କଟକ,୧୧/୧୧: ଆଗକୁ ଆସୁଛି ପିକ୍ନିକ୍, ବାହାଘର ଋତୁ । ସେଥିରେ ପୁଣି ଶୀତ ଦିନିଆ କୁହୁଡ଼ି । ତେଣୁ ସଡ଼କ ଦୁର୍ଘଟଣାର ଆଶଙ୍କା ଯଥେଷ୍ଟ ଅଧିକ । ଏହାକୁ ଦୃଷ୍ଟିରେ ରଖି ଗାଡ଼ି ଚଳାଚଳ କିପରି ନିୟନ୍ତ୍ରିତ ହୋଇପାରିବ, ଦୁର୍ଘଟଣା ହ୍ରାସ ପାଇବ ଓ ଟ୍ରାଫିକ୍ ଉଲ୍ଳଂଘନକାରୀମାନେ ସାବାଡ୍ ହେବେ ସେଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପୁଣି ଥରେ ରାଜ୍ୟରେ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ବା ‘ଜିରୋ ଫାଟାଲିଟି ୱିକ୍’ ଆରମ୍ଭ ହେବାକୁ ଯାଉଛି । ଡିସେମ୍ବର ପହିଲାରୁ ୭ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ସହ ସ୍ୱତନ୍ତ୍ର ଅଭିଯାନ ଚାଲିବ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ଆରଟିଓଙ୍କ ପକ୍ଷରୁ ଟ୍ରାଫିକ୍ ଉଲ୍ଳଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଜୋର୍ଦାର୍ ଚଢ଼ଉ ପାଇଁ ରାଜ୍ୟ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।
ଯୋଜନା ମୁତାବକ, ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଆର୍ଟିଓମାନେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବେ । ଏଥିସହ ନଭେମ୍ବରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ନେଇ ବିଭାଗୀୟ କର୍ତ୍ତୃପକ୍ଷମାନେ ଆବଶ୍ୟକ ପଦକ୍ଷେପ ନେବେ । ଏହା ଉପରେ ଆସନ୍ତା ୭ଦିନ ମଧ୍ୟରେ ଏକ ରିପୋର୍ଟ ଦାଖଲ ଲାଗି ସଡ଼କ ସୁରକ୍ଷା ସହ ଜଡ଼ିତ ବିଭିନ୍ନ ବିଭାଗକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହେଲମେଟ୍ ଯାଞ୍ଚ୍ କଡ଼ାକଡ଼ି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ଏହି ମର୍ମରେ ପରିବହନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ୨୦୨୨ରେ ୫ ହଜାର ୪୬୭ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସଡ଼କ ଦୁର୍ଘଟଣାରେ ୨୦୨୧ରେ ଯେତିକି ଲୋକଙ୍କ ମୃତ୍ୟୁ ହୋଇଥିଲା ୨୦୨୨ରେ ତାହା ୭.୬% ଅଧିକ ଥିଲା । ସେହିପରି ୨୦୨୩ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଦୁର୍ଘଟଣାରେ ଯେତିକି ଲୋକଙ୍କ ମୃତ୍ୟୁ ହୋଇଛି ୨୦୨୨ରେ ଏହି ସମୟରେ ତାହାଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ନଭେମ୍ବରରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ପିକ୍ନିକ୍ ପାଇଁ ଅନେକ ଦୂରସ୍ଥାନକୁ ଯାଇଥାନ୍ତି । ଅନେକ ବିବାହ ଉତ୍ସବ ମଧ୍ୟ ହୁଏ । ଏଥିପାଇଁ କୁହୁଡ଼ି ରାତିରେ ଗାଡ଼ି ଚଳାଚଳ ବଢିଯାଏ । ତେଣୁ ଦୁର୍ଘଟଣା ହେବାର ବହୁ ଆଶଙ୍କା ରହିଥାଏ । ଏହି ସମୟରେ ଦୁର୍ଘଟଣାକୁ କିପରି ହ୍ରାସ କରାଯାଇ ପାରିବ ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ।