ପ୍ରମୂଖ ଖବର

ଗୋଟିଏ ଛୋଟ ମାନଚିତ୍ର ଯଥେଷ୍ଟ

ଅବସର ନେବାପରେ ପରିବାର ସଦସ୍ୟଙ୍କ ଇଚ୍ଛା ବିରୁଦ୍ଧରେ ମୁଁ ମାସରେ ଅନ୍ତତଃ ୧୦/୧୨ ଦିନ ଗାଁରେ ରହୁଥିଲି । ଗାଁରେ ଅବଶ୍ୟ କିଛି ଅସୁବିଧା ନଥିଲା ଏବଂ ସତ କହିବାକୁ ଗଲେ ପିଲାବେଳର ଗାଁ ଅନ୍ୟାନ୍ୟ ଅନେକ ଗାଁ ପରି ଅଧା ସହରରେ ରୂପାନ୍ତରିତ ହୋଇସାରିଥିଲା । ଭଲ ରାସ୍ତାଘାଟ, ସ୍କୁଲ କଲେଜ, ପୂର୍ବାପେକ୍ଷା ଉନ୍ନତ ଡାକ୍ତରୀ ଚିକିତ୍ସା ସହିତ ୨୪ଘଣ୍ଟା ବିଜୁଳି ଏବଂ ଇଣ୍ଟରନେଟ ଗାଁର ଚେହେରା ବଦଳେଇ ସାରିଥିଲା । କିନ୍ତୁ ମୋ ପିଲାଦିନେ ଗାଁକୁ ଭାରି ଆକର୍ଷଣୀୟ କରି ରଖିଥିବା ଚିତ୍ରୋତ୍ପଳାର ଚମତ୍କାର ନଈକୂଳ, ଶୀତଦିନେ ନଈପଠାରେ ଆଖିପାଉନଥିବା ସୋରିଷ ଫୁଲ କିଆରି, ଶରତର କାଶତଣ୍ଡୀ ଫୁଲ, ସନ୍ଧ୍ୟା ଆକାଶରେ ନୀଡ଼କୁ ଫେରୁଥିବା ଦଳ ଦଳ ପକ୍ଷୀ, ଥରେ ଥରେ ଖୁବ୍‌ ପାଖଦେଇ ଦୌଡ଼ି ଯାଉଥିବା କୋକିଶିଆଳୀ, ବାଡ଼ିରେ  କଣ୍ଟେଇ କୋଳି, ବେତକୋଳି, ଜାତି ଜାତି ଫୁଲ- ଏସବୁ କିଛି ନଥିଲା । ଯାହା ବି ବାକି ଥିଲା ୧୯୯୯ ମହାବାତ୍ୟା ସେସବୁ ପୋଛି ଦେଇଥିଲା । ଜେଜେ ଓ ବାପା ଚାଲିଯିବା ପରେ ଆମ ଆଗ ଓ ପଛ ବାଡ଼ି ଭାରି ଖାଁ ଖାଁ ଲାଗୁଥିଲା । ଘରେ ପିଲାମାନେ ମୋତେ ପଚାରିଥିଲେ ଯେ, ଗାଁରେ ଜମିବାଡ଼ି ଉଜୁଡି ସାରିଥିବା ବେଳେ ଏବଂ ମୋ ଖବର ବୁଝିବାକୁ କେହି ନଥିବାବେଳେ ମାସରେ ୧୫ଦିନ ଗାଁରେ ରହିବା ପାଇଁ ମୁଁ ନିଷ୍ପତ୍ତି ନେଲି କେମିତି! ଅବଶ୍ୟ ପିଲାଙ୍କ ପ୍ରଶ୍ନର ଉତ୍ତର ଦେବା ଏତେ ସହଜ ନଥିଲା, କାରଣ ତାହା ଥିଲା ବାସ୍ତବ ସ୍ଥିତି, ତଥାପି ମାସର କିଛିଦିନ ମୁଁ ଗାଁରେ ରହିବାକୁ ଚାହୁଁଥିଲି । ଏକଥା ବି ଜାଣିଥିଲି ଏକା ମୋ ଗାଁର ନୁହେଁ, ଏବେ ସବୁ ଗାଁର ସମାନ ଅବସ୍ଥା ।

