ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜି ଛେନା ପୋଡ଼ ଦିବସ, ଗତବର୍ଷଠୁ ଜିଆଇ ପାଇଁ ହୋଇଛି ଆବେଦନ

ଭୁବନେଶ୍ୱର,୧୧/୦୪: ମିଠା ଭିତରେ ମିଠା ।  ସବୁଠୁ ମଧୁର ଆଉ ତରୁଣ ମିଠା । ଛେନାପୋଡ଼ ।  ଗୁରୁବାର ତା’ର ଦିବସ । କିନ୍ତୁ ସେ ବିବାଦରେ ।  ଦିବସ କେଉଁଦିନ ପାଳନ ହେବ ତାକୁ ନେଇ  ଦଶପଲ୍ଲା ଓ ନୟାଗଡ଼ ଭିତରେ ଆରମ୍ଭ ହୋଇଛି  ଟଣାଓଟରା । ମାତ୍ର ଏହାକୁ ନେଇ ଭୌଗୋଳିକ  ସୂଚକ (ଜିଆଇ ଟ୍ୟାଗ୍‌) ଲାଗି ହୋଇଥିବା  ଆବେଦନରେ ତଥ୍ୟ ବିବାଦୀୟ କିମ୍ବା ବିକୃତ ହେବା  ଅନୁଚିତ ବୋଲି ଗବେଷକ ଓ ଖାଦ୍ୟ ବିଶେଷଜ୍ଞ  ମତ ରଖିଛନ୍ତି । 

ଦଶପଲ୍ଲାବାସୀଙ୍କ ଦାବି ପ୍ରକୃତ ସ୍ରଷ୍ଟା ସୁଦର୍ଶନ  ସାହୁଙ୍କ ପିତା ବିଦ୍ୟାଧରଙ୍କ ଅବଦାନକୁ ଅଣଦେଖା  କରାନଯାଉ । ଯିଏ ଏହାର ସ୍ରଷ୍ଟା ତାଙ୍କୁ କେହି  ଭୁଲିନଯାଆନ୍ତୁ । ବାପାଙ୍କୁ ଭୁଲି ପୁଅଙ୍କ ଜନ୍ମଦିନରେ  ପାଳିବା କେତେଦୂର ଠିକ୍‌ । ଏହାସହ ଛେନାପୋଡ଼ର  ଅନ୍ତୁଡ଼ିଶାଳ ଦଶପଲ୍ଲା, ଯାହା ନୟାଗଡ଼ ଜିଲ୍ଲାରେ ।  କିନ୍ତୁ ଦଶପଲ୍ଲାକୁ ଭୁଲିବା ଠିକ୍‌ ନୁହେଁ । ଦଶପଲ୍ଲା  ସାତପାଟଣା ନିବାସୀ ବିଦ୍ୟାଧର ସାହୁ ଛେନାପୋଡ଼କୁ  ପ୍ରଥମେ ରୂପ ଦେଇଥିଲେ । ପରେ ଏହିମିଠା ଏତେ  ଆଦୃତ ହେଲା ଯେ ବିଶ୍ୱସାରା ବ୍ୟାପିଗଲା । ଶ୍ରୀ  ସାହୁଙ୍କ ୩ ପୁଅଙ୍କ ମଧ୍ୟରୁ ସୁଦର୍ଶନ ଅନ୍ୟତମ ।  କାଳକ୍ରମେ ସେ ନୟାଗଡ଼ ଯାଇ ମିଠା ବ୍ୟବସାୟ କରି  ବାପାଙ୍କ ଛେନାପୋଡ଼କୁ ଆହୁରି ଲୋକପ୍ରିୟ କଲେ ।  

ତା’ମାନେ ନୁହେଁ ଯେ ଛେନାପୋଡ଼ର ଉତ୍ପତ୍ତିସ୍ଥଳ  ଦଶପଲ୍ଲା ବଦଳରେ ନୟାଗଡ଼ କହିବା । ବିଦ୍ୟାଧରଙ୍କୁ  ଛାଡ଼ି ସୁଦର୍ଶନଙ୍କ ଜନ୍ମଦିନରେ ଦିବସ ପାଳିବା ।  ଏହା ଆଦୌ ସମୀଚୀନ ନୁହେଁ । ଏନେଇ ବୁଧବାର  ଦଶପଲ୍ଲା ଉନ୍ନୟନ ପରିଷଦ ସାମ୍ବାଦିକ ସମ୍ମିଳନୀ  କରି ଦାବି କରିଛି । ଏଥିସହ ସ୍ଥାନୀୟ ବୁଦ୍ଧିଜୀବୀ ଓ  ସଚେତନ ନାଗରିକଗଣ, ସ୍ଥାୟୀ ବାସିନ୍ଦା ଦଶପଲ୍ଲା  ତହସିଲଦାରଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅଭିଯୋଗ  ପତ୍ର ଦେଇଛନ୍ତି । ସେଥିରେ ସେମାନେ ଛେନାପୋଡ଼ର  ଜନ୍ମସ୍ଥାନ ବିଷୟରେ ସମ୍ୟକ୍‌ ସୂଚନା ଦେଇ  ପ୍ରଶାସନର ଭ୍ରମ ଦୂର ପାଇଁ ନିବେଦନ କରିଛନ୍ତି ।  

