କରଞ୍ଜିଆ, ୧୬/୯ : ଶୁକ୍ରବାର ସକାଳେ ଝାଡ଼ଖଣ୍ଡୀ ହାତୀପଲ ଦେଓ ନଦୀ ଅତିକ୍ରମ କରି କେନ୍ଦୁଝର ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡର ବଡଦେଉଳୀ ନିକଟରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୫ ଟି ଦନ୍ତା, ୯ ଟି ମାଈ ଏବଂ ୮ଟି ଛୁଆ ହାତୀ ରହିଛନ୍ତି। ତେବେ ୧୮ ଦିନ ପୂର୍ବରୁ ଜନ୍ମ ହୋଇଥିବା ଗୋଟିଏ ହାତୀ ଛୁଆର ଦେହ ଅସୁସ୍ଥ ହେବାରୁ ହାତୀପଲ ତାକୁ ଭଅଁରା ହୁଡିସାହି ନିକଟରେ ବିଲରେ ଛାଡ଼ି ଦେଇ ନିକଟରେ ଥିବା ବଡଦେଉଳୀ ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିଲେ। ଏହି ଖବର ବନ ବିଭାଗ ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ନିର୍ଦ୍ଦେଶ ମତେ ବନ କର୍ମଚାରୀ ପ୍ରାୟ ସାଢେ଼ ସାତଟା ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବନ କର୍ମଚାରୀମାନେ ହାତୀ ଛୁଆକୁ ଉଦ୍ଧାର କରି କରଞ୍ଜିଆ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଚିକିତ୍ସା କରୁଛନ୍ତି। କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ଏନେଇ ସୂଚନା ଦେଇଛନ୍ତି। ତେବେ ଅତ୍ୟଧିକ ଥଣ୍ଡା ଓ ଜ୍ୱର ଯୋଗୁଁ ହାତୀ ଛୁଆର ଦେହର ତାପମାତ୍ରା କମ୍ ରହିଥିବାରୁ ଅବସ୍ଥା ଉଦବେଗଜନକ ରହିଛି। କରଞ୍ଜିଆ ପ୍ରାଣୀ ଚିକିତ୍ସାଳୟ ଡାକ୍ତର ପ୍ରଦୀପ କୁମାର ସାହୁ ଓ ଡ଼ଃ ଆଶିଷ ହାତୀ ଛୁଆର ଚିକିତ୍ସା କରୁଥିବା ବେଳେ ପଶୁ ନିରୀକ୍ଷକ ପୁଷ୍ପାଞ୍ଜଳି ମହାନ୍ତ ଓ ତାପସ ମଲ୍ଲିକ ସେମାନଙ୍କୁ ସହଯୋଗ କରୁଛନ୍ତି।