ନୂଆଦିଲ୍ଲୀ ୦୨/୦୯: ସୂର୍ଯ୍ୟର ଅଧ୍ୟୟନ ପାଇଁ ଅଦ୍ୟାବଧି ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା, ୟୁରୋପୀୟ ସ୍ପେସ୍ ଏଜେନ୍ସି ଏବଂ ଜର୍ମାନ ଏରୋସ୍ପେସ୍ ସେଣ୍ଟର ପୃଥକ ଏବଂ ମିଳିତ ଭାବେ ମିଶନ କରିଛନ୍ତି । ଏହାବାଦ୍ ନାସା ଏକାଧିକ ସୂର୍ଯ୍ୟ ମିଶନ ପଠାଇଛି । ଏଥିରେ ଏସ୍, ୱିଣ୍ଡ୍, ହିନୋଡ୍, ସୋଲାର ଡାଏନାମିକ୍ସ ଅବ୍ଜରଭଟୋରୀ ଏବଂ ଷ୍ଟିରିଓ ସାମିଲ । ସୋହୋ ମିଶନକୁ ନାସା ଏବଂ ୟୁରୋପୀୟ ସ୍ପେସ୍ ଏଜେନ୍ସିରେ ମିଳିତ ଭାବେ ଲଞ୍ଚ୍ କରିଥିଲେ । ପାର୍କର ସୋଲାର ପ୍ରୋବ୍ ୪ ବର୍ଷ ଧରି ସୂର୍ଯ୍ୟ ପୃଷ୍ଠର ସବୁଠୁ ନିକଟରେ ଘୂର୍ଣ୍ଣନ କରୁଛି । ଆଇରିସ୍ (ଇଣ୍ଟରଫେସ୍ ରିଜନ ଇମେଜିଂ ସ୍ପେକ୍ଟ୍ରୋଗ୍ରାଫ୍) ସୂର୍ଯ୍ୟପୃଷ୍ଠରେ ହାଇ ରିଜୋଲ୍ୟୁସନ ବା ଅତିଉନ୍ନତମାନର ଫଟୋ ନେଉଛି ।
ସୂର୍ଯ୍ୟ ଅଧ୍ୟୟନରେ ଅଦ୍ୟାବଧି ସବୁଠୁ ବଡ଼ ଉପଲବ୍ଧି ହେଉଛି ନାସାର ପାର୍କର ସୋଲାର ପ୍ରୋବ୍ ମିଶନ, ଯାହା କି ସୂର୍ଯ୍ୟର ସବୁଠୁ ନିକଟରେ ପହଞ୍ଚିବାରେ ଏକମାତ୍ର ମହାକାଶୀୟ ଯାନ । ଏହା ସୂର୍ଯ୍ୟର ଉପର ବାୟୁମଣ୍ଡଳ ଦେଇ ଗତି କରିଥିବା ନେଇ ନାସା ୨୦୨୧ ଡିସେମ୍ବର ୧୪ରେ ଘୋଷଣା କରିଥିଲା । କୌଣସି ମହାକାଶୀୟ ଯାନ ଇତିହାସରେ ପ୍ରଥମ ଥର ସୂର୍ଯ୍ୟକୁ ଛୁଇଁ ଥିବା ନାସା ଦାବି କରିଥିଲା । ପାର୍କର ସୋଲାର ପ୍ରୋବ୍କୁ ଏପରି ବନାଯାଇଛି ଯେ ସୂର୍ଯ୍ୟପୃଷ୍ଠରୁ ୬୫ ଲକ୍ଷ କିଲୋମିଟର ପରିଧିରେ ଏହା ଯାଇପାରିବ । ଯାହାଦ୍ୱାରା ସୌର ପ୍ରବାହ ବା ସୋଲାର ୱିଣ୍ଡ୍ ବାବଦରେ ତଥ୍ୟ ମିଳିପାରିବ ।