ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଉ ମିଳିବନି ଭାଗିନାଙ୍କ... ବରା', ୫୧ ବର୍ଷର ବ୍ୟବସାୟିକ ବନ୍ଧନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ପୁରୀ,୧୦ା୫ (ବିକ୍ରମ କେଶରୀ ଆଚାର୍ଯ୍ୟ) : ଡାକି  ଆଣୁଥିଲା ଛୁଙ୍କର ବାସ୍ନା । ଦୋକାନ ଦୁଆରେ ଘେରି ଯାଉଥିଲେ ଗ୍ରାହକ । କିଏ କହୁଥିଲା ଭାଗିନା ମୋର ୨୦ ଟଙ୍କାର । ଆଉ କିଏ କହୁଥିଲା ମୋ ପାଇଁ ୫୦ଟେ ବାନେ୍ଧ । ଭାଗିନା ବି କହୁଥିଲେ, ମଣି ସମସ୍ତେ  ଖାଇବ । ଟିକେ ଅପେକ୍ଷା କର । ଦୀର୍ଘ ୫୧ ବର୍ଷ କାଳ ଥିଲା ଭାଗିନା ଓ ଗ୍ରାହକଙ୍କ ମଧ୍ୟରେ ଏହି ବ୍ୟବସାୟିକ ବନ୍ଧନ । ହେଲେ ଆଉ ମିଳିବନି ଭାଗିନାଙ୍କ ବରା । ସ୍ମୃତି ହୋଇଗଲା ତାଙ୍କ ବାଡ଼ିଆ ପିଆଜି ସାଙ୍ଗକୁ ଆଳୁକଷା। ଅକ୍ଷୟ ତୃତୀୟାରେ ବନ୍ଦ ହେବ ଭାଗିନାଙ୍କ ବରା ଦୋକାନ। ଯାହାକୁ ନେଇ ଆଖପାଖ ସାହି ବାସିନ୍ଦାମାନେ ଦୁଃଖ ପ୍ରକାଶ କରିଛନ୍ତି। 

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରସ୍ଥିତ ବାଲିସାହି ବାରାହୀ ଲେନ୍‌ରେ ଭାଗିରଥି ସାହୁ ଓରଫ ଭାଗିନାଙ୍କ ଘର । ଏବେ ବୟସ ୭୩ ଛୁଇଁଲାଣି । ଦାଣ୍ଡ ଦୁଆରେ ତାଙ୍କ ଦୋକାନ । ଦୋକାନରେ ମିଳୁଥିଲା ବରା ସାଙ୍ଗକୁ ମଟର ଘୁଗୁନି, ଆଳୁଚପ୍‌, ବାଡ଼ିଆ ପିଆଜି, ଉପମା ସହ ଆଳୁକଷା । ଭାଗିନାଙ୍କ ହାତରେ ପ୍ରସ୍ତୁତ ଏହି  ଖାଦ୍ୟ ଖାଇବାକୁ ସକାଳେ ଓ ସଞ୍ଜରେ ଲାଗୁଥିଲା ଭିଡ଼ । ଆଳୁକଷା ଆଉ ମଟର ଘୁଗୁନିର ଛୁଙ୍କ ହେବା ମାତ୍ରେ ବାସ୍ନାରୁ ଭାଗିନାଙ୍କ ଖାଦ୍ୟ ପ୍ରସ୍ତୁତ ହୋଇଗଲା ବୋଲି ଲୋକେ ଜାଣି ଦେଉଥିଲେ । ଦୀର୍ଘ ୫୧ ବର୍ଷ  କାଳ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଭାଗିନାଙ୍କୁ ଏବେ ଆଉ ବୟସ ସାଥ୍‌ ଦେଉନି। ତେଣୁ ଅକ୍ଷୟ ତୃତୀୟାରୁ ଆରମ୍ଭ କରିଥିବା ବରା ଦୋକାନକୁ ଏହି ତିଥିରେ ହିଁ ବନ୍ଦ କରିଛନ୍ତି । 

ଭାଗିନାଙ୍କୁ ଯେତେବେଳେ ୧୨ ବର୍ଷ ସେତେବେଳେ ବଡ଼ଭାଇଙ୍କ ସହ ମିଶି ବୁଲି ବୁଲି ସେ ବାଦାମ ପୁଆ ଓ ମୁଢ଼ିମୁଆଁ ବିକ୍ରି କରି ରୋଜଗାର କରିବା ଆରମ୍ଭ କରିଥିଲେ । ୧୯୭୩ ମସିହା ଅକ୍ଷୟ ତୃତୀୟାରେ ଆରମ୍ଭ କରିଥିଲେ ବରା ଦୋକାନ। ସେତେବେଳେ ବରା, ପିଆଜି ଓ ଆଳୁଚପ୍‌ର ଦାମ୍‌ ଥିଲା ୧୦ ପଇସା । ଏହି ଦାମ୍‌ ପରେ ପରିବର୍ତ୍ତନ ହୋଇ ଚାରିଅଣା, ଆଠଅଣା,୧ ଟଙ୍କା, ୨ ଟଙ୍କା ଓ ଏବେ ଅଢ଼େଇ ଟଙ୍କାରେ ପହଞ୍ଚିଥିଲା। ପତ୍ନୀ ଦ୍ରୌପଦୀ, ୩ ପୁଅ ଅମିତ, ରାମକୃଷ୍ଣ  ଓ ଅଜିତ୍‌ଙ୍କୁ ନେଇ ପରିବାର ଚଳାଇବା କଷ୍ଟକର ହେଉଥିଲେ ମଧ୍ୟ ତାଙ୍କ ଦୋକାନ ତାଙ୍କୁ କେବେ ହାରିବାକୁ ଦେଇନଥିଲା ବୋଲି ସେ କହିଛନ୍ତି । ଏହି  ଦୋକାନରୁ ମିଳିଥିବା ଆୟରେ ସେ କଂକ୍ରିଟ୍‌ ଘର ନିର୍ମାଣ କରିଥିଲେ । ୨ ପୁଅ ଏବେ ପୃଥକ୍‌ ସଂସ୍ଥାରେ  ଚାକିରି କରୁଛନ୍ତି । ସାନପୁଅ ଫାଷ୍ଟ୍‌ଫୁଡ୍‌ ଦୋକାନ କରି ନିଜ ଖର୍ଚ୍ଚ ତୁଲାଉଥିବା ସେ କହିଛନ୍ତି । ଦୃଷ୍ଟି ଶକ୍ତି କମି ଯାଇଥିବାରୁ ଟଙ୍କା ଚିହ୍ନିବାରେ ସମସ୍ୟା ହେଉଛି । ହାତରେ ଯନ୍ତ୍ରଣା ହେବାରୁ ଆଉ ଛଣାଛଣି ମଧ୍ୟ କରି ପାରୁନାହାନ୍ତି । ତେଣୁ ଅକ୍ଷୟ ତୃତୀୟାରେ ଶେଷ ବ୍ୟବସାୟ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଏବେ ଫାଙ୍କା ସମୟରେ ମହାପ୍ରଭୁଙ୍କ ନାମ ସଙ୍କୀର୍ତ୍ତନ କରିବେ ବୋଲି ସେ କହିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.