ନୂଆଦିଲ୍ଲୀ: ଅଶାନ୍ତ ମଧ୍ୟ ପ୍ରାଚ୍ୟ । ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ବଢ଼ୁଛି ତିକ୍ତତା, ଯୁଦ୍ଧ ନେଇ ତେଜୁଛି ଆଶଙ୍କା । ଯାହାର ପ୍ରଭାବ ପଡ଼ିଛି ବିମାନ ସେବା ଉପରେ । ରିପୋର୍ଟ ଅନୁସାରେ, ଶନିବାର ଠାରୁ ଇରାନ୍ ବାୟୁ ସୀମା ଦେଇ ଉଡ଼ାଣ ବନ୍ଦ କରି ଦେଇଛି ଏୟାର୍ ଇଣ୍ଡିଆ ବିମାନ ।
ଇସ୍ରାଏଲ୍ ଉପରେ ଆକ୍ରମଣ ପାଇଁ ଇରାନ୍ ଚେତାବନୀ ଦେଇଛି । ସୂତ୍ର ଅନୁସାରେ, ୟୁରୋପ ଯାଉଥିବା ଏୟାର୍ ଇଣ୍ଡିଆର ବିମାନ ଇରାନର ବାୟୁ ସୀମା ଦେଇ ଉଡ଼ାଣ କରୁ ନଥିବାରୁ ଲମ୍ବା ରାସ୍ତା ଦେଇ ଯିବାକଉ ପଡ଼ୁଛି ।
ଏପ୍ରିଲ୍ ୧ରେ ସିରିଆର ରାଜଧାନୀ ଡାମାସ୍କସ୍ ସ୍ଥିତ ଇରାନର ବାଣିଜ୍ୟ ଦୂତାବାସ ଉପରେ ଇସ୍ରାଏଲ୍ ଆକ୍ରମଣ କରିଥିଲା । ଯାହା ପରେ ଇରାନ୍ ଓ ଇସ୍ରାଏଲ୍ ସମ୍ପର୍କ ଆହୁରି ତିକ୍ତ ହେବାରେ ଲାଗିଛି । ଇରାନ୍ ଗଣମାଧ୍ୟମ ଅନୁସାରେ, ଇସ୍ରାଏଲର ଆକ୍ରମଣରେ ୨ ଜଣ ଜେନେରାଲ୍ ସମେତ ରିଭୋଲ୍ୟୁସନରୀ ଗାର୍ଡ୍ସର ୭ ଯବାନ ନିହତ ହୋଇଛନ୍ତି । ସେବେଠାରୁ ପ୍ରତିଶୋଧର ନିଆଁରେ ଇରାନ୍ ଜଳୁଥିବା ବେଳେ ଶୁକ୍ରବାର ଆକ୍ରମଣ ନେଇ ସଂକେତ ଦେଇଥିଲା ।
ଆମେରିକା ସମେତ ଅନ୍ୟ କେତେକ ଦେଶର ଗୁଇନ୍ଦା ସଂସ୍ଥା ଅନୁସାରେ, ରବିବାର ଇସ୍ରାଏଲ୍ ଉପରେ ପ୍ରତି ଆକ୍ରମଣ କରିପାରି ଇରାନ୍ । ଯଦି ଇରାନ୍, ଇସ୍ରାଏଲ୍ ଉପରେ ଆକ୍ରମଣ କରେ ତ ମଧ୍ୟପ୍ରାଚ୍ୟ ଆଉ ଏକ ଯୁଦ୍ଧ ହୋଇଯିବ । ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟରୁ ଛଦ୍ମ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ସମ୍ମୁଖ ଯୁଦ୍ଧ ବିପଦ ମୁଣ୍ଡ ଟେକୁଛି ।
ଏହା ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ୨ ଦେଶ ମଧ୍ୟରେ ଏଭଳି ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ସେତେବେଳେ ଇସ୍ରାଏଲ୍ ଆକ୍ରମଣରେ ଇରାନର ଟପ୍ କମାଣ୍ଡର କାସିମ୍ ସୁଲେମାନିର ମୃତ୍ୟୁ ହୋଇଥିଲା ।
ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲି ଖାମନେଇ ଚଳିତ ସପ୍ତାହ ଆରମ୍ଭରେ ଚେତାବନୀ ଦେଇ କହିଥିଲା, ଇସ୍ରାଏଲକୁ ସଜ୍ଜା ନିଶ୍ଚିତ ମିଳିବ । ସେ କହିଥିଲେ, କୌଣସି ଦେଶରେ ବାଣିଜ୍ୟ ଦୂତାବାସ ଓ ଦୂତାବାସ କାର୍ଯ୍ୟାଳୟ ସେହି ଦେଶର ଅଂଶ ହୋଇଥାଏ । ଆମ ଦୂତାବାସ ଉପରେ ଆକ୍ରମଣ ଇରାନ୍ ଉପରେ ଆକ୍ରମଣ ସହ ସମାନ ।