ନିମାପଡ଼ା,୨୭/୦୫: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜୁନ୍ ୧ରେ ଅନୁଷ୍ଠିତ ହେବ । ଜଗତ୍ସିଂହପୁର ଲୋକସଭା କ୍ଷେତ୍ର ଅଧୀନ ତଥା ବିଜେଡି ଗଡ଼ କୁହାଯାଉଥିବା ନିମାପଡ଼ା ନିର୍ବାଚନମଣ୍ଡଳୀରେ ବାଜି ପଲଟାଇବାକୁ ସମସ୍ତ ଶକ୍ତି ଲଗାଇ ଦେଇଛି ବିଜେପି । ଏଭଳି ଘଡ଼ିସନ୍ଧି ସମୟରେ ଦଳର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହ ଆସନ୍ତା ୨୮ ତାରିଖରେ ନିମାପଡ଼ା ଗସ୍ତରେ ଆସି ଇନ୍ଡୋର ଷ୍ଟାଡିୟମରେ ହେବାକୁ ଥିବା ବିଶାଳ ଜନସଭାକୁ ଉଦ୍ବୋଧନ ଦେବେ ।
ଶାହଙ୍କ ଗସ୍ତ ସମୟରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ, ବିଧାୟକ ପ୍ରାର୍ôଥନୀ ପ୍ରଭାତି ପରିଡ଼ା ପ୍ରମୁଖ ମଞ୍ଚାସୀନ ରହିବେ । ଏଥିସହ ୫୦ ହଜାର କର୍ମୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।ଅପରପକ୍ଷେ ଏହି ହାଇଭୋଲ୍ଟେଜ୍ ନିର୍ବାଚନୀ କାର୍ଯ୍ୟକ୍ରମକୁ ନେଇ ତତ୍ପର ହୋଇଉଠିଛି ପ୍ରଶାସନ ଓ ପୁଲିସ ବିଭାଗ । ରବିବାର ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅତିରିକ୍ତ ଏସ୍ପି, ଏସ୍ଡିପିଓ ପ୍ରଭାତ ମଲ୍ଲିକ, ଥାନାଧିକାରୀ ବାମଦେବ ସ୍ୱାଇଁ, ବିଡିଓ ଭୁବନାନନ୍ଦ ପଟ୍ଟନାୟକ, ଏନ୍ଏସି ନିର୍ବାହୀ ଅଧିକାରୀ ସରୋଜ ଆଚାର୍ଯ୍ୟ, ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର । ଅଧିକାରୀମାନେ ବିଜୁ ପଟ୍ଟନାୟକ ସଭାଗୃହରେ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଶାହାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଏଥିସହ ସମ୍ବେଦନଶୀଳ ସ୍ଥାନ ଉପରେ କଡ଼ା ନଜର ରଖାଯିବ ବୋଲି ସୂଚନା ଦିଆଯାଇଛି ।