ନୂଆଦିଲ୍ଲୀ: ବାଂଲାଦେଶର ରାସ୍ତାରେ ସଂରକ୍ଷଣର ନିଆଁ ପୁଣିଥରେ ବ୍ୟାପିଛି। ରାଜଧାନୀ ଢାକାରେ ବହୁ ସଂଖ୍ୟାରେ ଯୁବକ ମାନେ ହିଂସା ପ୍ରଦର୍ଶନ କରିଛନ୍ତି । ସକାଳେ ପ୍ରାରମ୍ଭିକ ହିଂସାକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି । ଏଥି ସହ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିକ୍ଷୋଭକାରୀ ମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରୁଛନ୍ତି। ହିଂସାତ୍ମକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ମାସରେ ବାଂଲାଦେଶରେ ଚାକିରି ସଂରକ୍ଷଣକୁ ବିରୋଧ କରି ୨ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଅଗଷ୍ଟ ମାସ ଆରମ୍ଭରେ ପୁଣି ଥରେ ବିକ୍ଷୋଭକାରୀ ମାନେ ପ୍ରଦର୍ଶନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି । ଏଥର ବିକ୍ଷୋଭକାରୀ ମାନେ ସରକାରଙ୍କ ସହ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି । ବିକ୍ଷୋଭକାରୀ ମାନେ ଦାବି କରିଛନ୍ତି ଯେ, ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ।
ହସିନା ସରକାରଙ୍କ ଇସ୍ତଫା ଦାବିରେ ବିରୋଧୀ ଛାତ୍ର ମାନେ ଆନ୍ଦୋଳନ କରୁଛନ୍ତି। ଏହି ପ୍ରତିବାଦରେ ଛାତ୍ର, ପୋଲିସ ଏବଂ ଶାସକ ଦଳର କର୍ମୀ ମଧ୍ୟ ସାମିଲ ହୋଇଛନ୍ତି। ଆଜି ସକାଳେ ଏକ ଗୋଷ୍ଠୀ ଢାକା ବଙ୍ଗବନ୍ଧୁ ଶେଖ ମୁଜିବ ମେଡିକାଲ କଲେଜ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ । ଚୌକବଜାରର ଏକ ଦଳ ଲାଠି ଧରି ଶାହବାଗ ଅଞ୍ଚଳରେ ଏକାଠି ହୋଇଥିଲେ।
ଯେତେବେଳେ ଉଭୟ ପାର୍ଶ୍ୱ ପରସ୍ପର ସାମ୍ନାକୁ ଆସିଲେ, ସେମାନେ ପରସ୍ପର ଉପରେ ଇଟା ଓ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । କିଛି ଗାଡିମୋଟର ଜଳାପୋଡା କରିଥିଲେ ।