ଭୁବନେଶ୍ଵର, ୨୦/୦୯ : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା। ଶନିବାର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲା ବିଜେଡି।
ବିଜେଡିର ଅଭିଯୋଗ ଅନୁଯାୟୀ, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ଆଜି ଭରତପୁର ଘଟଣା ସାମ୍ନାକୁ ଆସିନଥାନ୍ତା। ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହିତ ଯଦି ରାଜଧାନୀ ଭିତରେ ଏମିତି ଘଟଣା ଘଟୁଛି ତେବେ ଅନ୍ୟ ଥାନାମାନଙ୍କରେ କଣ ଘଟୁଥିବ ତାହା ସନ୍ଦେହ। ବିଜେପି ସରକାରର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ ? ଭରତପୁର ଥାନା ଭିତରେ ବିଜେଡି ସରକାର ସମୟରେ ସିସିଟିଭି ଇନଷ୍ଟଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ପୋଲିସ ପକ୍ଷରୁ କୁହାଯାଉଛି ସିସିଟିଭି ଇନଷ୍ଟଲ ହୋଇନଥିଲା। ଏଥିରୁ ଜଣାପଡ଼ୁଛି ପୋଲିସ ଜାଣିଶୁଣି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି।
ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। କୋର୍ଟଙ୍କ ତତ୍ତ୍ଵାବଧାନରେ ଏସଆଇଟି ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।