ଜୟପୁର, ୧୭/୦୯: ରାଜସ୍ଥାନର ଭରତପୁରରେ ଏକ ଶିଶୁ କନ୍ୟାକୁ ନେଇ ଚର୍ଚ୍ଚା ଲାଗିରହିଛି । ଶିଶୁଟି ୨୬ଟି ଆଙ୍ଗୁଳି ସହ ଜନ୍ମ ନେଇଛି । ଦୁଇ ହାତରେ ୭ଟି ଲେଖାଏଁ ଆଙ୍ଗୁଳି ଥିବା ବେଳେ ପ୍ରତି ପାଦରେ ୬ଟି ଲେଖାଏଁ ଆଙ୍ଗୁଳି ରହିଛି । ପରିବାର ଲୋକେ ଶିଶୁ କନ୍ୟାକୁ ‘ଦେବୀଙ୍କ ଅବତାର’ ବୋଲି କହିଛନ୍ତି । ତାର ପରିବାର ଲୋକେ ତାକୁ ‘ଢ଼ୋଲଗଡ଼ ଦେବୀ’ ବୋଲି କହୁଛନ୍ତି । ହେଲେ ଡାକ୍ତର ଏହାକୁ ଜିନ୍ ଗତ ସମସ୍ୟା ବୋଲି ଦର୍ଶାଇଛନ୍ତି ।
ଯଦିଓ ୨୬ଟି ଆଙ୍ଗୁଳି ଏକ ସାଧାରଣ କଥା ବୋଲି ଡାକ୍ତର କହୁଛନ୍ତି ହେଲେ ଏମିତି ଘଟଣା ବିରଳ । ଶିଶୁ କନ୍ୟାର ମା’ଙ୍କୁ ୨୫ ବର୍ଷ ହୋଇଥିବା ବେଳେ ସେ ୮ ମାସର ଗର୍ଭବତୀ ଥିବା ବେଳେ ପିଲା ଜନ୍ମ କରିଛନ୍ତି । ସେପଟେ ୨୬ଟି ଆଙ୍ଗୁଳି ଥିବା ବେଳେ ଶିଶୁ କନ୍ୟା ପ୍ରତି କୌଣସି ବିପଦ ନାହିଁ। ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଡାକ୍ତର ବିଏସ୍ ସୋନୀ କହିଛନ୍ତି ।
ଶିଶୁ କନ୍ୟାର ମାମୁଁ କହିଛନ୍ତି ଝିଅର ଜନ୍ମ ନେଇ ପରିବାର ଲୋକେ ବେଶ ଖୁସି ଅଛନ୍ତି । କାରଣ ସେମାନେ ବିଶ୍ବାସ କରୁଛନ୍ତି ତାଙ୍କ ଘରେ ଢ଼ୋଲଗଡ଼ ଦେବୀଙ୍କ ଆବିର୍ଭାବ ହୋଇଛି । ତାଙ୍କ ଝିଅ ଦେବୀଙ୍କ ଅବତାର। ଶିଶୁ କନ୍ୟାର ବାପା ଗୋପାଳ ଭଟ୍ଟାଚାର୍ଯ୍ୟ ସିଆରପିଏଫର ହେଡ କନଷ୍ଟେବଲ ଭାବେ କାର୍ଯ୍ୟ କରୁଛନ୍ତି ।