କେସିଙ୍ଗା, ୧୧।୨: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବର୍ତ୍ତମାନ କଲେଜ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଯାହାକି ସରକାରଙ୍କ ବିଭିନ୍ନ ଅନୁଦାନ ଏବଂ କେସିଙ୍ଗା ବ୍ଲକ୍ ଓ ଏନ୍ଏସି ପ୍ରଶାସନର ସହଯୋଗରେ କଲେଜ ପରିସରରେ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି । ଯାହାକି କେସିଙ୍ଗା ମହାବିଦ୍ୟାଳୟ ସ୍ଥାପିତ ହେବାର ଦୀର୍ଘ ୪୨ ବର୍ଷର ବ୍ୟବଧାନ ପରେ କଲେର ଭିତ୍ତିଭୂମିକୁ ବର୍ତ୍ତମାନ ଅନୁସରଣ କଲେ ନୂଆ ପରିଚୟ ସୃଷ୍ଟି କରିଛି ଏବଂ କଲେଜ ପରିସର ଏକପ୍ରକାର ସୌନ୍ଦର୍ଯ୍ୟମୟ ଆଡ଼କୁ ଗତି କରୁଛି ।
କଲେଜର ମୁଖ୍ୟ ଗେଟ୍ଠାରୁ ଦ୍ୱିତୀୟ ଗେଟ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଡ଼ରେ ନୂତନ ଭାବେ ପାଚେରୀ ନିର୍ମାଣ କରାଯାଇଛି । ପାଚେରୀକୁ ସୌନ୍ଦର୍ଯ୍ୟମୟ କରିବା ପାଇଁ ଶହୀଦ ବୀର ବିର୍ସା ମୁଣ୍ଡା, ରେଣ୍ଡୋ ମାଝୀ, ସନ୍ଥକବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ସମ୍ବିଧାନ ପ୍ରଣେତା ଡଃ ବି ଆର୍ ଆମ୍ବେଦକରଙ୍କ ଭଳି ଅନେକ ମହାପୁରାଷମାନଙ୍କ ଦ୍ୱାରା ବର୍ଣ୍ଣତ ବାଣୀ ଏବଂ ଶିଶୁ କନ୍ୟା ସୁରକ୍ଷା, ପାଣି ସୁରକ୍ଷା ଭଳି ଅନେକ ସଚେତନତା ବାର୍ତ୍ତା ନେଇ ଚିତ୍ରକଳା କରାଯାଇଛି । ଏଭଳି ଚିତ୍ରକଳାକୁ ନେଇ କଲେଜ ପାଚେରୀ ଶୋଭାପାଉଛି । ବର୍ତ୍ତମାନର ଛାତ୍ର ସମାଜ ପାଇଁ କଲେଜ ପାଚେରୀରେ ଏଭଳି ସଚେତନତା ଚିତ୍ରକଳାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।