ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିନ୍ତା ବଢ଼ାଇଛି ସୋସିଆଲ୍‌ ମିଡିଆ ଗୁଜବ, ଏଆଇ ସହଯୋଗରେ ଜଗିବ ସାଇବର୍‌ ସ୍କ୍ୱାଡ୍

କଟକ, ୧୨/୦୪ : ନିର୍ବାଚନ ବେଳେ ସୋସିଆଲ୍‌ ମିଡ଼ିଆରେ ଫେକ୍‌ ନ୍ୟୁଜ୍‌ ବା ମିଛ ଖବର, ଭ୍ରମାତ୍ମକ ସୂଚନା ଓ ଗୁଜବ ଉପରେ ନଜର ରଖିବା କଟକ ପୁଲିସ ପାଇଁ ଚିନ୍ତା ବଢ଼ାଇଛି । ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ କିଛି ଖଳପ୍ରକୃତିର ବ୍ୟକ୍ତି ମିଛ ସୂଚନା ପ୍ରସାର କରି ଆଇନଶୃଙ୍ଖଳା ବିଗାଡ଼ି ପାରନ୍ତି ବୋଲି ପୁଲିସ ଆଶଙ୍କା କରୁଛି । ତେଣୁ ଏହା ଉପରେ କଡ଼ା ନଜର ରଖିବା ଓ ଆବଶ୍ୟକସ୍ଥଳେ ସେସବୁ ସୂଚନା ଓ ନିଉଜ୍‌କୁ ସୋସିଆଲ୍‌ ମିଡିଆରୁ ହଟାଇବା ପାଇଁ କଟକ ପୁଲିସ ଅଣ୍ଟା ଭିଡ଼ିଛି । ଏନେଇ କଟକ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠିତ ହୋଇଛି । 

ଜଣେ ଏସିପିଙ୍କ ନେତୃତ୍ୱରେ ‘ଏଆଇ’ (ବୈଷୟିକ ଜ୍ଞାନ) ସହଯୋଗରେ କଟକ ସାଇବର ସେଲ୍‌ ଫେକ୍‌ ନ୍ୟୁଜ୍‌ ଉପରେ ତଦାରଖ କାମ ହେବ । ପ୍ରଚାର ପ୍ରସାର ପାଇଁ ସୋସିଆଲ୍‌ ମିଡିଆ ଉପରେ ରାଜନୈତିକ ଦଳଗୁଡ଼ିକ ଅଧିକ ନିର୍ଭର କରୁଛନ୍ତି । ବିଶେଷ କରି କିଛି ପେସାଦାର ‘କଣ୍ଟେଟ୍‌ କ୍ରିଏଟର’ଙ୍କ ସହଯୋଗରେ ସେମାନେ ନିଜର ପ୍ରଚାର ପ୍ରସାର କରୁଛନ୍ତି । ବେଳେ ବେଳେ ବିରୋଧୀଙ୍କ ବିଷୟରେ ବିଭିନ୍ନ ଭିଡିଓ କ୍ଲିପ୍‌ ଓ ଫଟୋକୁ ନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥାନ୍ତି । ଏସବୁ ଭିଡିଓ ଏବଂ ଫଟୋର ସତ୍ୟତା ଯାଞ୍ଚ କରାଯାଇନଥାଏ । ଥରେ ସୋସିଆଲ୍‌ ମିଡିଆରେ ଆସିବା ମାତ୍ରେ ବିଜୁଳି ବେଗରେ ଭାଇରାଲ୍‌ ହୁଏ । ଯାହାର କିଛି ସକାରତ୍ମକ ପ୍ରଭାବ ପଡ଼ିବା ସହିତ ହଜାରେ ଗୁଣ ନକାରତ୍ମକ ପ୍ରଭାବ ପଡ଼େ । ଖାସ୍‌ କରି ପୋଷ୍ଟଟି ଯଦି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ, ସମୂହ ଓ ଧର୍ମ ବିଶେଷକୁ ନେଇ ହୋଇଥାଏ ତାହାଲେ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗାଡ଼ିଦିଏ । ଏପରିକି ଗଣ୍ଡଗୋଳ, ଗୋଷ୍ଠୀ ସଂଘର୍ଷ ସହିତ ଭୋଟରଙ୍କୁ ନିର୍ବାଚନରେ ପ୍ରଭାବିତ ମଧ୍ୟ କରିଥାଏ । ତେଣୁ ଏହା ମୁକ୍ତ ଓ ଅବାଧ ନିର୍ବାଚନରେ ବାଧା ଦେଇଥାଏ । ଏହାକୁ ଦୃଷ୍ଟିରେ ରଖି କଟକ ପୁଲିସ ପକ୍ଷରୁ ଏକ ସାଇବର ସ୍କ୍ୱାଡ୍‌ ଗଠନ ହୋଇଛି । ଏହି ସ୍କ୍ୱାଡ୍‌ରେ ସାଇବର ଥାନାର ଇନ୍ସପେକ୍ଟର, ୪ ଜଣ ଏସ୍‌ଆଇ, ଦୁଇ ଜଣ ଏଏସଆଇ ଓ ୪ ଜଣ କନ୍‌ଷ୍ଟେବଳ ରହିଛନ୍ତି । ଜଣେ ଏସିପିଙ୍କୁ ଏହାର ତାଦରଖ ଦାୟିତ୍ୱ ଦିଆଯାଇଛି । 