ଗବେଷିକା ଡ. ଅନୀତା ସାବତ କହିଛନ୍ତି,  ଗତବର୍ଷଠୁ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ ସରିଛି ।  ଏବେ ଆମର ପ୍ରାଥମିକ ଏବଂ ମୁଖ୍ୟ କାମ ହେଲା  ଏହାର ଡକ୍ୟୁମେଣ୍ଟେସନ୍‌ । ତଥ୍ୟ, ଓ ନଥି  ପ୍ରସ୍ତୁତି ଠିକ୍‌ ହେବା ଜରୁରି । ଇତିହାସକୁ ଠିକଣା  ଭାବେ ଉପସ୍ଥାପନା କରାଯିବା ଜରୁରି। ଦଶପଲ୍ଲା,  ବିଦ୍ୟାଧର ସାହୁଙ୍କୁ ଗୁରୁତ୍ୱ ସହ ମୂଳ ଉତ୍ପତ୍ତିସ୍ଥଳ,  ପ୍ରସ୍ତୁତି ପ୍ରଣାଳୀକୁ ତଥ୍ୟରେ ଯୋଡ଼ାଯାଉ । ଉଭୟ  ଓଡ଼ିଆ ଓ ଇଂରାଜୀ ଭାଷାରେ ବନାନ ଶୁଦ୍ଧି ସହ  ‘ଛେନାପୋଡ଼’ ଲେଖାଯାଉ । ଅଯଥାରେ ‘ପୋଡ଼ପିଠା’  ଏବଂ ‘ଛେନାପୋଡ଼’ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ  ସୃଷ୍ଟି କରାନଯାଉ । ‘ପୋଡ଼ପିଠା’ର ଫଟୋକୁ  ଦେଖାଇ ‘ଛେନାପୋଡ଼’ କୁହାନଯାଉ । ଏମିତି କିଛି  କରାନଯାଉ, ଯାହାଦ୍ୱାରା ଭବିଷ୍ୟତରେ ଆମ ମିଠାର  ମର୍ଯ୍ୟାଦା କ୍ଷୁଣ୍ଣ ସହ ବିଶ୍ୱ ଦରବାରରେ ଭୁଲ କଥା  ପ୍ରସାରିତ ହେବ । 

ଏପ୍ରିଲ ୧୧ । ନୟାଗଡ଼ ଅଞ୍ଚଳର ମିଠା ବ୍ୟବସାୟୀ ତଥା ଛେନାପୋଡ଼କୁ ଲୋକପ୍ରିୟ କରାଇଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନ । ଏହିଦିନକୁ ସ୍ଥିର କରି ୩ ବର୍ଷ ହେବ ଓଡ଼ିଆ ମିଡିଆ ପ୍ରାଇଭେଟ୍‌  ଲିମିଟେଡ୍‌ ଓ ନୟାଗଡ଼ ବିକାଶ ମଞ୍ଚ ରାଜ୍ୟସ୍ତରୀୟ  ଛେନାପୋଡ଼ ଦିବସ ପାଳନ କରୁଛି। ଗତବର୍ଷ  ପ୍ରଥମଥର ଜିଲ୍ଲା ସ୍ତରରେ ବି ଏହାକୁ ଉତ୍ସବ ଭାବେ  ପାଳିବାକୁ ଜିଲ୍ଲାପାଳ ଚିଠି କରିଥିଲେ । 

GI Tag

ଜିଆଇ ମାନ୍ୟତା ନେଇ ନୟାଗଡ଼ ବିଧାୟକ  ଡ. ଅରୁଣ କୁମାର ସାହୁ ରାଜ୍ୟ ଶିଳ୍ପ ମନ୍ତ୍ରୀ  ପ୍ରତାପ କେଶରୀ ଦେବଙ୍କୁ ଗତବର୍ଷ ମାର୍ଚ୍ଚ ୪ରେ ଚିଠି ଲେଖିବା ସହ ସାକ୍ଷାତ କରିଥିଲେ । ମାର୍ଚ୍ଚ  ୨୦ରେ ନୟାଗଡ଼ ଜିଲ୍ଲାପାଳ ଭୌଗୋଳିକ  ସୂଚକ ରେଜିଷ୍ଟ୍ରି ଅଫିସ୍‌, ଚେନ୍ନାଇଙ୍କୁ ଆବଶ୍ୟକ  ଦସ୍ତାବିଜ୍‌ ସହ ଜିଆଇ ଆବେଦନ କରିଥିଲେ ।  ସେହିମାସ ୩୦ରେ ଜିଆଇ ମାନ୍ୟତା ଲାଗି  ପଞ୍ଜୀକରଣ ହୋଇଥିଲା । କ୍ରିଷ୍ଣା ପ୍ରଡ୍ୟୁସର ଗ୍ରୁପ୍‌  ପକ୍ଷରୁ ଓର୍‌ମାସ୍‌, ନୟାଗଡ଼ ଜିଆଇ ମାନ୍ୟତା  ପାଇଁ ଆବେଦନ କରିଥିଲେ । ମାର୍ଚ୍ଚ ୩୧ରେ  ବିଧାନସଭାରେ ବି ଚର୍ଚ୍ଚା ହୋଇଥିଲା । ସବୁପରେ  ଗତବର୍ଷ ସେପ୍ଟେମ୍ବର ୧୧ରେ ଜିଆଇ ରେଜିଷ୍ଟ୍ରି  ଅଫିସ୍‌ରୁ ଆସିଥିବା କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି  ଜିଲ୍ଲାପାଳ । କିନ୍ତୁ ପରବର୍ତ୍ତୀ ପ୍ରକ୍ରିୟା ବା ବୈଠକ  ଆରମ୍ଭ ହୋଇନାହିଁ । ୟା’ ଭିତରେ ବାରମ୍ବାର ଦାବି  ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପ ବିଭାଗକୁ  ଚିଠି ଲେଖି ଦାବି ହେଉଛି ବୋଲି ନୟାଗଡ଼  ବିକାଶ ମଞ୍ଚ ଆବାହକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.