ମୁଁ ଜାଣିଥିଲି, ଯାହା ଚାଲିଯାଇଛି ସେ ସମସ୍ତର ପୁନରୁଦ୍ଧାର ଏତେ ସହଜ ନୁହେଁ, ହୁଏତ ମୋ ଜୀବଦ୍ଦଶାରେ ଅସମ୍ଭବ, ତଥାପି ଆମ ଘରକୁ ଘେରି ରହିଥିବା ପ୍ରାୟ ୫ ଏକର ଜମିକୁ (ଘରବାଡ଼ି) କେତେକାଂଶରେ ପୁନରୁଦ୍ଧାର କରିବା ପାଇଁ ମୋର ଆଗ୍ରହ ଥିଲା । ସେଥିରୁ ପ୍ରାୟ ୩ ଏକର ଥିଲା ବଗିଚା ଯେଉଁଥିରେ ଜେଜେ ଲଗେଇଥିଲେ କେତେ ଜାତିର ଗଛ- ଆମ୍ବ, ପଣସ, ଜାମୁଡୋଳ, ସପେଟା, ଲିଚୁଠୁ ଆରମ୍ଭ କରି ଫାର୍ସାକୋଳି, କଇଥ, ବେଲ, ଜାମୁକୋଳି, ପିଜୁଳି ଓ କେତେ ପ୍ରକାର ଲେମ୍ବୁ ପର୍ଯ୍ୟନ୍ତ । ମନେପଡ଼ିଲା, ଖରାଦିନେ ଆମ୍ବଗଛ ମୂଳରେ ଲଗା ହୋଇଥିବା ସପୁରି ଚୋରି ପାଇଁ ବାଡ଼ ଭାଙ୍ଗି ଅନେକ ଛୋଟପିଲା ପଶିଥିବେ ଏବଂ ଜେଜେ ତାଙ୍କ ପଛରେ ଦୌଡ଼ିନପାରି ଗୋଟାଏ ଜାଗାରେ ଠିଆ ହୋଇ ଗାଳି କରୁଥିବେ- ଆରେ ବାଳୁଙ୍ଗା ଦଳ, ସବୁତ ନେଲଣି... ସାବିତ୍ରୀ ଅମାବାସ୍ୟାକୁ ହେଲେ କିଛି ଥାଉ! ସବୁବର୍ଷ ଆମ୍ବ ଫଳୁଥିଲା, ପଛବାଡ଼ି ନହେଲେ ଆଗ ବାଡ଼ିରେ ଯେଉଁଠି ଜେଜେ କଲମୀ ଆମ୍ବ ଲଗାଇଥିଲେ । ମୋର ମନେଅଛି, ମୁଁ ସପ୍ତମରେ ପଢ଼ିଲା ବେଳେ ଆମ ଘର ଆଗରେ ଥିବା ଏକ ପଣସ ଗଛରେ ପ୍ରଥମ କରି ଫଳିଥିବା ପଣସ ଏତେ ବଡ଼ ଥିଲା ଯେ, ଜେଜେ ତା’ପାଇଁ ରୀତିମତ ଦୋଳି ବ୍ୟବସ୍ଥା କରିଥିଲେ । ତାହା କାମ ଦେଲାନାହିଁ । ପଣସ ପାଚିଲା ବେଳକୁ ମାଟିକୁ ଛୁଇଁ ସାରିଥିଲା ଏବଂ ସେଇ କେତେଦିନ ଗାଁର ଅଧିକାଂଶ ବାସିନ୍ଦା ଆମ ଦାଣ୍ଡରେ ପଣସ ଦେଖିବାକୁ ବେଶ୍‌ ଭିଡ଼ କରିଥିଲେ । ଜେଜେ ଖୁବ୍‌ ଖୁସି ଜଣାପଡୁଥିଲେ ଏବଂ ତାଙ୍କ ସ୍ୱଭାବ ସୁଲଭ ଢଙ୍ଗରେ ପଣସ ଗାଁରେ ବଣ୍ଟା ହୋଇଥିଲା ସମସ୍ତଙ୍କ ଘରେ । ଆଗ ବାଡ଼ିରେ ଜେଜେ କଲମୀ ଆମ୍ବ ବ୍ୟତୀତ ଲଗେଇଥିଲେ ଔଷଧୀୟ ଗଛ, ଯାହା ଭିତରେ ଅନ୍ତର୍ଭୁକ୍ତ ଥିଲା ଅଶୋକ, ଅଁଳା, ନିମ୍ବ, ଅର୍ଜୁନ, ହରିଡ଼ା ଇତ୍ୟାଦି । ପ୍ରାୟ ରବିବାର ଜେଜେଙ୍କ ପାଖରେ ସକାଳୁ ସକାଳୁ ୧୦/୧୫ ଜଣ ଲୋକ ପହଞ୍ଚୁଥିଲେ ଆଖପାଖ ଗାଁରୁ । ଜେଜେ ତାଙ୍କ ବାପାଙ୍କ ପାଖରୁ କବିରାଜି କିଛିକାଂଶରେ ଶିଖିଥିଲେ । ସେମାନଙ୍କଠୁ କ’ଣ ରୋଗ ହେଇଛି ଶୁଣିବା ପରେ ସମସ୍ତଙ୍କୁ ଦାଣ୍ଡପିଣ୍ଡାରେ ବସାଇ ଆମ ଘରେ କାମ କରୁଥିବା ଜଣେ ବୟସ୍କଙ୍କୁ ଧରି ସେ ଆଗ ବାଡ଼ିକୁ ଯାଉଥିଲେ । ଫେରିଲା ବେଳେ ଧରି ଆସୁଥିଲେ କେତେ ପ୍ରକାର ପତ୍ର, ଚେର ଓ ଗଛର ଛେଲି । ସେସବୁ ଥିଲା ଜେଜେଙ୍କ ଔଷଧ । ଛୋଟବେଳେ ମୁଁ ଥରେ ଜେଜେଙ୍କୁ ପଚାରିଥିଲି- କ’ଣ ସବୁ ରୋଗ ତୁମେ ଭଲ କରିପାରିବ? ହସି ହସି ଜେଜେ କହିଲେ- ନାଇଁରେ ବାପା, ଏସବୁ ସାଧାରଣ ପ୍ରତିକାର । ମୋର ଦୁଃଖ, ମୁଁ ମୋ ବାପାଙ୍କଠାରୁ ବେଶୀ କିଛି ଶିଖିପାରିଲି ନାହିଁ । ହେଲେ ବଡ଼ ହେବାପରେ ମୁଁ ଜାଣିଥିଲି ଜେଜେ ଯେତିକି ଶିଖିଥିଲେ ସେତିକି କିଛି କମ୍‌ ନଥିଲା ।

ଗାଁରେ ଋତୁ ପରିବର୍ତ୍ତନ ବାରି ହୋଇପଡୁଥିଲା । ଘୁ ଘୁ ନିଦାଘ, ବର୍ଷାଦିନେ ଲଗାଣ ବର୍ଷା ଓ ବନ୍ୟା ଏବଂ ଶୀତଦିନେ ପ୍ରଚଣ୍ଡ ଶୀତ ସହିତ ଶରତର ଉଦାର, ସ୍ନିଗ୍‌ଧ ପ୍ରକୃତି ସହିତ ବସନ୍ତର ବାସ୍ନା ସବୁର ହସ୍ତାକ୍ଷର ସ୍ୱତନ୍ତ୍ର ଥିଲା ।  ବର୍ଷାଦିନେ ପହିଲି ବର୍ଷାପରେ ପଛ ବାଡ଼ିରେ ଥିବା ଏକ ବଡ଼ ଉଇହୁଙ୍କାରୁ ଜେଜେମା’ ତୋଳି ଆଣୁଥିଲା ପାଛିଆ ପାଛିଆ ଛତୁ । ସୋରିଷବଟା ଆଉ ଆମ୍ବୁଲ ଦେଇ ସେ ରାନ୍ଧୁଥିଲା ଛତୁ ତରକାରି । ଅଦ୍ଭୁତ ଥିଲା ତାର ସ୍ୱାଦ । ଫଗୁଣ ମାସରେ ପଛ ବାଡ଼ିରୁ ଆମ୍ବ ବଉଳ ବାସ୍ନା ମହୁମାଛିଙ୍କୁ ଆକର୍ଷିତ କରୁଥିଲା ଏବଂ ଜେଜେ ସେଇ ତୋଟାରେ ବସେଇଥିଲେ ଦୁଇଟି ମହୁବାକ୍ସ ।  ବଉଳ ବାସ୍ନା ମହୁ ଚମତ୍କାର ଲାଗୁଥିଲା । ବର୍ଷାଦିନେ ବାଡ଼ିକୁ ଆସିବାକୁ ଡର ଲାଗୁଥିଲା । ଛୋଟ ଛୋଟ ବୁଦାଳିଆ ଗଛ ବଢିଯାଉଥିଲା ଏବଂ ସାପଙ୍କୁ  ଦେଖିବା ଅସ୍ୱାଭାବିକ ନଥିଲା । ମଝିରେ ମଝିରେ ବଣବୁଦା ଜେଜେ ସଫା କରୁଥିଲେ ବି ବାଡ଼ିରେ ସ୍ଥାୟୀଭାବରେ ଥିଲେ ଅନ୍ତତଃ ଯୋଡିଏ ବିଲୁଆ, ତିନି ଚାରିଟି କୋକିଶିଆଳୀ ଏବଂ ବେଶ୍‌ କିଛି ଠେକୁଆ ଏବଂ ନେଉଳ । କହିପାରନ୍ତି ଆମ ବାଡ଼ି ଥିଲା ଏକ ଜଙ୍ଗଲର ପ୍ରତିରୂପ । ପଛ ବାଡ଼ିରେ ଥିବା ଗାଡ଼ିଆରେ ଭାକୁର, ରୋହି, ବାଳିଆ, ଶେଉଳ, ମାଗୁର ଓ ରତା ସମେତ ପ୍ରବଳ କଉ ଥିଲେ । ମୁଁ ଅନେକ ଚେଷ୍ଟା ପରେ କଉ ବ୍ୟତୀତ ଅନ୍ୟ କୌଣସି ମାଛ ବନସୀରେ ପଡୁନଥିଲେ । ତେବେ ଗାଡ଼ିଆଟି ଥିଲା ବେଶ୍‌ କିଛି ଡାହୁକ ଏବଂ କିଛି ପାଣିକୁଆଙ୍କ ପ୍ରିୟ ବାସସ୍ଥଳୀ । ଗାଡ଼ିଆରେ ଗୋଟିଏ ପାଖରେ ଦଳ ଥିଲା ଏବଂ ସେଇଠି ହିଁ ସେମାନଙ୍କୁ ବେଶୀ ଦେଖିବାକୁ ମିଳୁଥିଲା । ଜେଜେଙ୍କୁ ଯେତେ ବାଧ୍ୟ କଲେବି ବର୍ଷରେ ଦୁଇ ଥରରୁ ଅଧିକ ମାଛ ଧରିବାକୁ ସେ ମନା କରିଦେଉଥିଲେ ।

ମୁଁ ଗାଁରେ ରହିବାର ଦୁଇବର୍ଷ ପରେ ଥରେ ମୋ ପୁଅ ନିଜ ପରିବାର ଧରି ହଠାତ୍‌ ଗାଁରେ ପହଞ୍ଚିଲା । ମୁଁ ଖୁବ୍‌ ଖୁସି ହେଲି । ସିଏ ବି ଖିଆପିଆ ସାରିବା ପରେ ଏବଂ ସମସ୍ତେ ବାଡ଼ି ଘର ବୁଲି ଦେଖିବା ପରେ ଶୋଇବା ବେଳକୁ ପୁଅ କହିଲା- ବାପା, ମୁଁ ସେତେବେଳେ କହିଥିଲି ଏବଂ ଆଜି ବି ସମାନ କଥା କହୁଛି ଯେ ଗାଁରେ ତୁମେ କ’ଣ ପାଇଁ ଅଛ! ସେତେବେଳକୁ ମୁଁ ପଛ ବାଡ଼ିର ପ୍ରାୟ ଏକ ଚାରି ଭାଗରୁ ଭାଗେ ସଫା କରି ସେଥିରେ ନୂଆ ବଗିଚା ସୃଷ୍ଟି କରିଥିଲି । ଆମ୍ବ, ପଣସ, ସପେଟା, ପିଜୁଳି ଏବଂ ଜାମୁଡୋଳ ଗଛ ଲଗେଇଥିଲି । ବାଡ଼ିର ଗୋଟାଏ କୋଣକୁ ସପୁରି ବି ଲଗେଇଥିଲି ।  ଗାଁରେ ତିନି ଚାରି ଜଣଙ୍କୁ ବାଡ଼ି କାମରେ ଖାସ୍‌ ଲଗେଇଥିଲି । ପୂରା ପଛ ବାଡ଼ି  ଭଲ କରି ବାଡ଼ ଦେଇଥିଲି । ଉଭୟ କଣ୍ଟା ଓ କଞ୍ଚା ବାଡ଼ । ଜେଜେଙ୍କ ଅମଳରେ ଗଡ଼ିଆ ପ୍ରାୟ ଶୁଖିଯାଇଥିଲା କହିଲେ ଚଳେ । ସେଥିପାଇଁ ବୋରୱେଲର ବ୍ୟବସ୍ଥା ମଧ୍ୟ କରିଥିଲି । ଯୋଜନା ଥିଲା ଆଗକୁ ବର୍ଷେ ଦୁଇବର୍ଷ ଭିତରେ ଉଜୁଡ଼ି ହୋଇ ପଡ଼ିଥିବା ଅବଶିଷ୍ଟ ଅଂଶର ପୁନରୁଦ୍ଧାର କରିବି । 

ପୁଅ କହିଲା- ବାପା, ମୁଁ ମାନୁଛି ଦୁଇବର୍ଷ ଭିତରେ ତୁମେ ବହୁତ କିଛି କଲଣି, କିନ୍ତୁ ଏଇ ଗଛ ବଡ଼ ହେବ ଫଳ ଫଳିବ, ତୁମର ଦେଖିବା ପାଇଁ ବେଳ କାହିଁ! ତକିଆକୁ ଆଉଜି ମୁଁ ବସିଥାଏ । କହିଲି- ବାପା, କେବେ ଡାକରା ଆସିବ ସେ ଖବର ମୋ ପାଖରେ ନାହିଁ । ଏବେ ମୁଁ ଖୁସି ଯେ, ଯେଉଁଠି ମୁଁ ଆସିଲା ବେଳକୁ ପ୍ରଜାପତିଟିଏ ଦେଖିବାକୁ ମିଳୁନଥିଲା ଦୁଇବର୍ଷ ପରେ ସକାଳୁ ବାଡ଼ିରେ ବୁଲି ଆସିଲା ବେଳେ ଏବେ ବେଶ୍‌ କିଛି ଚଢ଼େଇଙ୍କୁ ଭେଟୁଛି । ଗଛ ବଡ଼ ହେଲେ ଆର ବର୍ଷକୁ ଆହୁରି ଚଢ଼େଇ ଆସିବେ । ଦୁଇଦିନ ତଳେ ସପୁରି ବଣରେ ମୁଁ ଗୋଟେ ବିଲୁଆକୁ ଦେଖିଥିଲି । ବାଡ଼ିର ସେଇ ପାଖଟା ଟିକେ ବଣୁଆ । ଭାବୁଛି ଏଇ ବର୍ଷ ଗାଡ଼ିଆ ଖୋଳିବି । ପୁଅ କହିଲା- ବାପା ତୁମ ଜେଜେଙ୍କ ସମୟର ବାଡ଼ି ବଗିଚା ଫେରିବା ପାଇଁ ୫୦ବର୍ଷ ଲାଗିଯିବ । ଆଚ୍ଛା, ତୁମେ କହୁଥିଲ ତୁମ ଜେଜେ ମଣିଷମୁଣ୍ଡିଆ ଆମ୍ବ ଲଗେଇଥିଲେ? ବୋଧହୁଏ ମରି ଯାଇଥିବ! ମୁଁ ହସିଲି । କହିଲି- ଖୁସିର କଥା, ସେ ଗଛ ବଞ୍ଚିଛି । ବାପା, ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜେଜେ କେବଳ ବଗିଚା ଗଢ଼ିନଥିଲେ, ସହରରେ ରହିବା ପାଇଁ ତାଙ୍କ ପାଖରେ ସୁଯୋଗ ଥିଲା, ସମ୍ବଳ ଥିଲା, ପଦପଦବି ମଧ୍ୟ ସେ ଅଳକୃତ କରିପାରିଥାନ୍ତେ । ତେବେ ଜ୍ଞାତସାରରେ ସେ ଏଇ ଗାଁରେ ବଞ୍ଚିଥିଲେ ଏକ ପରିପୂର୍ଣ୍ଣ ଜୀବନ । ତାଙ୍କ ମାନଚିତ୍ର ଖୁବ୍‌ ଛୋଟ ଥିଲା ସତ, ତେବେ ଜେଜେ ଥିଲେ ପରିତୃପ୍ତ ସେଇ ଛୋଟ ମାନଚିତ୍ର ଭିତରେ ସନ୍ତୁଷ୍ଟ ଅଥଚ ଉଜ୍ଜଳ । ସେତେବେଳକୁ ଆମେ ମଣିଷମୁଣ୍ଡିଆ ଆମ୍ବଗଛ ପାଖାପାଖି ହୋଇ ସାରିଥିଲୁ । ପୁଅ କହିଲା- ବାପା, ହେଇ ଦେଖ, ସେ ଗଛମୂଳରେ ମାଆ ନେଉଳ ଓ ତାର ତିନିଟି କୌତୁକିଆ ଛୁଆ!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.