ତେବେ ‘ଏଆଇ’ ସହଯୋଗରେ ଏହି ଫେକ୍‌ ନିଉଜ ଉପରେ ନଜର ରଖାଯିବ । ଏକ ବେସରକାରୀ ସଂସ୍ଥା ପକ୍ଷରୁ ଏହି ସହଯୋଗ କରାଯାଉଛି । ଏଆଇ ଦ୍ୱାରା ପ୍ରମୁଖ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌, ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଏକ୍ସ(ଟୁଇଟର) ଉପରେ ନଜର ରଖାଯିବ । ‘ଏଆଇ’ରେ ପ୍ରାୟ ୫୦ରୁ ଅଧିକ ସ୍ଥାନୀୟ ଶବ୍ଦ ପ୍ରଦାନ କରାଯାଇଛି । ଉକ୍ତ ଶବ୍ଦ ସମ୍ପର୍କିତ ପୋଷ୍ଟ ଗୁଡ଼ିକ ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଆସିବା ମାତ୍ରେ ତାହା ‘ସାଇବର ସ୍କ୍ୱାଡ୍‌’କୁ ଦେଖାଇବ ବା ଆଲର୍ଟ କରିବ । ଏହା ପରେ ଉକ୍ତ ଟିମ୍‌ ସେହି ପୋଷ୍ଟର ସତ୍ୟାସତ୍ୟ ଯାଞ୍ଚ କରିବ । ଯଦି ସେଥିରେ କିଛି ତ୍ରୁଟି ଥିବା ନେଇ ସ୍କ୍ୱାଡ୍‌ ଆଶଙ୍କା କରେ । ତାହାଲେ ଉକ୍ତ ପୋଷ୍ଟକୁ ତୁରନ୍ତ ଡିଲିଟ୍‌ କରିବାକୁ ସଂପୃକ୍ତ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମକୁ ନିର୍ଦ୍ଦେଶ ଦିଆଯିବ । ଏଥି ସହିତ ସେହି ଆକାଉଣ୍ଟ୍‌କୁ ବ୍ଲାକ୍‌ଲିଷ୍ଟ କରି ସାଇବର ସ୍କ୍ୱାଡ୍‌ ରଖିବ । ନିର୍ବାଚନ ଶେଷ ପର୍ଯ୍ୟନ୍ତ ସେହି ଆକାଉଣ୍ଟ୍‌ ଉପରେ ପୁରାମାତ୍ରାରେ ନଜର ରଖାଯିବ । ଏପରିକି ଏକାଧିକ ଥର ସେଥିରେ ଭୁଲ୍‌ ତଥ୍ୟ ଦେଇ ପୋଷ୍ଟ କରାଗଲେ ତାହା ସଂପୂର୍ଣ୍ଣ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହେବ । 

ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷକୁ ନେଇ କଣ୍ଟେଣ୍ଟ୍‌ ପ୍ରସ୍ତୁତ କରୁଥିବା କିଛି ପେସାଦାର ସଂସ୍ଥାକୁ ମଧ୍ୟ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଫେକ୍‌ ନିଉଜ ଛାଡ଼ୁଥିବା ବ୍ୟକ୍ତି ବିଶେଷ, ରାଜନୈତିକ ଦଳର ଆଇଟି ସେଲ୍‌ ଓ କଣ୍ଟେଣ୍ଟ୍‌ କ୍ରିଏଟରଙ୍କ ଉପରେ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶନାମା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.