ଭୁବନେଶ୍ଵର, ୨୬/୦୧ : ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୩ ତାରିଖ ଦିନ ଦିନିକିଆ ବିଦ୍ୟାଳୟସ୍ତରୀୟ ଉତ୍ସବ ଆୟୋଜିତ ହେବ। ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରଚାର ପ୍ରସାର କରିବା ଏହାର ଲକ୍ଷ୍ୟ। ବିଦ୍ୟାଳୟସ୍ତରୀୟ ଉତ୍ସବର ସର୍ବୋତ୍ତମ ପ୍ରକଳ୍ପ ବ୍ଲକ ସ୍ତରୀୟ ଉତ୍ସବରେ ୪ ତାରିଖ ଦିନ ପ୍ରଦର୍ଶିତ ହେବ। ବ୍ଲକ ସ୍ତରରେ ମନୋନୀତ ହୋଇଥିବା ପ୍ରକଳ୍ପ ୫ ତାରିଖ ଦିନ ଜିଲ୍ଲା ସ୍ତରରେ ପ୍ରଦର୍ଶିତ ହେବ।
ସମଗ୍ର ଶିକ୍ଷାର ଅଭିନବ ଶିକ୍ଷା ଯୋଜନାରେ ମାତୃଭାଷା ଦିବସରେ ପ୍ରଦର୍ଶନୀ ନିମିତ୍ତ ପ୍ରତ୍ୟେକ ବିଦ୍ୟାଳୟକୁ ୩ ହଜାର ଟଙ୍କା, ଗପ ଶୁଣିବା ଓ କହିବା ପାଇଁ ପ୍ରାଥମିକ ବିଦ୍ୟାଳୟକୁ ୧ ହଜାର ଟଙ୍କା, ଆର୍ଥିକ ଅନୁଦାନ ଦିଆଯାଇଛି।
ଏହି ସମାରୋହ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବ। ଏଥିସହ ସ୍ଥାନୀୟ ସଂସ୍କୃତି, ପରମ୍ପରା, ପ୍ରତିଭା ଏବଂ ଧାରଭାକୁ ପ୍ରୋତ୍ସାହିତ କରିବ। ଏହା ମାଧ୍ୟମରେ ଓଡ଼ିଆ ଭାଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ। ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିଖିବାର ଭାବନା ଜାଗ୍ରତ କରି ସେମାନଙ୍କର ସାମଗ୍ରିକ ବିକାଶରେ ସାହାଯ୍ୟ କରିବ।