ଚନ୍ଦ୍ରଶେଖରପୁର, ୩।୪: ବିଧିବଦ୍ଧ ଭାବେ ଟିକେଟ୍ ଘୋଷଣା ହୋଇନଥିଲେ ବି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ବିଧାୟକ ସୁଶାନ୍ତ ରାଉତ ପ୍ରତିଦିନ ବୁଲୁଛନ୍ତି । ତାଙ୍କୁ ଏହି ଆସନରୁ ଟିକଟ୍ ମିଳିବ ବୋଲି ଶୁଣିବାକୁ ମିଳୁଛି । ସେହିପରି ନୂତନ ଭାବେ ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ସମର୍ଥକଙ୍କୁ ଧରି ବୁଲୁଛନ୍ତି । କିନ୍ତୁ କିଏ ହେବ କଂଗ୍ରେସର ପ୍ରାର୍ଥୀ ? ଏ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନି । କଂଗ୍ରେସର ଆଶାୟୀ ପ୍ରାର୍ଥୀ ପିସିସି ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ନା ବ୍ଲକ ସଭାପତି ଅଶୋକ ଦାସ, କିଏ ଟିକଟ୍ ପାଇବ ? ଉଭୟ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ ବି କାହାକୁ ଟିକଟ୍ ମିଳିବ ତାହା ସ୍ପଷ୍ଟ ହୋଇପାରୁନି । ଦଳ ଏମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିବ ନା ଶୂନ୍ୟରୁ ଆଣି ଅନ୍ୟ କାହାକୁ ଠିଆ କରିବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହାର କାରଣ ଆଶାୟୀ ପ୍ରାର୍ଥୀ ଟଙ୍କା ଖର୍ଚ୍ଚ କରି ପ୍ରଚାର କରୁଛନ୍ତି । ଦଳ ଯଦି ସେମାନଙ୍କୁ ଭରସା ନ କରିବ ସେମାନେ କେଉଁଆଡେ ଯିବେ, ତାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି ।
କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ନିର୍ବାଚନ ମଣ୍ଡଳୀରେ ନିଜ ସମର୍ଥକଙ୍କୁ ଧରି କର୍ମୀ ସମ୍ମିଳନୀ, ପଦଯାତ୍ରା, ଚା’ ପେ ଚର୍ଚ୍ଚା ଓ ‘ଘରେ ଘରେ କଂଗ୍ରେସ’ କାର୍ଯ୍ୟକ୍ରମ କରି ଆସୁଛନ୍ତି । ନିର୍ବାଚନମଣ୍ଡଳୀର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି । ଟିକଟ୍ ପାଇବାକୁ କୃଷ୍ଣଚନ୍ଦ୍ର ଲବି କରୁଛନ୍ତି । ସେହିପରି କଂଗ୍ରେସ ଭୁବନେଶ୍ୱର ମିଡିଆ ସେଲ୍ ଅଧ୍ୟକ୍ଷ ତଥା ଭୁବନେଶ୍ୱର ଦୁଇ ନଂ ଜୋନ୍ ବ୍ଲକ୍ ସଭାପତି ଥିବା ଅଶୋକ ମଧ୍ୟ ଏହି ଆସନ ପାଇଁ ଦାବିଦାର ଅଛନ୍ତି । ଏଥିପାଇଁ ସେ ସାଲିଆ ସାହିଠୁ ନେଇ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ତାଙ୍କୁ ଟିକଟ୍ ମିଳିବ ବୋଲି ଆଶାବାଦୀ ଅଛନ୍ତି ଅଶୋକ । ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସର ସ୍ଥିତି ଭଲ ନ ଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଏବେ ଚିନ୍ତାରେ । ୨୦୧୯ ନିର୍ବାଚନରେ ଇତିଶ୍ ପ୍ରଧାନଙ୍କୁ ଦଳ ଭରସା କରିଥିଲା । ହେଲେ ମାତ୍ର ୫ ହଜାର ୧୮୯ ଖଣ୍ଡ ଭୋଟ୍ ପାଇ ସେ ଅମାନତ ହରାଇଥିଲେ । ଏବେ ଇତିଶ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି । ତେଣୁ ଦଳ ଯଦି ଭଲ ପ୍ରାର୍ଥୀ ନ ଦେବ ୨୦୧୯ ନିର୍ବାଚନ ଭଳି ପରିସ୍ଥିତି ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।