦଳ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଜିର ଏହି ମ୍ୟାଚ୍ରେ ଭାରତୀୟ ଦଳ ଏହାର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରି ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସାମିଲ କରିଛି।