କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଚଳାଇଛି । ମାମଲାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିଥିବା ବେଳେ ଅଗଷ୍ଟ ୨୨ରେ ଷ୍ଟାଟସ୍ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ସିବିଆଇ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ଅପଡେଟ ଦେଇଛି । କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅବୈଧ ଔଷଧ ରାକେଟ୍ ଏବଂ ଡାକ୍ତରଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଲାଞ୍ଚ କାରବାର ହେଉଥିଲା । ଆଉ ଏଭଳି ଅବୈଧ କାର୍ଯ୍ୟକଳାପକୁ ପୀଡ଼ିତା ବିରୋଧ କରିଥିଲେ ବୋଲି ଜଣାପଡ଼ିଛି ।
ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ, ଦୀର୍ଘ ବର୍ଷ ହେଲା ଏହି ରାକେଟ ଚାଲିଥିବା ବେଳେ ଧିରେଧିରେ ଏହା ଅନ୍ୟ ସରକାରୀ ହସ୍ପିଟାଲକୁ ବ୍ୟାପୁଥିଲା । ରାଜ୍ୟ ସରକାରଙ୍କ ଦ୍ବାରା କୋଟି କୋଟି ଟଙ୍କାରେ କ୍ରୟ କରାଯାଉଥିବା ଔଷଧକୁ ଅବୈଧ ଉପାୟରେ ଏହି ରାକେଟ ଜରିଆରେ ଘରୋଇ ମେଡିକାଲ୍ ଷ୍ଟୋରକୁ ବିକ୍ରି କରାଯାଉଥିଲା । ଅବୈଧ କାର୍ଯ୍ୟକୁ ବିଭିନ୍ନ ମଞ୍ଚରେ ଖୋଲାଖୋଲି ବିରୋଧ କରୁଥିଲେ ପୀଡ଼ିତା । ବୋଧହୁଏ ଏଥିପାଇଁ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇ ଥାଇପାରେ ବୋଲି ସିବିଆଇ ସୂତ୍ରରୁ ସୂଚନା ମିଳିଛି । ଏପରିକି ଏହି ରାକେଟରେ ରାଜ୍ୟର ବଡ଼ ସରକାରୀ ବାବୁଙ୍କ ସଂପୃକ୍ତି ଥାଇାପରେ ବୋଲି କୁହାଯାଉଛି ।
ଜଣେ ବରିଷ୍ଠ ସିବିଆଇ ଅଧିକାରୀଙ୍କ ଅନୁସାରେ, ‘ଡାକ୍ତରଙ୍କ ବଦଳି ଏବଂ ନିଯୁକ୍ତି କରାଇବାକୁ ଏକ ରାକେଟ ପରିଚାଳିତ ହେଉଥିଲା । ୨୦-୩୦ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ଡାକ୍ତରଙ୍କୁ ସେମାନଙ୍କ ପସନ୍ଦର ମେଡିକାଲ କଲେଜ କିମ୍ବା ହସ୍ପିଟାଲକୁ ବଦଳି କରାଯାଉଥିଲା । ଏସବୁ କାର୍ଯ୍ୟକଳାପ ପୀଡ଼ିତାଙ୍କୁ ମନକୁ ଆନ୍ଦୋଳିତ କରିଥିଲା ଏବଂ ସେ ବିଭିନ୍ନ ମଞ୍ଚରେ ଏହାକୁ ବିରୋଧ ବି କରିଥିଲେ ।’
ସୂଚନାଯୋଗ୍ୟ, ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷଙ୍କୁ ଜେରା କରୁଛି ସିବିଆଇ । ଲଗାତାର ୪ ଦିନ ହେଲା ଡ. ଘୋଷଙ୍କୁ ପଚରା ଉଚରା କରିଛି ସିବିଆଇ । ଡାକ୍ତରଙ୍କ ମୃତ୍ୟୁ ଖବର ମିଳିବା ପରେ ସେ କଣ କରିଥିଲେ ଏବଂ ପୀଡ଼ିତାଙ୍କ ଅଭିଭାବକଙ୍କୁ କାହିଁକି ୩ ଘଣ୍ଟା ଅପେକ୍ଷା କରାଇଥିଲେ, ସେନେଇ ସିବିଆଇ ସନ୍ଦୀପ ଘୋଷଙ୍କୁ ପଚରାଯାଇଛି । ଏହା ବ୍ୟତୀତ ଘଟଣା ପରେ ସେମିନାର ହଲ୍ ନିକଟରେ ଥିବା କୋଠରୀଗୁଡ଼ିକୁ କାହା ନିର୍ଦ୍ଦେଶରେ ସେ ନବୀକରଣ କରାଇଥିଲେ ସେନେଇ ମଧ୍ୟ ଜବାବ ମାଗିଛି ସିବିଆଇ । ଏହା ସହ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପୂର୍ବତନ ପ୍ରିନ୍ସିପାଲଙ୍କ ଫୋନ କଲ ଏବଂ ହ୍ବାଟସଆପ୍ ଚାଟ୍ ଯାଞ୍ଚ କରୁଥିବା ଜଣାପଡ଼ିଛି ।